ରାଇଡର ଆପଣଙ୍କୁ ମାସିକ ଆୟ ଦେଇଥାଏ। ଆର୍ଥିକ ସୁରକ୍ଷା ପାଇଁ ରାଇଡର ଜରୁରୀ..

ଜୀବନ ଅପ୍ରତ୍ୟାସିତ। ଅପ୍ରତ୍ୟାସିତ ଘଟଣା ପରେ ଆଶ୍ରିତଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ହେଲା ବୀମା କିଣିବାର ମୂଳ ଓ ମୁଖ୍ୟ ଉଦ୍ଦେଶ୍ୟ। ଆପଣ ମଧ୍ୟ ଏହି ଉଦ୍ଦେଶ୍ୟରେ ହିଁ ବୀମା କିଣିଥାନ୍ତି, ତେବେ ଅଧିକାଂଶ ବୀମା ପଲିସି, ଟର୍ମ ପ୍ଲାନ୍ ଅଥବା ପାରମ୍ପାରିକ ଏଣ୍ଡୋମେଣ୍ଟ୍ ପ୍ଲାନ୍ ଦୁର୍ଘଟଣା କିମ୍ବା ବେମାରୀ ଭଳି ସ୍ଥିତିରେ ବୀମା ଧାରକଙ୍କ ପାଇଁ ସାହାଯ୍ୟକାରୀ ହୋଇନଥାନ୍ତି। କାରଣ ଗୋଟିଏ ବୀମା ପଲିସି ଆପଣଙ୍କୁ ପୁରା କଭରେଜ୍ ଦେଇନଥାଏ। ଏମିତିରେ ଅତିରିକ୍ତ ସୁବିଧା ପାଇଁ ଅଳ୍ପ କିଛି ପ୍ରିମିୟମ ଅଧିକା ଦେଇ ଆପଣ ରାଇଡର ନେଇପାରିବେ। ଯାହା ଆପଣଙ୍କୁ ଅତିରିକ୍ତ ସୁରକ୍ଷା ଦେଇଥାଏ। ଗୋଟିଏ ବୀମା ପଲିସି ନେବା ପରେ ତା’ ସହିତ ରାଇଡର ଯୋଡ଼ିବା ଦ୍ୱାରା ଆପଣ ଅଧିକ ସୁବିଧା ପାଇଥାନ୍ତି। ଏଭଳି ପଲିସି ଅଧିକ ସକ୍ଷମ ହୋଇଥାଏ।

ରାଇଡର ସାମିଲ କରିବା ସବୁଠାରୁ ଶସ୍ତା ଉପାୟ  

ଯଦି କୌଣସି ବୀମା ଧାରକ ଦୁର୍ଘଟଣାରେ ବିକଳାଙ୍ଗ ହୋଇଯାନ୍ତି, ତେବେ ତାଙ୍କ ଆୟ ଉପରେ ପ୍ରଭାବ ପଡ଼ିଥାଏ। ଆୟ ପ୍ରଭାବିତ ହେବା ଦ୍ୱାରା ସେ ପ୍ରିମିୟମ ମଧ୍ୟ ଠିକ୍ ସମୟରେ ଦେବା ସମ୍ଭବ ନୁହେଁ। ଆଉ ଯଦି ସେ ପ୍ରିମିୟମ ଦେଇ ନପାରିବେ ତେବେ ତାଙ୍କ ପଲିସି ଲାପ୍‌ସ କରିଯିବ। ଏମିତିରେ ତାଙ୍କର ପଲିସି ନେବାର କୌଣସି ଲାଭ ରହିବ ନାହିଁ।

