କିଶୋର ଶତପଥୀ

ଶରତ ନାମଧାରୀ ଅନେକ ବ୍ୟକ୍ତି ଅଛନ୍ତି। କିନ୍ତୁ ଆମେ ସବୁ ଯେତେବେଳେ ଶରତ ସାହୁଙ୍କ କଥା କହୁ ସେତେବେଳେ ସମସ୍ତେ ବୁଝନ୍ତି ଯେ ଏ ହେଉଛନ୍ତି ରୁଚିର ଶରତ ସାହୁ। ରୁଚି ଏବଂ ଶରତ ଗୋଟିଏ ମୁଦ୍ରାର ଦୁଇଟି ପାଖ କହିଲେ ଭୁଲ୍‌ ହେବ ନାହିଁ। ଉତ୍ପାଦନ କିମ୍ବା ଉତ୍ପାଦକ ଏହା ମଧ୍ୟରେ କିଏ ଶ୍ରେଷ୍ଠ ତାହା କହିବା ମୁସ୍କିଲ୍‌। ଶରତ ସାହୁ ଆଜି ରୁଚି ମସଲାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ଥିବା ବେଳେ ରୁଚି ମଧ୍ୟ ଶରତଙ୍କୁ ବ୍ୟବସାୟ ଏବଂ ଶିଳ୍ପ କ୍ଷେତ୍ରରେ ସୁନାମ ଆଣି ଦେଇଛି।

Ruchi founder Sarat Sahoo

ଶରତଙ୍କର ଗୋଟିଏ ମନ୍ତବ୍ୟ ମତେ ବହୁତ ପ୍ରଭାବିତ କରିଛି। ତାହା ହେଲା- ‘‘ପ୍ରତିବର୍ଷ ମୋର ଦଶ ପ୍ରତିଦ୍ୱନ୍ଦ୍ୱୀ ଜନ୍ମ ନେଉଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ନଅ ଜଣଙ୍କର ମୃତ୍ୟୁ ହୋଇଯାଉଛି।’’ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମସଲା ବ୍ୟବସାୟ କ୍ଷେତ୍ରରେ ଶରତ ପ୍ରତିଦ୍ୱନ୍ଦ୍ୱିତାକୁ ସ୍ୱାଗତ କରନ୍ତି। ସେ ଜାଣନ୍ତି ପ୍ରତିଦ୍ୱନ୍ଦ୍ୱିତା ନ ରହିଲେ ଦ୍ରବ୍ୟର ମାନରେ ବୃଦ୍ଧି ଘଟିବ ନାହିଁ। ପ୍ରତିଦ୍ୱନ୍ଦ୍ୱୀମାନେ ଅପସରି ଯିବାରେ କ୍ଷୋଭ କରି ଶରତ କୁହନ୍ତି ଯେ, କେବଳ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିଳ୍ପନୀତି ଏବଂ ପୁଞ୍ଜି ପ୍ରଦାନରେ କୁଣ୍ଠାଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉ ନାହିଁ। ଏଥିପାଇଁ ଉଦ୍ୟୋଗୀମାନଙ୍କ ଦୁର୍ବଳ ମନୋବଳ ଏବଂ ନିଷ୍ଠାର ଅଭାବ ମଧ୍ୟ ଦାୟୀ। ଏହା କେବଳ ସେହି ବ୍ୟକ୍ତି କହିପାରିବ ଯେ କି ଜୀବନ ସଂଗ୍ରାମରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ତାହାକୁ ହଟାଇଛି ଏବଂ ସଫଳତାକୁ ନିଜର ନିଷ୍ଠା ଏବଂ ବୁଦ୍ଧି ବଳରେ ଜୟ କରିଛି। ୧୯୭୬ ମସିହାରେ ମାତ୍ର ୨୫୦ ଟଙ୍କା ପୁଞ୍ଜିରେ ତିନି ଜଣଙ୍କୁ ନେଇ ଗଢ଼ି ଉଠିଥିବା ରୁଚି କୁଟୀର ଶିଳ୍ପ ଆଜି ଦେଶର ମସଲା ଶିଳ୍ପ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବେଳେ ଆନ୍ତର୍ଜାତୀୟ ମସଲା ଶିଳ୍ପର ମାନଚିତ୍ରରେ ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛି। ୨୫୦ରେ ଶରତ କେତେ ଶୂନ ଏହା ମଧ୍ୟରେ ଲଗାଇଲେଣି ଏବଂ ୩ରେ କେତେ ଜଣ ଯୋଡ଼ି ହୋଇଗଲେଣି ତାହା ହୁଏତ ସେ ଏବେ ହଠାତ୍‌ କହିପାରିବେ ନାହିଁ।

