ଆପଣ କେଉଁ ବୀମା କରିବେ, କାହିଁକି କରିବେ? ଫାଇଦା କେତେ କ୍ଷତି କେତେ?

ସମୟ ଓ ଜୀବନ ଅନିଶ୍ଚିତ। କିଛି ବି ଆପଣଙ୍କ ଜୀବନରେ ଘଟିପାରେ। ଘଟଣା ଦୁର୍ଘଟଣା ପାଇଁ ଆପଣଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼େ। ସେହିଭଳି ଗୋଟିଏ ପ୍ରସ୍ତୁତିର ନାମ ହେଉଛି ଜୀବନ ବୀମା। ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ସୁରକ୍ଷାର ପ୍ରତିସ୍ରୁତି ଦେଇଥାଏ ବୀମା। ତେବେ ବଜାରରେ ହାଉଜାଉ ବୀମା ପ୍ରଡକ୍ଟଙ୍କ ଭିତରେ ଆପଣଙ୍କ ପାଇଁ କେଉଁଟି ଠିକ୍? ଆଖିବୁଜି ବୀମା ନକରି ନିଜ ଆବଶ୍ୟକତା ବାବଦରେ ପ୍ରଥମେ ଜାଣି ତା’ପରେ ବିଭିନ୍ନ ପ୍ରଡକ୍ଟ ମଧ୍ୟରେ ତୁଳନା କରି ବୀମା ନିଅନ୍ତୁ। ଯଦି ଆମେ ଟର୍ମ ଇନସ୍ୟୁରାନ୍ସ ଓ ପାରମ୍ପାରିକ ଜୀବନ ବୀମା ମଧ୍ୟରେ ତୁଳନା କରୁ ତେବେ ପାଉ ଯେ, ଉଭୟ ପ୍ଲାନରେ କିଛି ଫାଇଦା ଅଛି ଓ କିଛି ଲୋକସାନ୍ ଅଛି। ତେଣୁ ଏହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ନେବା ବେଳେ ପ୍ରଥମେ ସେମାନଙ୍କ ଲାଭ ଓ କ୍ଷତି ବାବଦରେ ଜାଣିନିଅନ୍ତୁ।

ମୃତ୍ୟୁ ଫାଇଦା

ଟର୍ମ ଇନସ୍ୟୁରାନ୍ସ ଓ ପାରମ୍ପାରିକ ଜୀବନ ବୀମାରେ ମୁଖ୍ୟ ଅନ୍ତର ହେଉଛି ମୃତ୍ୟୁକାଳୀନ ଲାଭ। ଗୋଟିଏ ଟର୍ମ ଇନସ୍ୟୁରାନ୍ସ ଟର୍ମ ପିରିୟଡ ମଧ୍ୟରେ ଯଦି ବୀମାଧାରକଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ନୋମିନିଙ୍କୁ ବେନିଫିଟ୍ ଦେଇଥାଏ। କିନ୍ତୁ ଜୀବନ ବୀମା ପଲିସିରେ ବୀମାକାରୀଙ୍କୁ ଉଭୟ ମୃତ୍ୟକାଳୀନ ଓ ମ୍ୟାଚୁରିଟି (ପରିପକ୍ୱତା) ଲାଭ ମିଳିଥାଏ। ଟର୍ମ ଇନସ୍ୟୁରାନ୍ସ ପ୍ଲାନରେ ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ମିଳିବାକୁ ଥିବା ରାଶି ସାଧାରଣ ପାରମ୍ପାରିକ ଇନସ୍ୟୁରାନ୍ସଠାରୁ ଅଧିକ ହୋଇଥାଏ। ଅଧିକାଂଶ ଲୋକ ଜୀବନ ବୀମାରେ ନିବେଶ ଦୁଇଟି ଯାକ ଲାଭ ପାଇବା ପାଇଁ କରିଥାନ୍ତି। ତେବେ ଅତିକମରେ ଗୋଟିଏ ଟର୍ମ ଇନସ୍ୟୁରାନ୍ସ ଜଣେ ନେବା ଆବଶ୍ୟକ। କାରଣ ଏଥିରେ ବହୁତ କମ ଟଙ୍କାର ପ୍ରିମିୟମରେ ଅଧିକ ଲାଭ ମିଳିଥାଏ।

