ଆଇଟିଆରରେ ନୂଆ ପୁରୁଣା ଚାକିରିରୁ ମିଳିଥିବା ଦରମା କଥା ଉଲ୍ଳେଖ କରନ୍ତୁ…ଆଉ କିଛି ଭୁଲ ବିଲକୁଲ ମଧ୍ୟ କରନ୍ତୁ ନାହିଁ।

ଆୟକର ରିଟର୍ଣ୍ଣ ଫାଇଲ କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଜାଣତରେ ହେଉ କି ଅଜାଣତରେ, ଆପଣଙ୍କ ଭୁଲ ପାଇଁ ଆପଣଙ୍କୁ ଦଣ୍ଡିତ ହେବାକୁ ପଡ଼ିପାରେ। ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଭୁଲ ବାବଦରେ କହିବାକୁ ଯାଉଛୁ, ଯାହା ରିଟର୍ଣ୍ଣ ଭରିବା ସମୟରେ ଅଧିକାଂଶ ଆୟକର ଦାତା କରିଥାନ୍ତି।

ପୁରୁଣା ଚାକିରି ଦରମା ବାବଦରେ ଉଲ୍ଲେଖ

ଆପଣ ଯଦି ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ଚାକିରି ବଦଳାଇଛନ୍ତି ତେବେ ଆଇଟିଆର ରିଟର୍ଣ୍ଣ ଭରିବା ବେଳେ ଟିକିଏ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଦରମା ବାବଦରେ ଉଲ୍ଲେଖ କରିବା ବେଳେ କେବଳ ବର୍ତ୍ତମାନ ଚାକିରିରୁ ମିଳୁଥିବା ଦରମା କଥା ଉଲ୍ଲେଖ କରନ୍ତୁ ନାହିଁ। ନୂଆ ଚାକିରିରେ ମିଳୁଥିବା ଦରମା ସହ ପୁରୁଣା ଚାକିରିରେ ମିଳିଥିବା ଦରମା ବାବଦରେ ଉଲ୍ଲେଖ କରନ୍ତୁ।

ଯଦି ଆପଣ ଆଇଟିଆରରେ ପୁରୁଣା ଚାକିରିରୁ ମିଳିଥିବା ଦରମା ବାବଦରେ ଉଲ୍ଲେଖ କରିବେ ନାହିଁ ତେବେ ଆପଣଙ୍କ ଟିଡିଏସ ସାର୍ଟିଫିକେଟ, ଫର୍ମ ୧୬ ଓ ଫର୍ମ ୨୬ ଏଏସ୍‌ରେ ଅନ୍ତର ଦେଖିବାକୁ ମିଳିବ।

ବ୍ୟକ୍ତିଗତ ସୂଚନା

ବ୍ୟକ୍ତିଗତ ସୂଚନା ଯେମିତି ନାମ, ଫୋନ ନମ୍ବର, ଇମେଲ ଆଇଡି, ଠିକଣା, ଜନ୍ମତିଥି ଆଦି ଭଳି ସୂଚନା ଦେବାବେଳେ ଅତିରିକ୍ତ ସତର୍କତା ଦେଖାନ୍ତୁ। ଆପଣଙ୍କୁ ପାନ୍‌ ନମ୍ବର ଅନୁସାରେ ହିଁ ଏହି ସବୁ ସୂଚନା ଦେବାକୁ ହେବ। ଯଦି ପ୍ୟାନ୍ ନମ୍ବରରେ ଏଭଳି କୌଣସି ସୂଚନାରେ ଭୁଲ ଥାଏ ତେବେ ତାକୁ ସଂଶୋଧନ କରନ୍ତୁ।

