ଏସ୍‌ଆଇପି ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟରେ ଆପଣଙ୍କୁ ମାସିକ ଏକ ନିଶ୍ଚିତ ରାଶି ନିବେଶ କରିବାକୁ ପଡିଥାଏ।

ଏସ୍‌ଆଇପି(SIP) ବା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନକୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଉଥିବା ଆର୍ଥିକ ଶବ୍ଦ ଅଟେ। ଅନେକ ନିବେଶକ ଯେଉଁମାନେ ନିବେଶ କ୍ଷେତ୍ରକୁ ନୂଆ କରି ଆସିଥାନ୍ତି ସେମାନେ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କେମିତି କରାଯିବା ତାହା ଜାଣିବାକୁ ଚାହାନ୍ତି।

ଗତ କିଛି ବର୍ଷ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ୍‌ରେ ଏସ୍‌ଆଇପି ଜରିଆରେ ଅଧିକ ନିବେଶ ହେଉଛି। ଆପଣ ମଧ୍ୟ ଯଦି ନିଜ ବଳକା ଟଙ୍କାକୁ ପ୍ରତି ମାସରେ ଏସ୍‌ଆଇପି ଜରିଆରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ପଇସା ପ୍ଲସ ଆପଣଙ୍କୁ କହିବ କେମିତି ସିପ୍ କରିବେ।

ଏଠାରେ ଆମେ ଏସ୍‌ଆଇପିର ଏକ ଗାଇଡ୍ ଦେବୁ ଯାହାଦ୍ୱାରା ଆପଣ ଜାଣି ପାରିବେ ଯେ, ମ୍ୟୁଚୁଆଲ ଫଣ୍ଡ୍‌ରେ ଏସ୍‌ଆଇପି ଦ୍ୱାରା କେମିତି ନିବେଶ କରିପାରିବେ।

ଏସ୍‌ଆଇପି କ’ଣ?

ଏସ୍‌ଆଇପି ବା (SIP) ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ ଆପଣଙ୍କୁ ସବୁ ମାସରେ ନିଜର ପସନ୍ଦର ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ଅବସର ଦେଇଥାଏ। ସାଧାରଣତଃ ଏହାକୁ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ଆରମ୍ଭ କରାଯାଇଥାଏ।

କ’ଣ ପାଇଁ ଏସ୍‌ଆଇପି (SIP) ନିବେଶ ଆରମ୍ଭ କରିବେ?

ମ୍ୟୁଚୁଆଲ ଫଣ୍ଡରେ ନିବେଶ ଅନୁଶାସନ ଉପରେ ନିର୍ଭର କରିଥାଏ। ଏସ୍‌ଆଇପି ଆପଣଙ୍କ ଏହି ଅନୁଶାସନକୁ ବଜାୟ ରଖିଥାଏ। ଏହାସହ ସେୟାର ବଜାରରେ ମାନ୍ଦାବସ୍ଥା ଆସୁ କି ବଜାର ଉପରକୁ ଉଠୁ, ସବୁ ପରିସ୍ଥିତିରେ ଏସ୍‌ଆଇପି ନିବେଶ ଜାରି ରଖିଥାଏ। ଉଦାହାରଣ ସ୍ୱରୁପ ଯଦି ଆପଣଙ୍କୁ କୌଣସି ମ୍ୟୁଚୁଆଲ ଫଣ୍ଡରେ ପ୍ରତିମାସରେ ଗୋଟିଏ ନିର୍ଦ୍ଦିଷ୍ଟ ରାଶି ନିବେଶ କରିବାକୁ ପଡ଼ିବ ତେବେ ଆପଣଙ୍କୁ ସେଥିପାଇଁ ସମୟ ବାହାର କରିବାକୁ ପଡ଼ିବ। ଦ୍ୱିତୀୟ କଥା ହେଲା ଯଦି ବି ଆପଣ ସମୟ ବାହାର କରି ନିବେଶ କରିବାକୁ ଚିନ୍ତା କରୁଛନ୍ତି ତେବେ ସେୟାର ବଜାରର ସ୍ଥିତି ଦେଖି ହୁଏତ ଆପଣ ପଛଘୁଞ୍ଚା ଦେଇପାରନ୍ତି ଯେ, କାଳେ ମୋ ନିବେଶ ବୁଡ଼ି ଯିବ ଏବଂ ଆପଣ ନିଜ ନିଷ୍ପତିକୁ ଟାଳି ଦିଅନ୍ତି।

