ଆପଣ ଅଚାନକ ଆସୁଥିବା ସ୍ୱାସ୍ଥ୍ୟ ଗତ ଖର୍ଚ୍ଚକୁ ସାମନା କରିବାକୁ ମେଡିକ୍ଲେମ୍ ପଲିସି ନିଅନ୍ତି କିନ୍ତୁ ବେଳେ ବେଳେ ବୀମା କମ୍ପାନି ଆପଣଙ୍କ ଦାବିକୁ ଖାରଜ କରିଦେଇଥାଏ। କ’ଣ କଲେ ବୀମା କ୍ଲେମ୍ କେବେ ମଧ୍ୟ ଖାରଜ ହେବ ନାହିଁ?

ଚିକିତ୍ସା ଖର୍ଚ୍ଚ ବଢ଼ିବା ସହ ହେଲ୍‌ଥ ଇନସ୍ୟୁରାନ୍ସ ଜରୁରୀ ହୋଇପଡ଼ିଲାଣି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ, ବୀମା କମ୍ପାନି ରୋଗୀଙ୍କ ଖର୍ଚ୍ଚ ଦାବିକୁ ଖାରଜ କରି ଦେଇଥାନ୍ତି। ଆପଣ ଭବିଷ୍ୟତତ ଜରୁରୀକାଳୀନ ମେଡିକାଲ ଆବଶ୍ୟକତା ପାଇଁ ନିୟମିତ ପ୍ରିମିୟମ ଦିଅନ୍ତି କିନ୍ତୁ ବୀମା କମ୍ପାନି ଆପଣଙ୍କୁ ଚିକିତ୍ସା ଖର୍ଚ୍ଚ ଦିଅନ୍ତି ନାହିଁ। ତେବେ ଆମକୁ ଏମିତି କଣ କରିବାକୁ ପଡ଼ିବ ବା କଣ ଭୁଲ କରିବାରୁ ନିବୃତ ରହିବାକୁ ପଡ଼ିବ ଯାହା ଫଳରେ ଆମ କ୍ଲେମ୍ ରିଜେକ୍ଟ ହେବ ନାହିଁ।

ମେଡିକ୍ଲେମ୍ ଯେପରି ରିଜେକ୍ଟ ନହେବ ସେଥିଲାଗି ଆମକୁ ଦୁଇଟି ସ୍ତରରେ ଧ୍ୟାନ ଦେବାକୁ ପଡ଼ିବ

୧. ହେଲ୍‌ଥ ବୀମା ନେବା ବେଳେ

ପଲିସି ନେବା ବେଳେ ଫର୍ମରେ ସବୁ ତଥ୍ୟ ଠିକ୍ ଭାବେ ଦିଅନ୍ତୁ। ନିଜର ଓ ନିଜ ପରିବାରର ବୟସ, କୌଣସି ପୁରୁଣା ରୋଗ କିମ୍ବା ଆନୁବଂଶିକ ରୋଗ ରହିଥିଲେ ତାକୁ ଲୁଚାନ୍ତୁ ନାହିଁ। କୌଣସି ତଥ୍ୟ ନଦେଲେ କିମ୍ବା ଭୁଲ ତଥ୍ୟ ଦେଇଥିଲେ ପରେ ଆବଶ୍ୟକତା ବେଳେ ଆପଣଙ୍କ କ୍ଲେମ୍ ରିଜେକ୍ଟ ହେବାର ଆଶଙ୍କା ବଢ଼ିଯାଇଥାଏ। ଏହା ସହ ଆପଣ ଯେଉଁ ପଲିସି ନେଉଛନ୍ତି ସେଥିରେ କେଉଁ କେଉଁ ରୋଗ କଭର ହେଉଛି ସେ ସମ୍ପର୍କରେ ଭଲ କରି ଜାଣି ନିଅନ୍ତୁ। ବିଶେଷକରି କେଉଁ ରୋଗକୁ ବୀମା କଭର କରୁନାହିଁ ତାହା ଜାଣନ୍ତୁ।