business card_Udyog

ଅଧ୍ୟବସାୟ ବଳରେ କ’ଣ ହାସଲ କରାଯାଇପାରିବ ତାହା କରି ଶରତ ଦେଖାଇ ଦେଇଛନ୍ତି। ତାଙ୍କୁ ଦେଖିଲେ କେହି ଭାବିବ ନାହିଁ ଯେ ବ୍ୟବସାୟ ପାଇଁ ଏତେ ବୁଦ୍ଧି ମୁଣ୍ଡରେ ରୁନ୍ଧି ହୋଇରହିଛି। ଶ୍ୟାମଳ ବର୍ଣ୍ଣର ମଧ୍ୟମ ଉଚ୍ଚତାର ଲୋକଟିଏ। ଚାଲି ଠାଣି ନାହିଁ, କିନ୍ତୁ ଶାଳିନତା ରହିଛି। କଥା କହିବାରେ ଚାତୁରୀ ନାହିଁ, କିନ୍ତୁ ନମ୍ରତା ରହିଛି। ବ୍ୟବହାରରେ ଅହଂକାର ନାହିଁ, ଆପଣେଇ ନେବାର ପ୍ରବଳ ଇଚ୍ଛା ରହିଛି। ତାଙ୍କୁ ଦେଖିଲେ ଗୋଟିଏ ବାକ୍ୟରେ କହିହେବ ସେ ହେଉଛନ୍ତି ଥଣ୍ଡା ଲୁହା, ତେଣୁ ଯେତେ ଗରମ ଲୁହା ତାଙ୍କ ସମ୍ମୁଖକୁ ଆସିଛି ସବୁ କାଟି ଦେବାର ଶକ୍ତି ତାଙ୍କର ରହିଛି। ଏଥିପାଇଁ ସେ ଆଜି ମାଟିରୁ ଉଠି ମହାନ ହୋଇପାରିଛନ୍ତି। ଶରତଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ହେଉଛି ଯେ, ପ୍ରଥମେ ସେ ଜଣେ ମାନବବାଦୀ,  ପରେ ଶିଳ୍ପପତି। ମଣିଷକୁ ଭଲ ପାଉଥିବାରୁ ସେ ନିଜର ଦ୍ରବ୍ୟ ସହିତ ଲାଭ ନିମନ୍ତେ ସାଲିସ କରିନାହାନ୍ତି। ଆମେ ମସଲା କିଣିବା ବେଳେ ଏତେ ମଧ୍ୟ କହୁ ଯେ, ହଳଦୀଗୁଣ୍ଡରେ କରତ ଗୁଣ୍ଡ, ଚାଉଳରେ ସରୁ ଗୋଡ଼ି, ଚିନିରେ ସାର, ସୋରିଷରେ ସେପରି କ’ଣ ଗୋଟାଏ ମଞ୍ଜି ମିଶାଇ ବ୍ୟବସାୟୀ ଲାଭ କରୁଛି। ବିଶୁଦ୍ଧ ଗୁଆଘିଅ, ତଳେ ଛୋଟ ଛୋଟ ଅକ୍ଷରରେ ଲେଖାଥିବା କେବଳ ଠାକୁରଙ୍କ ପାଖରେ ଦୀପରେ ଜାଳିବା ପାଇଁ। ଏପରି ଅନେକ ଅପମିଶ୍ରଣ କାହାଣୀ ଆମେ ସମ୍ବାଦପତ୍ରରେ ପଢ଼ିଛେ ଏବଂ ଏବେ ମଧ୍ୟ ପଢ଼ୁଛେ। ରୁଚିର ୪୩ ବର୍ଷ ଇତିହାସରେ ଆମେ ଯେପରି ଅପବାଦ ପଢ଼ିବା କଥା ଦୂରେ ଥାଉ ଶୁଣିନେ। ତେଣୁ ଏକ ଉତ୍ତମ ଭିତ୍ତିଭୂମି ଉପରେ ରୁଚିକୁ ସେ ଗଢ଼ିଥିବାରୁ ତାହା କିପରି ଅରୁଚିକର ହେବ?

Ruchi founder Sarat Sahoo

ଶରତଙ୍କର ଏହି ମହାନ ଆଦର୍ଶ ଜାଣିବା ପରେ ଓଡ଼ିଶାର ଆଉ ଜଣେ ମହାନ ଶିଳ୍ପପତିଙ୍କ କଥା ମନେପଡ଼ିଯାଇଛି। ସେ ଚମଡ଼ା ଶିଳ୍ପ ପ୍ରତିଷ୍ଠା କରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଉତ୍ତମ ମାନର ଚମଡ଼ା ପ୍ରସ୍ତୁତ କରି ଜୋତା କମ୍ପାନୀକୁ ଯୋଗାଇବେ। ଏହା ଫଳରେ ଓଡ଼ିଶାର ଦଳିତ ଶ୍ରେଣୀର ଲୋକେ ଉପକୃତ ହୋଇପାରିବେ। ନିଜର ଓକିଲାତି ବ୍ୟବସାୟରୁ ତାଙ୍କର ଯାହା ଆୟ ହେଉଥିଲା ତାହା ତାଙ୍କର ଚଳିବାକୁ ଯଥେଷ୍ଟ ଥିଲା। ଉତ୍କଳ ଟାନେରୀରେ ଚମଡ଼ା ପ୍ରସ୍ତୁତ ହେଉଥିଲା। ଏହା ପ୍ରତିଷ୍ଠା କରିବାକୁ ସେ ଋଣ କରିଥିଲେ। କିନ୍ତୁ ଥରେ ଚମଡ଼ା ଟାନିଂରେ ଖରାପ ହେବାରୁ ସବୁ ଚମଡ଼ା ସେ ପୋଡ଼ିଦେଲେ। ଋଣରେ ଡୁବିଗଲେ। ସମ୍ପତ୍ତି ନିଲାମ ହୋଇଗଲା। ଏହା ସତ୍ତ୍ୱେ ବି ସେ ମାନ ସହିତ ସାଲିସ୍‌ କରିନଥିଲେ। ଏହାର ଏକମାତ୍ର କାରଣ ଥିଲା ତାଙ୍କର ସ୍ୱାଭିମାନ ଏବଂ ଜାତିର ସମ୍ମାନ। ସେହି ମହାନ ବ୍ୟକ୍ତି ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଶରତ ବୋଧେ ତାଙ୍କରି ଆଦର୍ଶକୁ ଆପଣେଇ ନେଇଛନ୍ତି। ମସଲା ବଜାରରେ ‘ରୁଚି’ ପ୍ରତି ଯେଉଁ ରୁଚି ରହିଚି ତାହା ଯେପରି ଅରୁଚି ନୁହେଁ ସେଥିପ୍ରତି ସେ ସବୁବେଳେ ସତର୍କ ରହିଛନ୍ତି। ଦେଶ ଏବଂ ବିଦେଶ ବଜାରରେ କେହି ନ କହୁ ଯେ ଓଡ଼ିଆ ବ୍ୟବସାୟୀ ଅପମିଶ୍ରିତ ମସଲା ବିକି ଲାଭ ଉଠାଉଛି ଏବଂ ଲୋକଙ୍କ ସ୍ୱାସ୍ଥ୍ୟହାନୀ କରୁଛି। ଏହା ହେଲେ ସେ ବର୍ଷ ବର୍ଷ ଧରି ଯେଉଁ ସମ୍ମାନ ନିଜ ପାଇଁ ଏବଂ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଅର୍ଜନ କରିଛନ୍ତି ତାହା ଧୂଳିସାତ୍‌ ହୋଇଯିବ। ଅର୍ଥ ଆସିବ ଯିବ, କିନ୍ତୁ ମାନ ଗଲେ ଆଉ ମିଳିବା ସେତେ ସହଜ ନୁହେଁ। ଶରତଙ୍କର ଏହି ଉଚ୍ଚ ଆଦର୍ଶ ଏବଂ ମୌଳିକ ମୂଲ୍ୟବୋଧ ପାଇଁ ସେ କେବଳ ନିଜ ପାଇଁ ପରିଚୟ ସୃଷ୍ଟି କରିନାହାନ୍ତି, ପ୍ରତ୍ୟେକ ଓଡ଼ିଆ ନିମନ୍ତେ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ଆମେ ଯେତେବେଳେ ବାହାରକୁ ବୁଲିବାକୁ ଯାଉଛେ ଯଦି ସେହି ବଜାରରେ ରୁଚି ପ୍ୟାକେଟ୍‌ଟିଏ ଦେଖୁଛେ ତେବେ ଆମ ମନରେ ଆନନ୍ଦ ଜାତ ହେଉଛି। ଏପରି ମଧ୍ୟ ହୋଇଛି ଯେ ବାହାର ରାଜ୍ୟରେ ଥିବା ବନ୍ଧୁଙ୍କ ଘରେ ଖାଇବା ପରେ ଯଦି ଆମେ ତାଙ୍କ ରାନ୍ଧଣାକୁ ପ୍ରଶଂସା କରୁଛେ ତେବେ ସେ କହୁଛନ୍ତି ଏହା ଆମ ହାତର କମାଲ ନୁହେଁ ଭାଇ ସାହେବ, ଏହା ଆପଣଙ୍କ ଓଡ଼ିଶାର ରୁଚି ମସଲାର କମାଲ୍‌। ଏହା ଶୁଣିଲେ ଶରତଙ୍କ ପ୍ରତି ଆପେ ଆପେ ମନରେ ପ୍ରଶଂସାର ଭାଷା ଫୁଟି ଉଠେ। ଇଚ୍ଛା ହୁଏ ମୁଣ୍ଡରେ ହାତରଖି ଆଶୀର୍ବାଦ ବର୍ଷା କରିଦେବାକୁ।

