ଆୟକର ବିଭାଗ ପାନ୍ ନମ୍ବର ସ୍ଥାନରେ ଆଧାର ନମ୍ବର ଦେବାକୁ ମଞ୍ଜୁରି ଦେଇଛି ତେବେ ଏଭଳି କରିବାବେଳେ ଭୁଲ ହେଲେ ଫାଇନ୍ ଦେବାକୁ ପଡ଼ିପାରେ।

କରଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ସେମାନଙ୍କୁ ପାନ୍ ନମ୍ବର ସ୍ଥାନରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କରିବାକୁ ଅନୁମତି ଦେଇଛି। ତେବେ ଏଭଳି କରିବା ବେଳେ କରଦାତାଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଆପଣ ଯଦି ଭୁଲ ଆଧାର ନମ୍ବର ଦେଇଛନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ।

ଅର୍ଥ ବିଧେୟକ ୨୦୧୯ର ଆୟକର ଅଧିନିୟମ ୧୯୬୧ର ନୂଆ ସଂଶୋଧନ କେବଳ ପ୍ୟାନ୍ ସ୍ଥାନରେ ଆଧାର ନମ୍ବର ଦେବାକୁ ଅନୁମତି ଦେଉନାହିଁ ଏଥିରେ ମଧ୍ୟ ଭୁଲ ପାଇଁ ୧୦ ହଜାର ଟଙ୍କାର ଜରିମାନାର ପ୍ରାବଧାନ ରହିଛି।

ଜରିମାନାର ଏହି ନୂଆ ନିୟମ ସେହିଠାରେ ଲାଗୁ ହେବ ଯେଉଁଠାରେ ପ୍ୟାନ୍ ସ୍ଥାନରେ ଆପଣ ଆଧାର ନମ୍ବର ବ୍ୟବହାର କରୁଛନ୍ତି ଓ ଯେଉଁଠି ପ୍ୟାନ୍ ନମ୍ବର ବ୍ୟବହାର ଅନିବାର୍ଯ୍ୟ ଅଟେ। ଉଦାହରଣ ସ୍ୱରୁପ, ଆଇଟି ରିଟର୍ଣ୍ଣ ଫାଇଲ କରିବା, ବ୍ୟାଙ୍କ୍ ଖାତା ଖୋଲିବା, ଡିମାଟ୍ ଆକାଉଣ୍ଟ ଖୋଲିବା ଓ ୫୦ ହଜାରରୁ ଅଧିକ ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍ ନେବା କିମ୍ବା ବଣ୍ଡ୍ କିଣିବା।

ଆଧାରର ନୂଆ ନିୟମ

ଆଧାରକୁ ୟୁନିକ୍ ଆଇଡେଣ୍ଟି ଅଥରିଟି ଅଫ୍ ଇଣ୍ଡିଆ (UIDAI) ଦ୍ୱାରା ଜାରି କରାଯାଉଥିଲେ ମଧ୍ୟ ଜରିମାନା ଆୟକର ବିଭାଗ ଲାଗୁ କରିବ।   ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ ବି’ ଅନୁସାରେ ଯଦି ଆୟକର ଦାତା ପାନ୍ ନିୟମକୁ ପାଳିବାରେ ବିଫଳ ହୁଅନ୍ତି ତେବେ ଆୟକର ବିଭାଗ ଜରିମାନା ଲାଗୁ କରିପାରିବେ। ପ୍ରତି ଡିଫଲ୍ଟ ସହ ଜରିମାନା ରାଶି ୧୦ ହଜାର ଟଙ୍କା ହେବ।

ଏହା ପୂର୍ବରୁ ଜୋରିମାନା କେବଳ ପାନ୍ ପର୍ଯ୍ୟନ୍ତ ସୀମିତ ଥିଲା। ତେବେ ସେପ୍ଟମ୍ବର ୨୦୧୯ରେ ପାନ୍-ଆଧାର ଇଣ୍ଟରଚେଞ୍ଜବିଲିଟି ଆସିଥିବା କାରଣରୁ ଏହା ଆଧାର ପାଇଁ ମଧ୍ୟ ଲାଗୁ ହେବ।

କେଉଁ ପରିସ୍ଥିତିରେ ଲାଗିବ ଜରିମାନା

୧. ଯଦି ଆପଣ ପ୍ୟାନ୍ ବଦଳରେ ଭୁଲ ଆଧାର ନମ୍ବର ଦେଇଛନ୍ତି।

୨. ଯଦି ଆପଣ କୌଣସି ବିଶେଷ ଦେଣନେଣରେ ଯଦି ପ୍ୟାନ୍ ଓ ଆଧାର ନମ୍ବର ଦେବାରେ ବିଫଳ ହୋଇଛନ୍ତି।

୩. କେବଳ ଆଧାର ନମ୍ବର ପ୍ରଦାନ କରିବା ହିଁ ଯଥେଷ୍ଟ ନୁହେଁ , ଆପଣଙ୍କୁ ବାୟୋମେଟ୍ରିକ୍ ଆଇଡେଣ୍ଟିଟିକୁ ମଧ୍ୟ ସିଦ୍ଧ କରିବାକୁ ପଡ଼ିବ। ଯଦି ଆପଣ ଏହା କରିବାରେ ବିଫଳ ହୁଅନ୍ତି ତେବେ ଆପଣଙ୍କ ଉପରେ ଜରିମାନା ଲାଗିବ।

ନିୟମ ଅନ୍ତର୍ଗତରେ ଯଦି ପ୍ୟାନ୍ ଓ ଆଧାର ନମ୍ବର ଠିକ୍ ଭାବେ ଦିଆଯାଇନଥାଏ ଓ ତାର ପ୍ରାମାଣିକତା ସିଦ୍ଧ କରାଯାଇ ନଥାଏ। ତେବେ ବ୍ୟାଙ୍କ, ଆର୍ଥିକ ସଂସ୍ଥାଙ୍କ ଉପରେ ମଧ୍ୟ ଜରିମାନା ଲାଗୁ ହେବ।

ଏହା ସହ ଆପଣଙ୍କୁ ଏହା ମଧ୍ୟ ମନେ ରଖିବାକୁ ପଡିବ ଯେ, ଆପଣ ଯଦି ଦୁଇଟି ଫର୍ମରେ ଭୁଲ ଆଧାର ନମ୍ବର ଦେଇଛନ୍ତି ତେବେ ଆପଣଙ୍କୁ ୧୦-୧୦ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିବ। ତେଣୁ ଫର୍ମରେ ଆଧାର ନମ୍ବର ଦେବା ବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରନ୍ତୁ।