ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆପଣଙ୍କ ପର୍ସ ପାଇଁ ବି ଭାରି..।

ଧୂମପାନ ସ୍ୱସ୍ଥ୍ୟ ପାଇଁ ହାନିକାରକ। ଏକଥା ସମସ୍ତେ ଜାଣିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂସାରେ ୧୨ ପ୍ରତିଶତ ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ଘର ହେଉଛି ଭାରତ। ଯେଉଁମାନଙ୍କ ମଧ୍ୟରୁ ବାର୍ଷିକ ୧ କୋଟି ଲୋକ ଧୂମପାନ ଜନିତ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି। ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇ ନୁହେଁ ଆପଣଙ୍କ ପର୍ସ ପାଇଁ ମଧ୍ୟ ହାନିକାରକ। ସିଗାରେଟ୍, ବିଡ଼ି ଟାଣିବା କାରଣରୁ ଆପଣଙ୍କୁ ଇନସ୍ୟୁରାନ୍ସ କିଣିବା ବେଳେ ଜଣେ ସାଧାରଣ ଉପଭୋକ୍ତାଙ୍କଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କାରଣ ସିଗାରେଟ୍ ଭଳି ନିକୋଟିନ ଯାତ ପଦାର୍ଥ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଅଧିକ ହୋଇଥିବାରୁ ବୀମା କମ୍ପାନି ସେମାନଙ୍କଠାରୁ ଅଧିକ ପ୍ରିମିୟମ ଅସୁଲ କରିଥାନ୍ତି। ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ପକ୍ଷରେ ବୀମା କିଣିବାରେ କୌଣସି ଅସୁବିଧା ନାହିଁ କିନ୍ତୁ ସେମାନଙ୍କୁ ଅଧିକ ଟଙ୍କା ସମାନ ବିମା ପାଇଁ ଦେବାକୁ ପଡ଼ିଥାଏ।

ଜଣେ ବ୍ୟକ୍ତି ନିଜ ପରିବାରର ସୁରକ୍ଷା ପାଇଁ ବୀମା କରାଇଥାନ୍ତି। ତାଙ୍କ ପରେ ତାଙ୍କ ପରିବାର ଯେପରି ଆର୍ଥିକ ଭାବେ ସୁରକ୍ଷିତ ରହିବ ସେଥିପାଇଁ ଇନସ୍ୟୁରାନ୍ସ କରାଇଥାନ୍ତି। ବୀମାର ମୁଲ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଓ ପାରିବାରିକ ଇତିହାସ ଉପରେ ନିର୍ଭର କରିଥାଏ। କିନ୍ତୁ ଯେଉଁ କଥା ଉପରେ ବୀମା କମ୍ପାନି ଅଧିକ ଗୁରୁତ୍ୱ ଦେଇଥାନ୍ତି ତାହା ହେଉଛି ଆପଣ ସିଗାରେଟ୍ ପିଅନ୍ତି କି ନାହିଁ।

କ’ଣ ପାଇଁ ବଢେ ପ୍ରିମିୟମ ?

ଅଧିକାଂଶ ବୀମା କମ୍ପାନି ସିଗାରେଟ୍ ପିଇବା ସହ ଜଡ଼ିତ ସ୍ୱାସ୍ଥ୍ୟଗତ ବିପଦକୁ ଦେଖି ପ୍ରିମିୟମ ଚାର୍ଜ କରିଥାନ୍ତି।  କାରଣ ସିଗାରେଟ୍ ପାନ ଦ୍ୱାରା ଜୀବନ ପାଇଁ ବିପଦ ସୃଷ୍ଟି ହୁଏ। ହୃଦରୋଗ, ରକ୍ତଚାପ ଓ କ୍ୟାନସର ଭଳି ରୋଗର ଆଶଙ୍କା ଏହା ଅଧିକ ବଢ଼ାଇଥାଏ। ଫୁସ୍‌ଫୁସ୍‌ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି। ବୀମା କମ୍ପାନି ଆପଣଙ୍କ ହେଲ୍‌ଥ ରିସ୍କକୁ ଦେଖନ୍ତି। ସେମାନେ ବିପଦସ୍ତରକୁ ଦେଖି ପ୍ରିମୟମ ଚାର୍ଜ କରନ୍ତି। ଯେତେବେଳେ ଆପଣ ଜୀବନ ବୀମା ପାଇଁ ଆବେଦନ କରନ୍ତି, ସେତେବେଳେ ଆପଣଙ୍କ ଗତ ୧୨ ମାସ ମଧ୍ୟରେ ତମାଖୁ ବ୍ୟବହାରକୁ ନେଇ ପ୍ରଶ୍ନ ପଚରାଯାଇଥାଏ। ଆପଣ ହୁଏତ ଭାବି ପାରନ୍ତି ଯେ, ସହଜରେ ଆପଣ ମିଛ କହି ଖସିଯାଇପାରିବେ। କିନ୍ତୁ ସେମିତି ହୁଏନା। କାରଣ ମେଡିକାଲ ଟେଷ୍ଟରେ ଆପଣଙ୍କ ରକ୍ତରୁ ନିକୋଟିନ କଣ ସହଜରେ ମିଳିଯିବ। ତେଣୁ ଭଲ ହେବ ଆପଣ ଏବାବଦରେ କମ୍ପାନିଙ୍କୁ ମିଛ କୁହନ୍ତୁ ନାହିଁ। ସତ କୁହନ୍ତୁ ଓ ଠିକ୍ ତଥ୍ୟ ଦିଅନ୍ତୁ। ଆପଣଙ୍କ ପ୍ରିମିୟମ୍ ବଢିପାରେ କିନ୍ତୁ ବିମା ବୈଧ ରହିବ।