Ruchi founder Sarat Sahoo

ଶରତଙ୍କର ଏହି ସଫଳତା ପଛରେ କେବଳ ମସଲାର ଚମତ୍କାରିତା ଯେ କେବଳ ଅଛି ତାହା ନୁହେଁ। ସେ ଯେପରି ମସଲା ପ୍ରସ୍ତୁତ କରିବାରେ ଉତ୍ତମ ଭାଗମାପ ରଖନ୍ତି ଏବଂ ଉତ୍ତମ ଦ୍ରବ୍ୟ ବାଛି ବାଛି ସଂଗ୍ରହ କରନ୍ତି, ଠିକ୍‌ ସେହିପରି କର୍ମଚାରୀ ନିଯୁକ୍ତିରେ ମଧ୍ୟ ଉତ୍ତମ ବ୍ୟକ୍ତିମାନଙ୍କୁ ବାଛନ୍ତି। ତାଙ୍କ ମୁଖମଣ୍ଡଳର ସରଳତାକୁ ଦେଖି ଆମେ ଭୁଲିଯିବା ଉଚିତ ନୁହେଁ ଯେ, ମୁହଁରେ ଏକଯୋଡ଼ା ସତର୍କ ଚକ୍ଷୁ ରହିଛି। ସେହି ଚକ୍ଷୁରେ ଏପରି ତେଜ ରହିଛି ଯାହାକି ସମ୍ମୁଖରେ ବସିଥିବା ବ୍ୟକ୍ତିର ହୃଦୟରେ ପ୍ରବେଶ କରି କ’ଣ ରହିଛି ତାହା ଜାଣିନିଏ। ଅବଶ୍ୟ ଏ ସମ୍ପର୍କରେ ସେ କେବେବି ଆସ୍ଫାଳନ କରନ୍ତି ନାହିଁ। ତାଙ୍କର ଯାହା କିଛି ହୋଇଛି ତାହା ପିତାମାତାଙ୍କ ସ୍ୱୀକୃତି ଏବଂ ପ୍ରଭୁ ଲକ୍ଷେଶ୍ୱରଙ୍କ ଆଶୀର୍ବାଦ ଯୋଗୁ। ତେଣୁ ସଫଳତାର ଶ୍ରେୟ ତାଙ୍କର ନୁହେଁ, ସେମାନଙ୍କର ବୋଲି ଅତି ନମ୍ର ଭାବେ ସେ କୁହନ୍ତି।

ଶରତଙ୍କ ମନର ଆକାଶରେ ସବୁବେଳେ ଆଶାର ବାଦଲ ଏବଂ ଓଠରେ ଚେନାଏ ସରୁ ହସ ଲାଗି ରହିଥାଏ। ଜୀବନଟା ଏତେ ସହଜ ନୁହେଁ। ସମସ୍ତେ ଏହା ଜାଣନ୍ତି, କିନ୍ତୁ ଅନେକ ହୁଏତ ଜାଣନ୍ତି ନାହିଁ ଯେ, ଜୀବନ ମାର୍ଗରେ ଦୁଇ ଶକ୍ତିଙ୍କ ମଧ୍ୟରେ ଅହରହ ସଂଗ୍ରାମ ଚାଲିଛି। ତାହା ହେଉଛି ଆଶା ଏବଂ ମୃତ୍ୟୁ। ମୃତ୍ୟୁ ସହିତ ଯଦି ସଂଗ୍ରାମ କରିବ ତେବେ ସବୁ ନକାରାତ୍ମକ ସମ୍ପର୍କ ତୁମ ଆଗରେ ଓଜାଡ଼ି ହୋଇପଡ଼ିବ। ତାହା ଏପରି ଭାରି ହୋଇଯିବ ଯେ ଆଉ ମାଟିରୁ ଉଠିବା ସମ୍ଭବ ହେବ ନାହିଁ। ଆଶା ସହିତ ସଂଗ୍ରାମ କଲେ ସକାରାତ୍ମକ ବିଚାର ତୁମର ନିଷ୍ପତ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିବ ଏବଂ ସଫଳତା ତୁମର ଦ୍ୱାରବନ୍ଧରେ ଆସି କରାଘାତ କରିବ। ଏହା ହେଲେ ତୁମ ଓଠରେ ସବୁବେଳେ ଚେନାଏ ସରୁ ହସ ଲାଗି ରହିବ। ମୃତ୍ୟୁର ଅସ୍ତ୍ର ନୈରାଶ୍ୟ ହୋଇଥିବା ବେଳେ ଆଶାର ଅସ୍ତ୍ର ହେଉଛି ହସ। ଜୀବନର ଏହି ଦ୍ୱିତୀୟ ସଂଗ୍ରାମରେ ଶରତ ରତ ହୋଇଥିବାରୁ ସଫଳତା ତାଙ୍କର ବଶୀଭୂତ ହୋଇଛି। ସେ ଆଜି ମାଟିରୁ ଉଠି ନଭଶ୍ଚୁମ୍ବୀ ହୋଇପାରିଛନ୍ତି।