ସେହିଭଳି ଗମ୍ଭୀର ରୋଗ କିମ୍ବା ଦୁର୍ଘଟଣା ପରେ ହସ୍ପିଟାଲ ବିଲ୍ ଜଣଙ୍କ ଉପରେ ବୋଝ ହୋଇପଡ଼େ। କାରଣ ଆଜିର ସମୟରେ ସ୍ୱାସ୍ଥ୍ୟ ସେବା ମହଙ୍ଗା ହୋଇପଡ଼ିଥିବା ବେଳେ ପାରମ୍ପାରିକ ହେଲ୍‌ଥ ଇନସ୍ୟୁରାନ୍ସ ସାହାଯ୍ୟକାରୀ ସିଦ୍ଧ ହୋଇନଥାନ୍ତି। ଏଭଳି ପରିସ୍ଥିତିରୁ ବଞ୍ଚିବା ପାଇଁ ଆଉ ଗୋଟିଏ ବୀମା ନେବା ମଧ୍ୟ ମହଙ୍ଗା ପଡ଼ିବ।

ଏଭଳି ପରିସ୍ଥିତିରେ ଆପଣ କଣ କରିବେ?

ଏଭଳି ପରିସ୍ଥିତିରେ ଆପଣଙ୍କ ପାଖରେ ସବୁଠାରୁ ଶସ୍ତା ଉପାୟ ହେଉଛି ନିଜ ବୀମାରେ ରାଇଡରକୁ ସାମିଲ କରିବା। ପ୍ରାୟ ସବୁ ବୀମା କମ୍ପାନି ଆଗରୁ ଚାଲୁଥିବା ପଲିସି ସହ ରାଇଡର ସାମିଲ କରିବା ସୁବିଧା ଦିଅନ୍ତି। ଆପଣଙ୍କ ଆବଶ୍ୟକତା ଅନୁସାରେ ସଠିକ ରାଇଡର ବାଛନ୍ତୁ ଓ ପଲିସିର କାର୍ଯ୍ୟକ୍ଷମତାକୁ ବଢାନ୍ତୁ।

ରାଇଡର କ’ଣ?

ଜୀବନ ବୀମା ପଲିସିରେ ଅତିରିକ୍ତ ସୁବିଧା ଯୋଡିବା ପାଇଁ ରାଇଡରର ବ୍ୟବହାର କରାଯାଇଥାଏ। ଯାହା ସଂପୂର୍ଣ୍ଣ ରୂପେ ବୈକଳ୍ପିକ ହୋଇଥାଏ। କୌଣସି ବୀମା କମ୍ପାନି ଏହାକୁ ମୂଳ ବୀମା ସହ ଯୋଡ଼ିକରି ଦେଇନଥାଏ। ଆପଣଙ୍କୁ ନିଜ ଆବଶ୍ୟକତା ଅନୁସାରେ ଏହାକୁ ବାଛିବାକୁ ପଡ଼ିଥାଏ। ଯଦି କୌଣସି କମ୍ପାନି ଏହାକୁ ମୁଳ ପ୍ଲାନ୍ ସହ ଯୋଡ଼ି ବିକ୍ରି କରୁଥାଏ ତେବେ କମ୍ପାନି ମୂଳ ସମ୍ ଆସ୍ୟୁର୍ଡ ଉପରେ ଅତିରିକ୍ତ କଭରେଜ୍ ବା ସୁବିଧା ଦେଇଥାଏ। ରାଇଡର କୌଣସି ବୀମା ପ୍ଲାନ୍, ଟର୍ମ ପ୍ଲାନ୍, ଏଣ୍ଡେୋମେଣ୍ଟ ପ୍ଲାନ୍, ମନି ବ୍ୟାକ୍ ପ୍ଲାନ୍ କିମ୍ବା ୟୁଲିପ୍ ସହ ଯୋଡ଼ି ହୋଇକରି ଆସିନଥାଏ। ଏହା ବୀମା ଧାରକଙ୍କ ଆବଶ୍ୟକତା ଅନୁସାରେ ପଲିସିକୁ ଅଧିକ ଅନୁକୁଳ କରିଥାଏ।