ସର୍ତ୍ତକୁ ଭଲ ଭାବେ ପଢ଼ନ୍ତୁ

ସ୍ୱାସ୍ଥ୍ୟ ବୀମା ନେବା ବେଲେ ସର୍ତ୍ତକୁ ଭଲ କରି ପଢ଼ନ୍ତୁ। ଏଥିପାଇଁ ପର୍ଯ୍ୟାପ୍ତ ସମୟ ନିଅନ୍ତୁ। ଯଦି କୌଣସି ସର୍ତ୍ତ ବୁଝିବାରେ ଅସୁବିଧା ହେଉଛି ତେବେ ଏଜେଣ୍ଟ, ଗ୍ରାହକ ସେବ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବୀମା ନେବା ପରେ ପଲିସି ପେପର ମିଳିବା ପରେ ତାହାର ସର୍ତ୍ତକୁ ଭଲ କରି ପଢନ୍ତୁ। ଯଦି କୌଣସି ସର୍ତ୍ତ ଆଗରୁ କୁହାଯାଇଥିବା ସର୍ତ୍ତଠାରୁ ଅଲଗା ହୋଇଥାଏ ତେବେ ବୀମା କମ୍ପାନି କିମ୍ବା ଏଜେଣ୍ଟଙ୍କ ସହ କଥା ହୋଇ ସ୍ପଷ୍ଟୀକରଣ ନିଅନ୍ତୁ। ସେହି ସର୍ତ୍ତକୁ ବଦଳାଇବାକୁ ଅନୁରୋଧ କରନ୍ତୁ। ବୀମା କମ୍ପାନି ଆପଣଙ୍କୁ ୧୫ ଦିନର ଫ୍ରି-ଲୁକ୍ ପିରିୟଡ ଦେଇଥାଏ। ଏହି ସମୟ ମଧ୍ୟରେ ଆପଣ ଚାହିଁଲେ ବୀମା ଫେରାଇ ପାରିବେ ଓ କମ୍ପାନି ଆପଣଙ୍କୁ ସଂପୂର୍ଣ୍ଣ ରାଶି ଫେରସ୍ତ କରିବ।

ଆଗରୁ ଥିବା ରୋଗ ବାବଦରେ ସଠିକ ତଥ୍ୟ

ମେଡିକ୍ଲେମ୍ କିଣିବା ସମୟରେ ନିଜର ଓ ନିଜ ପରିବାର ସଦସ୍ୟଙ୍କର ଯଦି କିଛି ପୁରୁଣା ରୋଗ ଥାଏ, ତେବେ ସେବାବଦରେ କୌଣସି ମଧ୍ୟ ତଥ୍ୟକୁ ଲୁଚାନ୍ତୁ ନାହିଁ। ଯଦି ଆପଣଙ୍କର ଡାଇବେଟିସ, ବ୍ଲଡ୍ ପ୍ରେସର ଆଦି ରୋଗ ଥାଏ ତେବେ ଏହାକୁ କମ୍ପାନିକୁ ଜଣାନ୍ତୁ। ଏହି ରୋଗ ସବୁ ଆଗରୁ ଥିବା ରୋଗ ଭାବେ ଜଣାଯାଇଥାଏ। ଏହି ରୋଗ ଉପରେ ଆପଣଙ୍କୁ କଭର ବୀମା ନେବାର ୨ରୁ ତିନି ବର୍ଷ ପରେ ଆରମ୍ଭ ହୋଇଥାଏ। ଅଲଗା ଅଲଗା କମ୍ପାନି ଏଥିପାଇଁ ଅଲଗା ବର୍ଷ ନିର୍ଦ୍ଧାରିତ କରିଛନ୍ତି। ତେଣୁ କମ୍ପାନିଠାରୁ ବୁଝି ନିଅନ୍ତୁ ଯେ, ଆଗରୁ ଥିବା ରୋଗର କଭରେଜ୍ ପାଇଁ ଆପଣଙ୍କୁ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ। ଯାହାକୁ କି ୱେଟିଂ ପିରିୟଡ୍ ବୋଲି କୁହାଯାଇଥାଏ। ଯଦି ଆପଣ ଆଗରୁ ଥିବା ରୋଗ ବାବଦରେ ଲୁଚାଇବେ ଓ ଚିକିତ୍ସା କାଳରେ ଏହା ଧରାପଡ଼ିବ ତେବେ ବୀମା କମ୍ପାନି ଆପଣଙ୍କ କ୍ଲେମ୍‌କୁ ଖାରଜ କରିଦେବ। ତେବେ ଏଭଳି ସମୟରେ ଯଦି ଡାକ୍ତର ଏହା ଲେଖନ୍ତି ଯେ, ରୋଗ ବାବଦରେ ଚିକିତ୍ସା କାଳରେ ଜଣା ପଡ଼ିଲା ଓ ଏହି ରୋଗ ଆଗରୁ ନଥିଲା ତେବେ ବୀମା କମ୍ପାନି ଆପଣଙ୍କ କ୍ଲେମକୁ ଖାରଜ କରି ପାରିବେ ନାହିଁ।