ଓଡ଼ିଶାରେ ଅନେକ ଶରତ ସାହୁ ଥିଲେ, ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଜନ୍ମ ହେବେ। ଆଧୁନିକ ଓଡ଼ିଶାର ରନ୍ଧନ ମସଲାର ଇତିହାସ ଯଦି ଲେଖାଯାଏ ତେବେ ଏହି ଶରତ ସାହୁଙ୍କ ନାମ ବୋଧେ ସର୍ବପ୍ରଥମେ ରହିବ। କାରଣ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଆ ଯିଏକି ଖାଲି ଭାରତ ନୁହେଁ ବିଦେଶରେ ମଧ୍ୟ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଶରତ ବାବୁଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ରୁଚି ମସଲା ଆଜି ଭାରତର ପ୍ରାୟତଃ ସବୁ ପ୍ରଦେଶରେ ବ୍ୟବସାୟ ଆରମ୍ଭ କରିଛି। ଏଥି ସହିତ ବିଦେଶରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥିତି ସୃଷ୍ଟି କରି ପାରିଛି। ମସଲା ବ୍ୟବସାୟ ଓଡ଼ିଶାର ଏକ ପ୍ରାଚୀନ ବ୍ୟବସାୟ। ଓଡ଼ିଆ ସାଧବପୁଅ ଏହି ମସଲା ନେଇ ବିଦେଶକୁ ଯାଉଥିଲା। ଜାଭା, ସୁମାତ୍ରା, ଶ୍ରୀଲଙ୍କା ସମେତ ଦୂର ପ୍ରାଚ୍ୟ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଓଡ଼ିଶା ମସଲାର ବେଶ ଚାହିଦା ଥିଲା। ଆଜି ଓଡ଼ିଶାର ସେହି ପ୍ରାଚୀନ ବ୍ୟବସାୟ ଶରତ ବାବୁଙ୍କ ଉଦ୍ୟମ ଫଳରେ ସଫଳତାର ସହ ଆଗେଇ ଚାଲିଛି। ତାଙ୍କୁ ଯଦି ଓଡ଼ିଶାର ଆଧୁନିକ ମସଲା ବ୍ୟବସାୟର ପଥପ୍ରଦର୍ଶକ କୁହାଯାଏ, ତାହା ବୋଧେ ସତ୍ୟର ଅପଳାପ ହେବ ନାହିଁ।

Ruchi Product

ଏହି ବ୍ୟବସାୟ ଆରମ୍ଭ କଲାବେଳେ ହଜାର ଟଙ୍କାର ପୁଞ୍ଜି ତାଙ୍କ ହାତରେ ନଥିଲା। ଆଜି କିନ୍ତୁ ତାଙ୍କ ମସଲା ବ୍ୟବସାୟର ସାମ୍ରାଜ୍ୟ ବହୁ ଶହ କୋଟି ଟଙ୍କାରେ ପହଞ୍ଚିପାରିଛି। ଏହା ସମ୍ଭବ ହୋଇଛି ତାଙ୍କର ନିଷ୍ଠା ଏବଂ ସଚ୍ଚୋଟତା ଯୋଗୁଁ। ନିଜ ଘରେ ବାପମାଙ୍କ ସାହାଯ୍ୟରେ ସେ ଯେଉଁ ମସଲା ଶିଳ୍ପକୁ ଏକ କୁଟୀର ଶିଳ୍ପ ଭାବେ ଆରମ୍ଭ କରିଥିଲେ ତାହା ଏବେ ଅତ୍ୟାଧୁନିକ ମେସିନରେ ପ୍ରସ୍ତୁତ କରାଯାଉଛି। ଶରତ ବାବୁ ସତୁରୀ ଦଶକର ପ୍ରାରମ୍ଭରେ ମସଲା ବ୍ୟବସାୟ ଆରମ୍ଭ କଲା ବେଳେ ବ୍ୟାଗ୍‌ରେ, ସାଇକେଲରେ ନିଜେ ମସଲା ନେଇ ଦୋକାନରେ ଦେଉଥିଲେ। ଆଜି ଟ୍ରକରେ, ଜାହାଜରେ ମସଲା ରପ୍ତାନୀ ହେଉଛି। ଏହି ସଫଳତାର ପଛରେ ରହିଛି ତାଙ୍କର ନମ୍ର ବ୍ୟବହାର। ଆରମ୍ଭ ବେଳେ ବିଶେଷ କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ। ଏବେ କିନ୍ତୁ ରାଜ୍ୟଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟରେ ରୁଚି ମସଲା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବହୁ ମସଲା କମ୍ପାନୀ ଗଢ଼ି ଉଠିଲାଣି। ବିଶେଷକରି ଟାଟା କମ୍ପାନୀ ରନ୍ଧନ ମସଲା ପ୍ରସ୍ତୁତ କରିବା ପରେ ଅନ୍ୟ ମସଲା ବ୍ୟବସାୟୀଙ୍କ ପରି ଶରତ ବାବୁ ମଧ୍ୟ ଚିନ୍ତିତ ହୋଇପଡ଼ିଥିବେ ବୋଲି ଅନେକ ଭାବିଥିଲେ। ତାଙ୍କର ମନୋଭାବରୁ କିନ୍ତୁ ଜଣାପଡ଼େ ସେ ଯେପରି ଆଦୌ ବ୍ୟସ୍ତ ନୁହଁନ୍ତି। ଏହାର କାରଣ ହୁଏତ ଏହା ହୋଇପାରେ ଯେ ବଜାରରେ ଯଦି ପ୍ରତିଦ୍ୱନ୍ଦ୍ୱିତା ନରହେ ତେବେ ପଦାର୍ଥର ମାନରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ତେଣୁ ପ୍ରତିଦ୍ୱନ୍ଦ୍ୱିତା ଯେତେ କଠୋର ହେବ ଦ୍ରବ୍ୟ ସେତେ ଭଲ ହେବ। ଯଦି ଏହା ଶରତ ବାବୁଙ୍କର ଲକ୍ଷ୍ୟ ହୋଇଥାଏ ତେବେ ରୁଚି ତାହାର ମାନ ବଜାରରେ ବଜାୟ ରଖିବ ବୋଲି ଆଶା କରାଯାଏ।