ଅଲଗା ଆବଶ୍ୟକତା, ଅଲଗା ରାଇଡର 

ଆକ୍ସିଡେଣ୍ଟାଲ ଡେଥ୍ ବେନିଫିଟ୍ 

କୌଣସି ଦୁର୍ଘଟଣାରେ ଜୀବନ ହରାଇଲେ ଏହି ରାଇଡର ପଲିସି ଧାରକଙ୍କୁ ଅତିରିକ୍ତ ସମ୍ ଆସ୍ୟୁର୍ଡ ପ୍ରଦାନ କରିଥାଏ। ଉଦାହାରଣ ସ୍ୱରୁପ ଯଦି ପଲିସି ୨୫ ଲକ୍ଷ ଟଙ୍କାର ସମ୍ ଆସ୍ୟୁର୍ଡ, ତେବେ ଦୁର୍ଘଟଣାରେ ପଲିସି ଧାରକ ପ୍ରାଣ ହରାଇଲେ ତାଙ୍କ ପରିବାରକୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ମିଳିବ। ସର୍ବ ମୋଟ୍ ପରିବାର ୩୫ ଲକ୍ଷ ଟଙ୍କା ପାଇବ।

ଆକ୍ସିଡେଣ୍ଟାଲ ଡିସେବଲ ବେନିଫିଟ୍

ଏହି ରାଇଡର ବୀମା ଧାରକଙ୍କୁ ଦୁର୍ଘଟଣା ପରେ ବିକଳାଙ୍ଗ ହେବା ସ୍ଥିତିରେ ମଧ୍ୟ ସମ୍ ଆସ୍ୟୁର୍ଡ ରାଶି ପ୍ରଦାନ କରିଥାଏ। କିଛି ବୀମା କମ୍ପାନି ବିନା ପ୍ରିମିୟମ ଦେଇ ପଲିସି ଜାରି ରଖିବା ବିକଳ୍ପ ମଧ୍ୟ ଦେଇଥାନ୍ତି।

ୱେଭର ଅଫ୍ ପ୍ରିମିୟମ(ପ୍ରିମିୟମ ଛାଡ) 

ଏହି ରାଇଡର ନେଇଥିଲେ ବୀମା କମ୍ପାନି ବୀମା ଧାରକଙ୍କୁ ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବେ ବିକଳାଙ୍ଗ ହେଲେ ରାଇଡର ଓ ମୁଳ ପଲିସିର ପ୍ରିମିୟମ ଛାଡ କରିଥାଏ। ପଲିସି ମ୍ୟାଚୁର ହେବା ପର୍ଯ୍ୟନ୍ତ ପଲିସି ଧାରକଙ୍କୁ ପ୍ରିମିୟମ ଦେବାକୁ ପଡ଼େନାହିଁ।

WOP ON CI

ଏହି ରାଇଡର ଚାରି ପ୍ରକାରର ଗମ୍ଭୀର ରୋଗ ଯେମିତିକି କ୍ୟାନସର, ଓପନ ହାର୍ଟ ସର୍ଜରି, ପ୍ରଥମ ହାର୍ଟ ଆଟାକ ଓ ପକ୍ଷଘାତ ଭଳି ସ୍ଥିତିରେ ରାଇଡର ଓ ବୀମାର ସବୁ ପ୍ରିମିୟମ ଛାଡ଼ କରିଥାଏ। ଅର୍ଥାତ ଆପଣଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡ଼ି ନାହିଁ।  ପ୍ରିମିୟମ ଦେବାକୁ ପଡ଼େନାହିଁ କିନ୍ତୁ ଦୁଇ ବୀମା କଭରେଜ୍ ଜାରି ରହିଥାଏ।

ଇନକମ୍ ବେନିଫିଟ୍

ଯଦି ବୀମା ଧାରକ କୌଣସି ଦୁର୍ଘଟଣା କାରଣରୁ ବିକଳାଙ୍ଗ ହୋଇଯାନ୍ତି ତେବେ ତାଙ୍କ ମାସିକ ଆୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏହି ରାଇଡର ବୀମା ଧାରକଙ୍କୁ ତାଙ୍କ ପଲିସିର ସମ୍ ଆସ୍ୟୁର୍ଡର ଏକ ପ୍ରତିଶତ ସହ ସମାନ ରାଶି ପ୍ରତି ମାସରେ ପ୍ରଦାନ କରିଥାଏ।