କେତେ ବଢେ ପ୍ରିମିୟମ?

ଆପଣ ଅନଲାଇନ୍ ବୀମା ନେବା ବେଳେ ଭୁଲ ତଥ୍ୟ ଦେଇ ବୀମା ନେଇପାରନ୍ତି କିନ୍ତୁ ମେଡିକାଲ ଟେଷ୍ଟ୍‌ରୁ ଆପଣ ତମାଖୁ ବ୍ୟବହାରକାରୀ ଜଣା ପଡ଼ିବା ପରେ ଆପଣଙ୍କ ବୀମା ଅକାମି ହୋଇଯିବାର ଶତ ପ୍ରତିଶତ ସମ୍ଭବାନା ରହିଛି। ତେଣୁ ଅଧିକ ପ୍ରିମୟମ ଦିଅନ୍ତୁ ପଛେ ବିମା ନେବାବେଳେ ମିଛ କୁହନ୍ତୁ ନାହିଁ। ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ, ମୁଁ ଯଦି ସିଗାରେଟ୍ ପିଉଛି ତେବେ ମୋତେ ଜୀବନ ବୀମା ନେବାକୁ କେତେ ଟଙ୍କା ପ୍ରିମିୟମ ଦେବାକୁ ପଡିବ? ଆଉ ଜଣ ସାଧାରଣ ବ୍ୟକ୍ତି ଯିଏ କୌଣସି ପ୍ରକାରର ନିଶା କରନ୍ତି ନାହିଁ ତାଙ୍କଠାରୁ କେତେ ଅଧିକ ପ୍ରିମିୟମ ଦେବାକୁ ପଡ଼ବ ?

ଉଦାହରଣ ଦ୍ୱାରା ବୁଝନ୍ତୁ

ଟର୍ମ ଇନସ୍ୟୁରାନ୍ସ ହେଉ କି ପାରମ୍ପାରିକ ବୀମା, ଉଭୟ କ୍ଷେତ୍ରରେ ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରିମୟମ ଦେବାକୁ ପଡ଼େ। ଉଦାହରଣ ସ୍ୱରୁପ ଜଣେ ୩୦ ବର୍ଷୀୟ ବ୍ୟକ୍ତି ଏକ କୋଟି ଟଙ୍କାର ଟର୍ମ ଇନସ୍ୟୁରାନ୍ସ ନେବାକୁ ଯାଉଛନ୍ତି। ସେ ସିଗାରେଟ୍ ପିଅନ୍ତି ନାହିଁ। ତାଙ୍କୁ ଏକ କୋଟିର ଟର୍ମ ଇନସ୍ୟୁରାନ୍ସ ପାଇଁ ବାର୍ଷିକ ୮୨୬୦ ଟଙ୍କ ପ୍ରିମୟମ ଦେବାକୁ ପଡିବ। ଏବେ ସେହି ସମାନ ବୟସର ଜଣେ ଧୁମପାନକାରୀଙ୍କ ଉଦାହରଣ ନିଅନ୍ତୁ। ତାଙ୍କ ବୟସ ମଧ୍ୟ ୩୦। ସେ ବି ଏକ କୋଟି ଟଙ୍କାର ଟର୍ମ ଇନସ୍ୟୁରାନ୍ସ ନେବାକୁ ଭାବୁଛନ୍ତି। କିନ୍ତୁ ତାଙ୍କୁ ବୀମା କଂପାନି ସେହି ଏକା ସୁରକ୍ଷା କଭର ଦେବାକୁ ବର୍ଷକୁ ପ୍ରିମିୟମ ନେବ ୧୪ ହଜାର ୭୫୦ ଟଙ୍କା। ପ୍ରଥମ ବ୍ୟକ୍ତି ଏକ କୋଟି ବୀମା ପାଇଁ ଦେଉଥିବା ରାଶିର ୭୮ ପ୍ରତିଶତ ଅଧିକା ଦ୍ୱିତୀୟ ବ୍ୟକ୍ତିଙ୍କୁ ଦେବାକୁ ପଡୁଛି। 

