ବୀମାକୁ କେବେ ମଧ୍ୟ ନିବେଶ ଭାବେ ନିଅନ୍ତୁ ନାହିଁ ଏବଂ ବୀମା କରିବା ବେଳେ ନିଜ ବାର୍ଷିକ ଆୟକୁ ଧ୍ୟାନରେ ରଖନ୍ତୁ…

ଆମ ସମସ୍ତଙ୍କ ପାଇଁ ବୀମା ଜରୁରୀ। ଜୀବନ ଅନିଶ୍ଚିତ ହୋଇଥିବାରୁ ବୀମାର ଆବଶ୍ୟକତା ରହିଛି। ମାତା, ପିତାଙ୍କଠାରୁ ଛାତ୍ର ଓ ଅବିବାହିତ ବ୍ୟକ୍ତି ସମସ୍ତଙ୍କ ପାଇଁ ବୀମା ଏକ ଜରୁରୀ ଆବଶ୍ୟକତା। ବୟସ ଓ ଆର୍ଥିକ ବୋଝ ବଢ଼ିବା ସହ ବୀମା ପଲିସିର ଆବଶ୍ୟକତା ବଢ଼ିଥାଏ। ତେବେ ଜୀବନ ବୀମା ନେବା ସମୟରେ ଆମେ କିଛି ଭୁଲ କରିଥାଉ। ଯାହା ଆଗକୁ ଚାଲି ଆମକୁ ମହଙ୍ଗା ପଡ଼ିଥାଏ। ଭୁଲରେ ନିଆଯାଇଥିବା ବୀମା ଆମ ଆବଶ୍ୟକତା ତ’ ପୂରଣ କରିପାରେନି ଅଧିକନ୍ତୁ ଏହା ଆମ ଆର୍ଥିକ ବୋଝକୁ ବଢ଼ାଇ ଦେଇଥାଏ। ତେଣୁ ବୀମା କରିବା ସମୟରେ କିଛି କଥାକୁ ଧ୍ୟାନରେ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା ସେହି ସବୁ ପ୍ରସଙ୍କ କ’ଣ, ଯାହାକୁ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ବୀମାକୁ କେବେ ମଧ୍ୟ ନିବେଶ ବୋଲି ଭାବନ୍ତୁ ନାହିଁ

ଜୀବନ ବୀମା ଆୟର ଅନ୍ୟ ବିକଳ୍ପ ଭାବେ କାମ କରିଥାଏ। ଜୀବନ ବୀମାକୁ ନିବେଶ ଭାବେ ନେବା ଭୁଲ। ନିବେଶର ଉଦ୍ଦେଶ୍ୟ ରିସ୍କରେ ରିଟର୍ଣ୍ଣ ହୋଇଥାଏ। କିନ୍ତୁ ଜୀବନ ବୀମାର ଲକ୍ଷ୍ୟ ଆପଣଙ୍କ ସଞ୍ଚୟ ଓ ନିବେଶର ରକ୍ଷା। ଜଣେ ବ୍ୟକ୍ତିଙ୍କର କେତେ ବୀମା ଆବଶ୍ୟକ ଏହା ସମସ୍ତେ ଜାଣିବାକୁ ଚାହାନ୍ତି। ଜୀବନ ବୀମା ଆବଶ୍ୟକତା ବାର୍ଷିକ ଆୟ କିମ୍ବା ବାର୍ଷିକ ସଞ୍ଚୟ ଉପରେ ଆଧାରିତ ହୋଇଥାଏ। ସଠିକ ବୀମା ରାଶି କେତେ ହେବା ଦରକାର ତାହ ଜାଣିବାକୁ ଆପଣଙ୍କ ସହାୟତା ପାଇଁ ଅନେକ ଜୀବନ ବୀମା କାଲକୁଲେଟର ଉପଲବ୍ଧ ଅଛି। ଜୀବନ ବୀମାକୁ କେବଳ ଟ୍ୟାକ୍ସ ବଞ୍ଚାଇବାକୁ ଯଦି କିଣୁଛନ୍ତି ତେବେ ସେଥିରୁ ନିବୃତ ରୁହନ୍ତୁ।