ବ୍ୟାଙ୍କ ଖାତା ବିବରଣୀ

ରିଟର୍ଣ୍ଣ ଦାଖଲ କରିବା ବେଳେ ସବୁ ବ୍ୟାଙ୍କ ଖାତାର ସଠିକ ସୂଟନା ଦିଅନ୍ତୁ। ଏହା ସବୁ କରଦାତାଙ୍କ ପାଇଁ ଜରୁରୀ। କେବଳ ରିଫଣ୍ଡ୍ ଆସିବାକୁ ଥିବା ବ୍ୟାଙ୍କ ଖାତାର ସୂଚନା ନୂହେଁ, ଆପଣଙ୍କର ଆଉ ଯେତୋଟି ବ୍ୟାଙ୍କ ଖାତା ଅଛି ସବୁର ସୂଚନା ଆୟକର ବିଭାଗକୁ ଦିଅନ୍ତୁ। ଯେଉଁ ଖାତାକୁ ରିଫଣ୍ଡ୍‌ ଆସିବା ଆପଣ ଚାହୁଁଛନ୍ତି ସେହି ଖାତାର IFSC କୋଡ୍ ସଠିକ ଲେଖନ୍ତୁ। ନହେଲେ ଆପଣଙ୍କ ରିଫଣ୍ଡ୍ ଅଟକି ପାରେ।

ସୁଧରୁ ଆୟ

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ ଆପଣ ଆୟକର ବିଭାଗକୁ ବିଭିନ୍ନ ଜମାରୁ ପାଇଥିବା ସୁଧ ବାବଦ ଆୟ ବିଷୟରେ ସୂଚନା ଦିଅନ୍ତୁ। ଆୟକର ଫାଇଲ ବେଳେ ଅନ୍ୟସ୍ରୋତରୁ ଆୟ ସେକ୍ସନରେ ଏସମ୍ପର୍କିତ ସୂଚନା ଦିଅନ୍ତୁ। କାରଣ କିଛି ସୁଧ ଆୟ ଉପରେ ଆପଣଙ୍କୁ ଟିଡିଏସ୍‌ ପରେ ମଧ୍ୟ ଅଲଗା ଟ୍ୟାକ୍ସ ଦେବାକୁ ପଡ଼ିପାରେ। ସାଧାରଣତଃ ସଞ୍ଚୟ ଖାତାରୁ ଯଦି ଆପଣ ବାର୍ଷିକ ୧୦ ହଜାରରୁ କମ ସୁଧ ପାଉଛନ୍ତି ତେବେ ଆପଣଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। କିନ୍ତୁ କିଛି ଫିକ୍ସଡ୍ ଡିପୋଜିଟ୍ କିମ୍ବା ସୁଧରୁ ଆୟ ଯଦି ୧୦ ହଜାରରୁ ଅଧିକ ହୋଇଥାଏ ଓ ଆପଣ ଯଦି ୨୦ରୁ ୩୦ ପ୍ରତିଶତ ଆୟକର ସ୍ଲାବ୍ ଭିତରେ ଆସୁଥାନ୍ତି ତେବେ ଆପଣଙ୍କୁ ଟିଡିଏସ ପରେ ମଧ୍ୟ ଟ୍ୟାକ୍ସ ଦେବାକୁ ପଡ଼ିବ। ତେଣୁ ସବୁବେଳେ ସୁଧରୁ ହେଉଥିବା ଆୟ ବାବଦରେ ସୂଚନା ଦିଅନ୍ତୁ। ଏଭଳି ସୂଚନାକୁ ଲୁଚାଇଲେ ଆୟକର ବିଭାଗ ଆପଣଙ୍କ ବିରୋଧରେ ନୋଟିସ ଜାରି କରିବା ସମ୍ଭାବନା ରହିଛି।

ଅପ୍ରାପ୍ତ ବୟସ୍କ କିମ୍ବା ଜୀନବସାଥୀଙ୍କ ନାମରେ ଥିବା ନିବେଶର ଉଲ୍ଲେଖ କରନ୍ତୁ

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ବେଳେ ନିଜ ଜୀବନସାଥୀ ଓ ପିଲାଙ୍କ ନାମରେ କରିଥିବା ନିବେଶର ଉଲ୍ଲେଖ କରନ୍ତୁ। ପିଲା ଓ ଜୀବନସାଥୀଙ୍କ ଆୟକୁ ନିଜ ଆୟ ସହ ଯୋଡ଼ିବାର ଆବଶ୍ୟକତା ରହିଛି। କାରଣ ଇନକମ୍‌ ଟ୍ୟାକ୍ସର ଗଣନା ସବୁ ଆମଦାନୀକୁ ମିଶାଇ କରାଯାଏ।