ତେଳ ଦିଆଯାଇଥିବା ବକ୍ସକୁ ଦେଖନ୍ତୁ। ଭାରତରେ ଟର୍ମ ଇନସ୍ୟୁରାନ୍ସ ଦେଉଥିବା ତିନୋଟି ବଡ ବୀମା କମ୍ପାନିଙ୍କ ପ୍ରିମିୟମ ଚାର୍ଜକୁ ଏଠାରେ ତୁଳନା କରାଯାଇଛି। ଯେଉଁଥିରୁ ସ୍ପଷ୍ଟ ଜଣା ପଡୁଛି କେମିତି ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ପର୍ସରୁ ଏକ କୋଟିର କଭର ପାଇଁ ଅଧିକ ଟଙ୍କା ଯାଉଛି

 ବୀମା କଂପାନି  ପ୍ଲାନ୍  ସିଗାରେଟ୍ ପିଉନଥିବା ବ୍ୟକ୍ତିଙ୍କ ବାର୍ଷିକ ପ୍ରିମିୟମ  ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ବାର୍ଷିକ ପ୍ରିମିୟମ
 ଇଣ୍ଡିଆ ଫାଷ୍ଟ ଇନସ୍ୟୁରାନ୍ସ  ଇ-ଟର୍ମ ପ୍ଲାନ୍  ୮୨୬୦  ୧୪,୭୫୦
 ଆଇସିଆଇସିଆଇ ପ୍ରୁଡେନସିଆଲ ଲାଇଫ୍ ଇନସ୍ୟୁରାନ୍ସ  ଆଇ ପ୍ରୋଟେକ୍ଟ ସ୍ମାର୍ଚ  ୧୨,୫୦୨  ୧୯,୩୮୩
ଏଚଡିଏଫସି ଲାଇଫ୍ ଇନସ୍ୟୁରାନ୍ସ  ୩ଡି ପ୍ଲସ ଲାଇଫ୍ ଅପସନ୍  ୧୨,୪୭୮  ୨୦,୩୨୨

୧୨ରୁ ୧୮ ମାସ ପୂର୍ବରୁ ସିଗାରେଟ୍ ଛାନ୍ତୁ

ଯେଉଁମାନେ ନିଜ ଲାଇଫ୍ ଇନସ୍ୟୁରାନ୍ସ ଓ ସ୍ୱାସ୍ଥ୍ୟ ବୀମ ପ୍ରିମୟମ ଦରକୁ କମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସିଗାରେଟ୍ ଛାଡିବାକୁ ପଡ଼ିବ। ତେବେ ଏମିତି ନୁହେଁ ଯେ, ଆପଣ ଆସନ୍ତା କାଲି ବୀମା ନେବେ ଆଉ ଆଜିଠାରୁ ସିଗାରେଟ୍ ଛାଡି ଦେଳେ ଆପଣଙ୍କ ପ୍ରିମିୟମ କମିଯିବ। ଆପଣଙ୍କୁ କମ ବୀମା ପ୍ରିମିୟମ ପାଇଁ ଅତିକମରେ ୧୨ରୁ ୧୮ ମାସ ପୂର୍ବରୁ ସିଗାରେଟ୍ ଟାଣିବା ଛାଡିବାକୁ ପଡ଼ିବ। ତେବେ ଯାଇ ଆପଣଙ୍କ ବୀମା ପ୍ରିମୟମ କମିବ। ତେଣୁ ସିଗାରେଟ୍ ଛାଡ଼ନ୍ତୁ ଓ ଦେହ ସହ ପର୍ସର ବି ଯତ୍ନ ନିଅନ୍ତୁ।