ଭୁଲ ବୀମାର ଚୟନ

ବଜାରରେ ବିଭିନ୍ନ ପ୍ରକାରର ବୀମା ଉପଲବ୍ଧ ଅଛି। ଉଦାହରଣ ସ୍ୱରୁପ ଟର୍ମ ଇନସ୍ୟୁରାନ୍ସ, ରିଟର୍ଣ୍ଣ ଅଫ୍ ପ୍ରିମିୟମ ଟର୍ମ ଇନସ୍ୟୁରାନ୍ସ ପ୍ଲାନ ସହିତ ପାରମ୍ପରିକ ଟର୍ମ ପ୍ଲାନ ରହିଛି। ଜୀବନ ବୀମା ନେବା ପୂର୍ବରୁ ଏହା ଜାଣନ୍ତୁ ଯେ, ଆପଣଙ୍କ ପାଇଁ କେଉଁ ବୀମା ଠିକ୍ ରହିବ। ବୀମା ନେବା ପୂର୍ବରୁ ବିଭିନ୍ନ କମ୍ପାନିର ପଲିସି ପ୍ରିମିୟମ ମଧ୍ୟରେ ତୁଳନା କରନ୍ତୁ। ଏଜେଣ୍ଟଙ୍କ ବାବଦରେ ପତା ଲଗାନ୍ତୁ।  କାରଣ ଅନେକ ବୀମା ଏଜେଣ୍ଟ ଠକେଇ କରିଥାନ୍ତି। ଆପଣଙ୍କୁ ବୀମା ବାବଦରେ ସଠିକ ତଥ୍ୟ ନଦେଇ ଭ୍ରମିତ କରିଥାନ୍ତି। ତେଣୁ ସଠିକ ବୀମା ଏଜେଣ୍ଟଙ୍କ ପାଖରେ ହିଁ ବୀମା କରନ୍ତୁ। ଏମିତି ନହେଲେ ପରେ ଆପଣଙ୍କୁ ପଶ୍ଚତାପ କରିବାକୁ ପଡ଼ିବ।

ଲମ୍ବା ସମୟ ଅବଧିର ବୀମା

ଜୀବନ ବୀମା ଲମ୍ବା ସମୟ ପାଇଁ ହୋଇଥାଏ। ଯଦି ସମୟ ପୂର୍ବରୁ ଆପଣ ବୀମା ପ୍ରିମିୟମ ଦିଅନ୍ତି ନାହିଁ ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ। ପ୍ରିମିୟମ ବାବଦରେ ଦେଇଥିବା ଅର୍ଥ ବୁଡ଼ିବା ଆଶଙ୍କା ରହିଛି। ମ୍ୟାଚୁରିଟି ପୂର୍ବରୁ ଆପଣ ବୀମା ସରେଣ୍ଡର କରି ପାରନ୍ତି କିନ୍ତୁ କିଛି ବୀମା ସରେଣ୍ଡର କଲେ ଆପଣଙ୍କୁ ଖୁବ କମ ଟଙ୍କା ମିଳିବ। ୟୁଲିପ ପ୍ଲାନରେ ବୀମା ସରେଣ୍ଡର ପ୍ଲାନ୍ ସାଧାରଣତଃ ୫ ବର୍ଷ ପରେ ଶୁନ୍ୟ ହୋଇଥାଏ। କିନ୍ତୁ ସବୁ ବୀମାରେ ଏହି ସୁବିଧା ନଥାଏ।

ପଲିସି ଲାପ୍ସ ହେବା

ଆପଣ ଯଦି ମ୍ୟାଚୁରିଟି ପରେ ବୀମା ରାଶି ପାଇବାକୁ ଚାହୁଁଛନ୍ତି ତେବେ ଠିକ୍ ସମୟରେ ପ୍ରିମିୟମ ଦିଅନ୍ତୁ। ଯଦି ପ୍ରିମିୟମ ନଦେଇଥିବେ ତେବେ ବୀମା କମ୍ପାନି ଆପଣଙ୍କ ଦାବିକୁ ଖାରଜ କରିପାରେ। ଏପରିକି ପଲିସି ଲାପ୍ସ ହେବାର ଗୋଟିଏ ଦିନ ପରେ ମଧ୍ୟ ଯଦି ଆପଣ କ୍ଲେମ୍ କରନ୍ତି ତେବେ ମଧ୍ୟ ବୀମା କମ୍ପାନି ଆପଣଙ୍କ କ୍ଲେମ୍‌କୁ ଅସ୍ୱିକାର କରିପାରିବ। ତେଣୁ ଠିକ୍ ସମୟରେ ପ୍ରିମିୟମ ଦିଅନ୍ତୁ।