କଭରେଜ୍ ଓ ସଞ୍ଚୟ

ଟର୍ମ ଇନସ୍ୟୁରାନ୍ସରେ ବ୍ୟକ୍ତିଙ୍କ ମୃତ୍ୟୁ ସ୍ଥିତିରେ ତାଙ୍କ ପରିବାକୁ ନିର୍ଦ୍ଧାରିତ ରାଶି ମିଳିଥାଏ। ତେବେ ଏଥିରେ ଜୀବନ ବୀମା ଭଳି ମ୍ୟାଚୁରିଟି ରିଟର୍ଣ୍ଣ ମିଳିନଥାଏ। ଯଦି ଜଣେ ବ୍ୟକ୍ତି ଅଧିକ ପ୍ରିମିୟମ ଦେବାକୁ ଚାହୁଁନାହାନ୍ତି ଓ କେବଳ ଡେଥ୍ ରିସ୍କକୁ କଭର କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପକ୍ଷରେ ଟର୍ମ ଇନସ୍ୟୁରାନ୍ସ ନେବା ଠିକ୍ ହେବ। କିନ୍ତୁ ଯଦି ଆପଣ ଲାଇଫ୍ କଭର ସହ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ପାରମ୍ପରିକ ବୀମାରେ ନିବେଶ କରନ୍ତୁ।

ପଲିସିକୁ ଅଧାରେ ବନ୍ଦ କରିବା

ଏକ ଟର୍ମ ଇନସ୍ୟୁରାନ୍ସ ପଲିସିକୁ ସରେଣ୍ଡର କରିବା ଜୀବନ ବୀମା ତୁଳନାରେ ଅଧିକ ସରଳ ଓ ସହଜ। ଟର୍ମ ଇନସ୍ୟୁରାନ୍ସରେ ଯଦି ବ୍ୟକ୍ତି ପ୍ରିମିୟମ ଦେବା ବନ୍ଦ କରିଦିଅନ୍ତି ତେବେ ତାଙ୍କ ପଲିସି ରଦ୍ଦ ହୋଇଯିବ ଓ ତାଙ୍କୁ କୌଣସି ବେନିଫିଟ୍ ମିଳିବ ନାହିଁ।  କିନ୍ତୁ ପାରମ୍ପରିକ ପଲିସିରେ ଜଣେ ବ୍ୟକ୍ତି ପୁରା ପଲିସି ଅବଧି ପୁରଣ କଲେ ହିଁ ତାଙ୍କୁ ମ୍ୟାଚୁରିଟି ଲାଭ ମିଳିଥାଏ। ଆପଣ ଯଦି ଗୋଟିଏ ଜୀବନ ବୀମା ପଲିସି ନେଇଛନ୍ତି ଓ ତାକୁ ପଲିସି ପିରିୟଡ ପୂରା ହେବା ପୂର୍ବରୁ ବନ୍ଦ କରିଦେଲେ ବା ପ୍ରିମିୟମ ଦେଲେ ନାହିଁ ତେବେ ଆପଣଙ୍କୁ ମ୍ୟାଚୁରିଟି ବେନିଫିଟ୍ ମିଳିବ ନାହିଁ। ଆପଣଙ୍କୁ କେବଳ ପ୍ରିମିୟମ ଟଙ୍କ (କିଛି ଟଙ୍କା କଟିକରି) ମିଳିବ। ଅଧିକାଂଶ ଟର୍ମ ଇନସ୍ୟୁରାନ୍ସ ପଲିସିର ନବୀକରଣ (ରିନ୍ୟୁ) ମଧ୍ୟ କରାଯାଇପାରେ।

ପ୍ରିମିୟମ

ଜୀବନ ବୀମାରେ ଅଧିକ କଭରେଜ୍ ପାଇଁ ଅଧିକ ପ୍ରିମିୟମ ଦେବାକୁ ପଡ଼ିଥାଏ। ଏହାସହ ଏଥିରୁ କମ ରିଟର୍ଣ୍ଣ ମିଳିଥାଏ। ଏହାତୁଳନାରେ ଟର୍ମ ଇନସ୍ୟୁରାନ୍ସ ପଲିସି ଅଧିକ ଶସ୍ତା ହୋଇଥାଏ।  ଏହା ମଧ୍ୟ କମ ଦାମରେ ଅଧିକ କଭରେଜ୍ ଦେଇଥାଏ। ଟର୍ମ ଇନସ୍ୟୁରାନ୍ସ ସେହିମାନଙ୍କ ପାଇଁ ଲାଭକାରୀ ଯେଉଁମାନଙ୍କ ପାଖରେ ଆୟର ସ୍ଥାୟୀ ସ୍ଥିର ମାଧ୍ୟମ ନଥାଏ।