ସାଧାରଣତଃ ପିଲାଙ୍କ ଆୟକୁ ଅଭିଭାବକଙ୍କ ଆୟ ସହ ଯୋଡ଼ା ଯାଇଥାଏ। ଆୟକର ଆଇନର ସେକ୍ସସନ ୬୦ରୁ ୬୪ ପର୍ଯ୍ୟନ୍ତ ଆୟକୁ ମିଶାଇବା ବାବଦରେ କୁହାଯାଇଛି ।

ଯଦି ନାବାଳକ ପିଲାଙ୍କ ଆୟକୁ ଅଭିଭାବକଙ୍କ ଆୟ ସହ ଯୋଡାଯାଏ ତେବେ ଆୟକର ଆଇନ ସେକ୍ସନ ୧୦(୩୨) ହିସାବରେ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଦାବି କରିପାରିବେ।

ଦୁଇଟି ଘର ଆପଣଙ୍କ ନାମରେ ଥିଲେ କରିବେ?

ଯଦି ଆପଣଙ୍କ ପାଖରେ ଦୁଇଟି ଘର ଅଛି ତେବେ ଆୟକର ଆଇନ ଅନୁସାରେ ଆପଣ ଗୋଟିଏ ଘରେ ରହୁଥିବା ଦାବି କରିପାରିବେ। ଅନ୍ୟଘର ଖାଲି ଥିଲେ ମଧ୍ୟ ଆପଣଙ୍କୁ ଏକ ଆନୁମାନିକ ଭଡ଼ା ଦରରେ ଟ୍ୟାକ୍ସ ଦେବାକୁ ପଡ଼ିବ। ଆପଣଙ୍କୁ ନିଜର ମୋଟ ଆୟରେ ଖାଲି ଘରର ଆନୁମାନିକ ଭଡ଼ା ଦର ଯୋଡି ତା’ଉପରେ ଆୟକର ଦେବାକୁ ପଡ଼ିବ।

ଆୟ କମ ଥିଲେ ବି ରିଟର୍ଣ୍ଣ ଫାଇଲ କରନ୍ତୁ

ଆପଣଙ୍କ ଆୟ ଆୟକର ବ୍ରାକେଟ୍ ଭିତରକୁ ନଆସୁଥିଲେ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ କରନ୍ତୁ। ଏହା ଆଗକୁ ଆପଣଙ୍କୁ ବ୍ୟାଙ୍କ ଲୋନ୍ ଆଦି ମିଳିବାରେ ସାହାଯ୍ୟ କରିବ। ଲମ୍ବା ଅବଧିର ନିବେଶ, ଯେମିତି ମ୍ୟୁଚୁଆଲ ଫଣ୍ଡ୍, ସମ୍ପତ୍ତି, ସେୟାର ବିକ୍ରିରୁ ଆପଣ ପାଇଥିବା ଟଙ୍କା ଆୟକର ମୁକ୍ତ କିନ୍ତୁ ତଥାପି ଆପଣଙ୍କୁ ରିଟର୍ଣ୍ଣ ଫାଇଲ କରିବା ବେଳେ ଏସମ୍ପର୍କରେ ଉଲ୍ଲେଖ କରନ୍ତୁ।

ଆଇଟିଆର ସଂଶୋଧନ

ଆଇଟିଆର ଫାଇଲ କରିବା ପରେ ଯଦି କୌଣସି ଭୁଲ ଆପଣଙ୍କ ନଜରକୁ ଆସେ ତେବେ ଆପଣଙ୍କୁ ରିଭାଇଜ୍ କରିବାକୁ ପଡ଼ିବ। ଏଭଳି ଭ୍ରମ ସଂଶୋଧନ ପାଇଁ ଆପଣଙ୍କୁ ମୌକା ମିଳିଥାଏ। ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ଦୁଇ ବର୍ଷ ଭିତରେ ଆପଣ ରିଟର୍ଣ୍ଣରେ ସଂଶୋଧନ କରିପାରିବେ।