ବିଗ୍‌ ବଜାର ହେଉ ବା ଅନ୍ୟ କୌଣସି ମିଲ୍‌ ହେଉ ତାହା ମଧ୍ୟରେ ପ୍ରବେଶ କରି ଖାଉଟୀ ଯଦି ମସଲା ରାକ୍‌ ଆଡ଼କୁ ଯାଏ ତେବେ ଦେଶର ବିଭିନ୍ନ ମସଲା ପ୍ୟାକେଟ୍‌ ସହିତ ରୁଚିର ପ୍ୟାକେଟ୍‌ ମଧ୍ୟ ଦେଖିବାକୁ ପାଏ। ଏହା ଦେଖିବା ମାତ୍ରେ ସେହି ସରଳ ଓ ନିରୀହ ବ୍ୟକ୍ତିର ମୁହଁଟି ଚକ୍ଷୁ ସାମ୍ନାକୁ ଚାଲିଆସେ। ତାଙ୍କ ଆଖିରେ ସଫଳତାର ଅହଙ୍କାର କେହି କେବେ ବି ଦେଖିନାହିଁ। କିନ୍ତୁ ସେ ଆଖିରେ ରହିଛି ଏକ ସ୍ୱତନ୍ତ୍ର ଚମକ। ସେହି ଚମକକୁ ଯଦି ଅନୁଧ୍ୟାନ କରାଯାଏ ତେବେ ସେଥିରେ ଭୟର ସଙ୍କେତ ମିଳେ। ଏହି ଭୟ ହିଁ ବ୍ୟକ୍ତିକୁ କଠୋର ପରିଶ୍ରମ କରିବାକୁ ପ୍ରେରଣା ଦେଇଥାଏ। ଯାହା ଆମେ ଶରତ ବାବୁଙ୍କ ମଧ୍ୟରେ ଦେଖିବାକୁ ପାଇଥାଉ। ସେ ଏହା ଭଲ ଭାବେ ଜାଣନ୍ତି ଯେ ଭୟରୁ ହିଁ ସାହସର ସୃଷ୍ଟି। ଏହି ସାହସ ହିଁ ଦୁନିଆରେ ତିଷ୍ଠିବା ପାଇଁ ସାହାଯ୍ୟ କରିଥାଏ। ଶରତ ବାବୁ ଆଜି ସେହି ଅମାପ ସାହସର ଅଧିକାରୀ ହୋଇଥିବାରୁ ରୁଚି ପ୍ରଗତିର ମାର୍ଗରେ ଆଗେଇ ଚାଲିଛି। ଏହାର ଲୋକପ୍ରିୟତାର ସୀମା ବୃଦ୍ଧି ପାଇଚାଲିଛି। ଏହି ସାଧନାକୁ ଅବ୍ୟାହତ ରଖିବା ପାଇଁ ରୁଚିର ଉତ୍ତରପିଢ଼ିକୁ ସେ ପରାମର୍ଶ ଦେଇଯିବା ଉଚିତ।

sarat sahoo

ଶରତ ବାବୁଙ୍କ ଉଦ୍ୟମରେ ରୁଚି କେବଳ ବ୍ୟବସାୟିକ ସଫଳତା ପଛରେ ନଧାଇଁ ସମାଜର ଅନ୍ୟାନ୍ୟ କ୍ଷେତ୍ର ଏବଂ ବିଶେଷକରି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ପୁରସ୍କାର ବ୍ୟବସ୍ଥାର ପ୍ରବର୍ତ୍ତନ କରିଛି। ଏହାବାଦ ସମାଜର ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରୁଛି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅକାତରେ ରୁଚି ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଉଛି।

ଶରତ ବାବୁଙ୍କ ମସଲା ବ୍ୟବସାୟ ଆଜି ଯେଉଁ ଶିଖରଦେଶରେ ପହଞ୍ଚିଛି ତାହା ଏକ ସ୍ୱପ୍ନର ସଫଳତା ବୋଲି ଯଦି କୁହାଯାଏ ତାହା ବୋଧେ ଯଥାର୍ଥ ହେବ। କାରଣ ଘରେ ବାପ, ମା ଏବଂ ନିଜେ ବସି ମସଲା ପ୍ରସ୍ତୁତ କଲାବେଳେ ଶରତ ବାବୁ କଦାପି ଭାବିନଥିବେ ଯେ ଘରର ଗୁଜୁରାଣ ମେଣ୍ଟାଇବାକୁ ସେ ଏହା କରୁଛନ୍ତି। ତାଙ୍କ ମନରେ ଏକ ସ୍ୱପ୍ନ ଥିବ ଯେ ଏହି ମସଲାକୁ ସେ କଟକ, ରାଜ୍ୟ ଏବଂ ରାଜ୍ୟ ବାହାରେ ନେଇ ବ୍ୟବସାୟ କରିବେ। ଚାକିରି କରିଥିଲେ ହୁଏତ ନିଜ ପରିବାରକୁ ସେ ଚଳାଇଥାଆନ୍ତେ। ଆଜି କିନ୍ତୁ ସେ ଚାକିରି ନ କରି ବହୁ ଶହ ପରିବାରକୁ ଚଳାଉଛନ୍ତି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବହୁ ହଜାର ବ୍ୟକ୍ତି ଆଜି ନିଜର ଗୁଜରାଣ ନିମନ୍ତେ ରୁଚି ଉପରେ ନିର୍ଭର କରୁଛନ୍ତି।