ଏସ୍‌ଆଇପି ଏହି ସବୁ ପରିସ୍ଥିତିରୁ ଆପଣଙ୍କୁ ବଞ୍ଚାଇ ଥାଏ ଓ ନିର୍ଦ୍ଧାରିତ ଦିନ ଆପଣଙ୍କ ଦ୍ୱାରା ଚୟିତ ତାରିଖରେ ମ୍ୟୁଚୁଆଲ ଫଣ୍ଡରେ ଆପଣଙ୍କ ଦ୍ୱାରା ବଛା ଯାଇଥିବା ଫଣ୍ଡ୍‌ରେ ନିବେଶ କରିଦିଏ।

ସବୁଠାରୁ ବଡ଼ କଥା ହେଲା ଏଥିରେ କମ୍ପାଉଣ୍ଡିଂ ଫାଇଦା ଥାଏ। ଯଦି ଆପଣ ଲମ୍ବା ଅବଧିର ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି  ଓ ରିଟର୍ଣ୍ଣ ପାଆନ୍ତି ତେବେ ଆପଣଙ୍କୁ ସେହି ରିଟର୍ଣ୍ଣ ଉପରେ ମଧ୍ୟ ରିଟର୍ଣ୍ଣ ମିଳିଥାଏ, ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆପଣ ସେହି ନିବେଶ ରାଶିକୁ କାଢ଼ି ନାହାନ୍ତି। ଏଥିରେ ଶେଷକୁ ଆପଣଙ୍କୁ ଏକ ବଡ଼ ଫଣ୍ଡ୍‌ ତିଆରି କରିବାରେ ସାହାଯ୍ୟ ମିଳିଥାଏ।

ଏସ୍‌ଆଇପି ଆରମ୍ଭ କରିବାକୁ କେତେ ଟଙ୍କା ଆବଶ୍ୟକ?

ମାସିକ ୫୦୦ ଟଙ୍କା ଦେଇ ଆପଣ କୌଣସି ମ୍ୟୁଚୁଆଲ ଫଣ୍ଡରେ ଏସ୍‌ଆଇପି କରିପାରିବେ।

କ’ଣ ଏସ୍‌ଆଇପି(SIP)କୁ ଜାରି ରଖା ଯାଇପାରିବ?

ହଁ, ଯଦିଓ ଅନେକ ଏସ୍‌ଆଇପି ଲମ୍ବା ଅବଧି ପାଇଁ ଖୋଲାଯାଇଥାଏ ଓ ସେଥିରେ ପ୍ରତି ମାସରେ ଏକ ନିର୍ଦ୍ଧାରିତ ରାଶି ଡିପୋଜିଟ୍ କରାଯାଇଥାଏ ତଥାପି ନିବେଶକ ଚାହିଁଲେ ନିଜ ହିସାବରେ ସିପକୁ କଷ୍ଟମାଇଜ୍ କରିପାରିବେ। ଅନେକ ଫଣ୍ଡ୍ ହାଉସ୍ ନିବେଶକଙ୍କୁ ମାସିକ, ପାକ୍ଷିକ ଓ ତିନି ମାସରେ ନିବେଶର ଅନୁମତି ଦେଇଥାନ୍ତି।

ଏସ୍‌ଆଇପି(SIP)ରେ ନିବେଶକଙ୍କ ପାଖରେ ନିବେଶ ରାଶିକୁ ବଢାଇବା-କମାଇବା ବିକଳ୍ପ ମଧ୍ୟ ଥାଏ । ଏଲର୍ଟ ଏସ୍‌ଆଇପି ଜରିଆରେ ନିବେଶକଙ୍କୁ ଏଭଳି ସୂଚନା ଦିଆଯାଇଥାଏ, ଯେଉଁଥିରେ ସେୟାର ବଜାରର ମାନ୍ଦା ଆସିଲେ ଅଧିକ ରାଶି ନିବେଶ କରିବାକୁ ପରାମର୍ଶ ଦିଆଯାଏ। ଦୀର୍ଘକାଳିନ ଏସ୍‌ଆଇପିରେ ନିବେଶକଙ୍କୁ ସମାପ୍ତି ତାରିଖ ବାଛିବାର ଆବଶ୍ୟକତା ନଥାଏ। ଆପଣଙ୍କ ନିବେଶ ଲକ୍ଷ୍ୟ ପୁରା ହେବା ପରେ ଆପଣ ଫଣ୍ଡ୍ ହାଉସକୁ ଗୋଟିଏ ସୂଚନା ଦେଇ ଏସ୍‌ଆଇପିକୁ ବନ୍ଦ କରିପାରିବେ।