ମଦ ଧୂମପାନ କଥା ଲୁଚାନ୍ତୁ ନାହିଁ

ଯଦି ଆପଣ ମଦ୍ୟପାନ କରନ୍ତି ଓ ତମାଖୁ ସେବନ କରନ୍ତି ତେବେ ବୀମା କମ୍ପାନିଠାରୁ ଏହି କଥାକୁ ଲୁଚାନ୍ତୁ ନାହିଁ। ସତ କହିଲେ ଆପଣଙ୍କୁ ଅଧିକ ପ୍ରିମିୟମ ଦେବାକୁ ପଡ଼ିବ କିନ୍ତୁ ଭବିଷ୍ୟତରେ ଆପଣଙ୍କ କ୍ଲେମ୍ ଖାରଜ ହେବ ନାହିଁ।

ଚିକିତ୍ସାର ସୂଚନା ଦିଅନ୍ତୁ

ବୀମା ସମୟରେ ଯଦି କୌଣସି ରୋଗର ଚିକିତ୍ସା ହେଉଛି ତେବେ ତାହାର ସୂଚନା ଦିଅନ୍ତୁ। ଏହା ସହ ଯଦି ଆଗରୁ ଆପଣଙ୍କର କୌଣସି ସର୍ଜରି ହୋଇଥିଲା ତେବେ ସେବାବଦରେ ମଧ୍ୟ ସୂଚନା ଦିଅନ୍ତୁ। ବୀମା କାଳରେ ଯଦି ଏଭଳି କୌଣସି ରୋଗ ବିଶୟରେ ଜଣା ପଡେ ଯାହା ଆପଣଙ୍କୁ ଆଗରୁ ହୋଇଥିଲା କିନ୍ତୁ ଆପଣ ଏହାର ସୂଚନା କଂପାନିକୁ ଦେଇନଥିଲେ ତେବେ ଆପଣଙ୍କ କ୍ଲେମ୍ ଖାରଜ ହୋଇଯିବ।

୨. ଚିକିତ୍ସା ପରେ

ଚିକିତ୍ସା ପରେ ମଧ୍ୟ ଆପଣଙ୍କ ମେଡିକ୍ଲେମ୍ ରିଜେକ୍ଟ ହୋଇପାରେ। ଅନେକ ସମୟରେ ରୋଗୀ ଏଭଳି ହସ୍ପିଟାଲରେ ନିଜ ଚିକିତ୍ସା କରାଇଥାନ୍ତି ଯାହା ବୀମା କଂପାନିର ନେଟୱର୍କରେ ସାମିଲ ନଥାଏ। ଏମିତିରେ ଆପଣଙ୍କୁ ଚିକିତ୍ସାରେ ହୋଇଥିବା ଖର୍ଚ୍ଚର ରିମ୍ବର୍ସମେଣ୍ଟ ପାଇଁ କ୍ଲେମ କରିବାକୁ ପଡିଥାଏ। ଅନେକ ସମୟରେ ରିମ୍ବର୍ସମେଣ୍ଟ କ୍ଲେମ କାଳରେ ମଧ୍ୟ ଦାବିକୁ ଖାରଜ କରି ଦିଆଯାଇଥାଏ । ଏଭଳି ପରିସ୍ଥିତିରୁ ବଂଚିବା ପାଇଁ ନିମ୍ନଲିଖିତ କଥାକୁ ଧ୍ୟାନରେ ରଖନ୍ତୁ