ମସଲା ବ୍ୟବସାୟ ଓଡ଼ିଶାର ଏକ ପୁରୁଣା ତଥା ସମ୍ମାନଜନକ ବ୍ୟବସାୟ ଭାବେ ପରିଗଣିତ। ଅତୀତରେ ଏହି ମସଲା ବ୍ୟବସାୟ ମାଧ୍ୟମରେ ଭାରତରେ ୟୁରୋପୀୟ ଶକ୍ତି ଉପନିବେଶ ପ୍ରତିଷ୍ଠା କରିଥିଲେ। ଓଡ଼ିଶାର ମସଲା ଆଜି କେରଳ, ଉତ୍ତର ଏବଂ ଦକ୍ଷିଣ ଭାରତର ମସଲା ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ମସଲା ବ୍ୟବସାୟର ମାର୍ଗ ପ୍ରଶସ୍ତ କିନ୍ତୁ କ୍ଷେତ୍ରରେ ରହିଛନ୍ତି ବହୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ତାହାର ସମ୍ମୁଖୀନ ହୋଇ ରୁଚି କିପରି ନିଜର ସ୍ୱତନ୍ତ୍ରତା ବଜାୟ ରଖିବ, ବର୍ତ୍ତମାନ ତାହା ଶରତ ବାବୁ ଏବଂ ତାଙ୍କର ସହଯୋଗୀମାନଙ୍କ ନିମନ୍ତେ ଏକ ଆହ୍ୱାନ।

ନିଜେ ପ୍ରତିଭାଧର ହୋଇଥିବାରୁ ସେ ପ୍ରତିବର୍ଷ ରୁଚିର ବାର୍ଷିକ ଉତ୍ସବରେ ଓଡ଼ିଶାର ଉଜ୍ଜ୍ୱଳ ତାରକାମାନଙ୍କୁ ସମ୍ମାନିତ କରିଆସୁଛନ୍ତି। ମାଟ୍ରିକର ଟପ୍ପର ଛାତ୍ର ଓ ଟପ୍ପର ଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଓ ଅନ୍ୟାନ୍ୟ ସେବାରେ କୃତିତ୍ୱ ଅର୍ଜନ କରିଥିବା ଯୁବକଯୁବତୀମାନଙ୍କୁ ସେ ସମ୍ମାନିତ କରନ୍ତି। କେବଳ ସେତିକି ନୁହେଁ, ନିଜର କାର୍ଯ୍ୟ ନିମନ୍ତେ ଯେଉଁ ଓଡ଼ିଆମାନେ ଦେଶ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି, ସେମାନଙ୍କୁ ସେ ରୁଚି ଗୌରବ ସମ୍ମାନରେ ସମ୍ମାନିତ କରୁଛନ୍ତି। କଥାରେ ଅଛି, ଯିଏ ସୁନ୍ଦର ସେ ସୁନ୍ଦର ସୃଷ୍ଟି କରେ। ସେହିପରି ଯିଏ ଗୌରବମୟ ସେ ମଧ୍ୟ ଗୌରବ ପ୍ରଦାନ କରିବାରେ କୁଣ୍ଠିତ ହେବ ନାହିଁ। ଶରତଙ୍କ କ୍ଷେତ୍ରରେ ଏହାର ପ୍ରତିଫଳନ ହୋଇଥିବା ଲକ୍ଷ୍ୟ କରାଯାଏ। ଯାହାର ଯୋଗ୍ୟତା ଅଛି ତା’କୁ ପ୍ରଶଂସା କରିବାରେ ଏତେ ଦ୍ୱିଧା କାହିଁକି?

ମହାଭାରତରେ କର୍ଣ୍ଣଙ୍କର ଏକ ଉକ୍ତି ଶରତଙ୍କୁ ଦେଖିବା ପରେ ମନରେ ଆସିଥିଲା। ତାହା ହେଲା, ଉଚ୍ଚ କୁଳରେ ଜାତ ହେବା ଦୈବର ଅଧିନ, କିନ୍ତୁ ପୁରୁଷାକାର ମୋର ଅଧିନ। ଶରତ ତାହା କରି ଦେଖାଇ ଦେଇଛନ୍ତି। ଜନ୍ମ ତାଙ୍କର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ, ପାଠରେ ଜଣେ ଅତି ସାଧାରଣ ଛାତ୍ର, କିନ୍ତୁ ଛାତି ଭିତରେ ପ୍ରଚୁର ମନବଳ। ବ୍ୟବସାୟ କରିବାକୁ ଯେଉଁ ଉତ୍ତର, ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ଆବଶ୍ୟକ ତାହା ତାଙ୍କର ନଥିଲା। ଅର୍ଥାତ୍‌ ଉତ୍ତର ହେଉଛି ସେ କୌଣସି ପ୍ରତିଷ୍ଠିତ ବ୍ୟବସାୟ ଶିକ୍ଷା ପ୍ରତିଷ୍ଠାନରୁ ଡିଗ୍ରୀ ଆଣିନାହାନ୍ତି। ପୂର୍ବର ଅର୍ଥ ହେଉଛି, ତାଙ୍କ ବାପା ଜଣେ ଛୋଟିଆ ହୋଟେଲ ଚଳାଉଥିଲେ। ନଚେତ୍‌ ଆଉ କେହି ସେପରି ବଡ଼ ବ୍ୟବସାୟୀ ନଥିଲେ, ଯାହାର ପଦାଙ୍କ ଅନୁସରଣ କରିବେ। ପଶ୍ଚିମର ଅର୍ଥ ହେଉଛି ସରକାରୀ କିମ୍ବା ବ୍ୟକ୍ତିଗତ ସ୍ତରରେ ତାଙ୍କୁ ସାହାଯ୍ୟ କରିବାକୁ କେହି ନଥିଲେ ଏବଂ ଦକ୍ଷିଣର ଅର୍ଥ ହେଉଛି ପୁଞ୍ଜି ମାତ୍ର ଅଢ଼େଇ ଶହ ଟଙ୍କା। ଏହାକୁ ନେଇ ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଥିବା ଯୁବକ ଯେ କେତେ ପରିହାସର ସମ୍ମୁଖୀନ ହୋଇଥିବେ କେବଳ ସେ ଜାଣନ୍ତି। ତାଙ୍କର ମନବଳ ଏପରି ଦ୍ରବ୍ୟରେ ତିଆରି ଯେ ସବୁ ପରିହାସ, ଉପହାସ ଏବଂ ସମାଲୋଚନାକୁ ସେ ହଜମ କରି ଆଗେଇ ଗଲେ, ଯାହା ଫଳରେ ଆଜି ସେ ଓଡ଼ିଶାର ସୁନାମଧନ୍ୟ ଶିଳ୍ପପତି।

ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଶରତଙ୍କ ପର୍ଯ୍ୟନ୍ତ ଅନେକ ଶିଳ୍ପପତି ଜନ୍ମ ନେଇଛନ୍ତି। ରାଜନୀତିରେ ପ୍ରବେଶ କରି ବିଜୁ ତାଙ୍କ ଶିଳ୍ପ ସାମ୍ରାଜ୍ୟର ପତନ ନିଜେ ଘଟାଇଲେ ସତ, କିନ୍ତୁ ଶିଳ୍ପ ଜଗତରୁ ଯିବା ପୂର୍ବରୁ ବଂଶୀଧର ପଣ୍ଡାଙ୍କୁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା କରିଦେଇଗଲେ। ୫୦ ବର୍ଷ ମଧ୍ୟରେ ସେ ଆଜି ବିଶାଳ ଶିଳ୍ପ ସାମ୍ରାଜ୍ୟର ଅଧିକାରୀ ହୋଇଥିବା ବେଳେ ମାତ୍ର ୪୩ ବର୍ଷ ମଧ୍ୟରେ ଶରତ ତାଙ୍କଠାରୁ ଯଥେଷ୍ଟ ଆଗରେ ଅଛନ୍ତି। ମସଲାଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରୁଚି ତାହାର ସ୍ୱାକ୍ଷର ଛାଡ଼ି ଦେଉଛି। ରୁଚିର ପ୍ରସାର ଯୋଗୁଁ ଆଜି ବହୁ ସ୍ୱେଚ୍ଛାସେବୀ ସଂଗଠନ ଗଢ଼ି ଉଠିଛନ୍ତି। କର୍ମନିଯୁକ୍ତି ସମସ୍ୟାର ସମାଧାନରେ ରୁଚି ସବୁବେଳେ ଆଗରେ ରହିଛି। ୪୩ ବର୍ଷ ମଧ୍ୟରେ ଦିନେ ବି ରୁଚିରେ କର୍ମଚାରୀ ଆନ୍ଦୋଳନ କରି ନାହାନ୍ତି। କୁହାଯାଏ ଟାଟା କମ୍ପାନୀରେ ମଧ୍ୟ ଶ୍ରମିକ ଆନ୍ଦୋଳନ ନାହିଁ।

Ruchi founder Sarat Sahoo

ଓଡ଼ିଶାରେ ଅନେକ ଶରତ ସାହୁ ଥିଲେ, ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଜନ୍ମ ହେବେ। ଆଧୁନିକ ଓଡ଼ିଶାର ରନ୍ଧନ ମସଲାର ଇତିହାସ ଯଦି ଲେଖାଯାଏ ତେବେ ଏହି ଶରତ ସାହୁଙ୍କ ନାମ ବୋଧେ ସର୍ବପ୍ରଥମେ ରହିବ। କାରଣ ସେ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଆ ଯିଏକି ଖାଲି ଭାରତ ନୁହେଁ ବିଦେଶରେ ମଧ୍ୟ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଶରତ ବାବୁଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ରୁଚି ମସଲା ଆଜି ଭାରତର ପ୍ରାୟତଃ ସବୁ ପ୍ରଦେଶରେ ବ୍ୟବସାୟ ଆରମ୍ଭ କରିଛି। ଏଥି ସହିତ ବିଦେଶରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥିତି ସୃଷ୍ଟି କରିପାରିଛି। ମସଲା ବ୍ୟବସାୟ ଓଡ଼ିଶାର ଏକ ପ୍ରାଚୀନ ବ୍ୟବସାୟ। ଓଡ଼ିଆ ସାଧବପୁଅ ଏହି ମସଲା ନେଇ ବିଦେଶକୁ ଯାଉଥିଲେ। ଜାଭା, ସୁମାତ୍ରା, ଶ୍ରୀଲଙ୍କା ସମେତ ଦୂର ପ୍ରାଚ୍ୟ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଓଡ଼ିଶା ମସଲାର ବେଶ ଚାହିଦା ଥିଲା। ଆଜି ଓଡ଼ିଶାର ସେହି ପ୍ରାଚୀନ ବ୍ୟବସାୟ ଶରତ ବାବୁଙ୍କ ଉଦ୍ୟମ ଫଳରେ ସଫଳତାର ସହ ଆଗେଇ ଚାଲିଛି। ତାଙ୍କୁ ଯଦି ଓଡ଼ିଶାର ଆଧୁନିକ ମସଲା ବ୍ୟବସାୟର ପଥପ୍ରଦର୍ଶକ କୁହାଯାଏ, ତାହା ବୋଧେ ସତ୍ୟର ଅପଳାପ ହେବ ନାହିଁ।