ଜରୁରୀ ଦସ୍ତାବିଜ: ରିମ୍ବର୍ସମେଣ୍ଟ ପାଇଁ କେଉଁ କେଉଁ କାଗଜପତ୍ର ଦରକାର ସେ ବାବଦରେ ବୀମା କମ୍ପାନି ସହ କଥା ହୁଅନ୍ତୁ। ସେହି କାଗଜରେ ଯେଉଁଠି ଯେଉଁଠି ଡାକ୍ତର ଓ ହସ୍ପିଟାଲ ଦସ୍ତଖତ, ଷ୍ଟାମ୍ପ ଜରୁରୀ  ତାହା କରାଇ ନିଅନ୍ତୁ। କ୍ଲେମ୍ ଫର୍ମକୁ ସଂପୂର୍ଣ୍ଣ ଭାବେ ପୁରଣ କରନ୍ତୁ ଓ ତା’ସହିତ ଜରୁରୀ କାଗଜପତ୍ର ଦିଅନ୍ତୁ।

ମେଡିକ୍ଲେମ୍ ଫାଇଲ କରିବାରେ ବିଳମ୍ବ:  ରିମ୍ବର୍ସମେଣ୍ଟ ପାଇଁ ଯେତେ ଶୀଘ୍ର ସମ୍ଭବ ସବୁ ଜରୁରୀ କାଗଜପତ୍ରକୁ କମ୍ପାନି ପାଖରେ ଉପସ୍ଥାପନ କରନ୍ତୁ। ଯଦି କୌଣସି ବିଲର ଓରିଜିନାଲ କପି ହଜି ଯାଇଛି ତେବେ ଆପଣଙ୍କୁ ଆଫିଡେଫିଟ୍ କରିବାକୁ ପଡ଼ିବ। ଆଫିଡେଫିଟରେ ଆପଣଙ୍କୁ ଏହା ଦାବି କରିବାକୁ ପଡିବ ଯେ, ହଜି ଯାଇଥିବା ବିଲକୁ ବ୍ୟବହାର କରି ଅନ୍ୟତ୍ର ଫାଇଦା ଉଠା ଯାଇନାହିଁ। ଆପଣଙ୍କୁ ରିମ୍ବର୍ସମେଣ୍ଟ କ୍ଲେମ୍ ହସ୍ପିଟାଲରୁ ଡିସଚାର୍ଜ ହେବାର ସର୍ବାଧିକ ୩୦ ଦିନ ମଧ୍ୟରେ କରିବାକୁ ପଡ଼ିବ। ତେବେ ଅଲଗା ଅଲଗା କମ୍ପାନି ଏଥିପାଇଁ ଅଲଗା ସମୟସୀମା ନିର୍ଦ୍ଧାରିତ କରିଛନ୍ତି। ତେଣୁ ଭଲ ହେବ ଆପଣ ନିଜ ବୀମା କମ୍ପାନିଠାରୁ ଡେଡ୍ ଲାଇନ୍ ସମ୍ବନ୍ଧରେ ଜାଣି ନିଅନ୍ତୁ। ନିର୍ଦ୍ଧାରିତି ସମୟସୀମା ମଧ୍ୟରେ କ୍ଲେମ୍ ନକଲେ ଆପଣଙ୍କ ଦାବି ଖାରଜ ହୋଇଯିବ।

ସବୁ ଠିକ୍ ଥିଲେ ମଧ୍ୟ ଯଦି କ୍ଲେମ୍ ରିଜେକ୍ଟ ହେଉଛି

ଆପଣ ଯଦି ଭାବୁଛନ୍ତି ଯେ, ଆପଣଙ୍କ ପଟୁ କୌଣସି ଭୁଲ ନଥାଇ ମଧ୍ୟ ବୀମା କମ୍ପାନି ଆପଣଙ୍କ କ୍ଲେମକୁ ଖାରଜ କରିଦେଉଛନ୍ତି ତେବେ ଆପଣ ଅଭିଯୋଗ କରିପାରିବେ। ପ୍ରଥମେ ବୀମା କମ୍ପାନି ପାଖରେ ଅଭିଯୋଗ କରନ୍ତୁ। ଯଦି ବୀମା କମ୍ପାନି ୧୫ ଦିନ ଭିତରେ ଆପଣଙ୍କ ଅଭିଯୋଗର ସମାଧାନ କଲା ନାହିଁ ତେବେ IRDAIର ୱେବସାଇଟ୍ igms.irda.gov.in  ଆନଲାଇନ୍ ଅଭିଯୋଗ କରନ୍ତୁ। ଏହାପରେ ବି ଯଦି ଆପଣ ସନ୍ତୁଷ୍ଟ ନହୁଅନ୍ତି ତେବେ ଉପଭୋକ୍ତା ଅଦାଲତକୁ ଯାଇ ପାରିବେ।