ଏହି ବ୍ୟବସାୟ ଆରମ୍ଭ କଲା ବେଳେ ହଜାର ଟଙ୍କାର ପୁଞ୍ଜି ତାଙ୍କ ହାତରେ ନଥିଲା। ଆଜି କିନ୍ତୁ ତାଙ୍କ ମସଲା ବ୍ୟବସାୟର ସାମ୍ରାଜ୍ୟ ବହୁ ଶହ କୋଟି ଟଙ୍କାରେ ପହଞ୍ଚିପାରିଛି। ଏହା ସମ୍ଭବ ହୋଇଛି ତାଙ୍କର ନିଷ୍ଠା ଏବଂ ସଚ୍ଚୋଟତା ଯୋଗୁଁ। ନିଜ ଘରେ ବାପମାଙ୍କ ସାହାଯ୍ୟରେ ସେ ଯେଉଁ ମସଲା ଶିଳ୍ପକୁ ଏକ କୁଟୀର ଶିଳ୍ପ ଭାବେ ଆରମ୍ଭ କରିଥିଲେ ତାହା ଏବେ ଅତ୍ୟାଧୁନିକ ମେସିନରେ ପ୍ରସ୍ତୁତ କରାଯାଉଛି। ଶରତ ବାବୁ ସତୁରୀ ଦଶକର ପ୍ରାରମ୍ଭରେ ମସଲା ବ୍ୟବସାୟ ଆରମ୍ଭ କଲା ବେଳେ ବ୍ୟାଗ୍‌ରେ, ସାଇକେଲରେ ନିଜେ ମସଲା ନେଇ ଦୋକାନରେ ଦେଉଥିଲେ। ଆଜି ଟ୍ରକରେ, ଜାହାଜରେ ମସଲା ରପ୍ତାନୀ ହେଉଛି। ଏହି ସଫଳତାର ପଛରେ ରହିଛି ତାଙ୍କର ନମ୍ର ବ୍ୟବହାର। ଆରମ୍ଭ ବେଳେ ବିଶେଷ କେହି ପ୍ରତିଦ୍ୱନ୍ଦ୍ୱୀ ନଥିଲେ। ଏବେ କିନ୍ତୁ ରାଜ୍ୟଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟରେ ରୁଚି ମସଲା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବହୁ ମସଲା କମ୍ପାନୀ ଗଢ଼ି ଉଠିଲାଣି। ବିଶେଷକରି ଟାଟା କମ୍ପାନୀ ରନ୍ଧନ ମସଲା ପ୍ରସ୍ତୁତ କରିବା ପରେ ଅନ୍ୟ ମସଲା ବ୍ୟବସାୟୀଙ୍କ ପରି ଶରତ ବାବୁ ମଧ୍ୟ ଚିନ୍ତିତ ହୋଇପଡ଼ିଥିବେ ବୋଲି ଅନେକ ଭାବିଥିଲେ। ତାଙ୍କର ମନୋଭାବରୁ କିନ୍ତୁ ଜଣାପଡ଼େ ସେ ଯେପରି ଆଦୌ ବ୍ୟସ୍ତ ନୁହଁନ୍ତି। ଏହାର କାରଣ ହୁଏତ ଏହା ହୋଇପାରେ ଯେ ବଜାରରେ ଯଦି ପ୍ରତିଦ୍ୱନ୍ଦ୍ୱିତା ନରହେ ତେବେ ପଦାର୍ଥର ମାନରେ ହ୍ରାସ ଘଟିବାର ସମ୍ଭାବନା ରହିଛି। ତେଣୁ ପ୍ରତିଦ୍ୱନ୍ଦ୍ୱିତା ଯେତେ କଠୋର ହେବ ଦ୍ରବ୍ୟ ସେତେ ଭଲ ହେବ। ଯଦି ଏହା ଶରତ ବାବୁଙ୍କର ଲକ୍ଷ୍ୟ ହୋଇଥାଏ ତେବେ ରୁଚି ତାହାର ମାନ ବଜାରରେ ବଜାୟ ରଖିବ ବୋଲି ଆଶା କରାଯାଏ।

ଶରତ ବାବୁଙ୍କ ମସଲା ବ୍ୟବସାୟ ଆଜି ଯେଉଁ ଶିଖର ଦେଶରେ ପହଞ୍ଚିଛି ତାହା ଏକ ସ୍ୱପ୍ନର ସଫଳତା ବୋଲି ଯଦି କୁହାଯାଏ ତାହା ବୋଧେ ଯଥାର୍ଥ ହେବ। କାରଣ ଘରେ ବାପ, ମା ଏବଂ ନିଜେ ବସି ମସଲା ପ୍ରସ୍ତୁତ କଲା ବେଳେ ଶରତ ବାବୁ କଦାପି ଭାବିନଥିବେ ଯେ ଘରର ଗୁଜୁରାଣ ମେଣ୍ଟାଇବାକୁ ସେ ଏହା କରୁଛନ୍ତି। ତାଙ୍କ ମନରେ ଏକ ସ୍ୱପ୍ନ ଥିବ ଯେ ଏହି ମସଲାକୁ ସେ କଟକ, ରାଜ୍ୟ ଏବଂ ରାଜ୍ୟ ବାହାରେ ନେଇ ବ୍ୟବସାୟ କରିବେ। ଚାକିରି କରିଥିଲେ ହୁଏତ ନିଜ ପରିବାରକୁ ସେ ଚଳାଇଥାଆନ୍ତେ। ଆଜି କିନ୍ତୁ ସେ ଚାକିରି ନକରି ବହୁ ଶହ ପରିବାରକୁ ଚଳାଉଛନ୍ତି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ବହୁ ହଜାର ବ୍ୟକ୍ତି ଆଜି ନିଜର ଗୁଜରାଣ ନିମନ୍ତେ ରୁଚି ଉପରେ ନିର୍ଭର କରୁଛନ୍ତି।

ମସଲା ବ୍ୟବସାୟ ଓଡ଼ିଶାର ଏକ ପୁରୁଣା ତଥା ସମ୍ମାନଜନକ ବ୍ୟବସାୟ ଭାବେ ପରିଗଣିତ। ଅତୀତରେ ଏହି ମସଲା ବ୍ୟବସାୟ ମାଧ୍ୟମରେ ଭାରତରେ ୟୁରୋପୀୟ ଶକ୍ତି ଉପନିବେଶ ପ୍ରତିଷ୍ଠା କରିଥିଲେ। ଓଡ଼ିଶାର ମସଲା ଆଜି କେରଳ, ଉତ୍ତର ଓ ସକ୍ଷିଣ ଭାରତର ମସଲା ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ମସଲା ବ୍ୟବସାୟର ମାର୍ଗ ପ୍ରଶସ୍ତ କିନ୍ତୁ କ୍ଷେତ୍ରରେ ରହିଛନ୍ତି ବହୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ତାହାର ସମ୍ମୁଖୀନ ହୋଇ ରୁଚି କିପରି ନିଜର ସ୍ୱତନ୍ତ୍ରତା ବଜାୟ ରଖିବ, ବର୍ତ୍ତମାନ ତାହା ଶରତ ବାବୁ ଏବଂ ତାଙ୍କର ସହଯୋଗୀମାନଙ୍କ ନିମନ୍ତେ ଏକ ଆହ୍ୱାନ।

ରୁଚି ତାହାର ସ୍ୱାତନ୍ତ୍ର୍ୟତା ବଜାୟ ରଖୁ, ଶରତ ଆୟୁଷ୍ମାନ ହେବା ସହିତ ତାଙ୍କର ଯଶର ଗନ୍ତାଘର ବୃଦ୍ଧି ପାଉ। ବ୍ୟବସାୟ ଏବଂ ସେବା ସମାନ୍ତରାଳ ମାର୍ଗରେ ଚାଲିଥାଉ।