ବୀମା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁପରେ କେମିତି ବୀମା ରାଶି ପାଇବେ, ଆସନ୍ତୁ ଜାଣିବା।

ପରିବାରର ଆର୍ଥିକ ଭବିଷ୍ୟତ ପାଇଁ ଆମେ ଜୀବନ ବୀମା ନେଇଥାଉ। ତେବେ ଜଣେ ବୀମା ଧାରକ ପଲିସି ପରିପକ୍ୱ ହେବା ପରେ ନିଜ ବୀମା ରାଶି କେମିତି ପାଇବେ କିମ୍ବା ବୀମା ଧାରକଙ୍କ ମୃତ୍ୟୁପରେ ତାଙ୍କ ନୋମିନି କଣ କଲେ ତାଙ୍କୁ ବୀମା ରାଶି ମିଳିବ? ଏହି ପ୍ରଶ୍ନ ଅନେକ ସମୟରେ ଆମ ମନକୁ ଆସିଥାଏ। ଆସନ୍ତୁ ଜାଣିବା କେମିତି ଜଣେ ବୀମା ରାଶି କ୍ଲେମ୍ କରିବେ..

ଦୁଇଟି ସ୍ଥିତିରେ ବୀମା ରାଶି କ୍ଲେମ୍ କରାଯାଇଥାଏ..

. ପଲିସି ଧାରକଙ୍କ ମୃତ୍ୟୁ ପରେ

. ପଲିସି ପରିପକ୍ୱ ହେବା ପରେ

ବୀମା ଧାରକଙ୍କ ମୃତ୍ୟୁପରେ

ଯଦି ପଲିସି ପରିପକ୍ୱ ହେବା ପୂର୍ବରୁ ପଲିସି ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ନୋମିନଙ୍କୁ ବୀମା ରାଶି ପାଇଁ ଗୋଟିଏ ଫର୍ମ ପୁରଣ କରିବାକୁ ପଡ଼ିଥାଏ। ଯାହାକୁ କ୍ଲେମ୍ ଫର୍ମ କୁହାଯାଏ। ବୀମା କମ୍ପାନି ଏହି ଫର୍ମ ଦେଇଥାଏ।

ଏହି ଫର୍ମରେ କିଠି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁରଣ କରାଯାଇଥାଏ। ଯେମିତି ପଲିସି ନମ୍ବର, ମୃତ୍ୟୁ ତାରିଖ ଓ ସମୟ, ମୃତ୍ୟୁର କାରଣ ମଧ୍ୟ ଉଲ୍ଲେଖ କରିବାକୁ ପଡିଥାଏ। ଫର୍ମ ପୁରଣ ପରେ ତା’ ସହିତ କିଛି ଜରୁରୀ କାଗଜପତ୍ର ଯେମିତି ମୃତ୍ୟୁ ପ୍ରମାଣପତ୍ର, ଜୀବନ ବୀମାର ସବୁ ମୁଳ କାଗଜ, ନୋମିନି ସାର୍ଟିଫିକେଟକୁ ଆଟାଚ କରିବାକୁ ପଡ଼ିବ। ଯଦି ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥାଏ ତେବେ ଫର୍ମ ସହ ଏଫଆଇଆର କପିକୁ ମଧ୍ୟ ଯୋଡ଼ିବାକୁ ପଡ଼ିବ।

ଏହାସବୁ କରିବା ପରେ ଫର୍ମକୁ କମ୍ପାନି ଠିକଣାରେ ପଠାଇବାକୁ ପଡ଼ିବ। ଫର୍ମରେ କମ୍ପାନି ଠିକଣା ରହିଥାଏ। କମ୍ପାନି ନିଜ ତରଫରୁ ଫର୍ମ ଓ କାଗଜପତ୍ରର ଯାଞ୍ଚ କରିଥାଏ। ଯଦି ସବୁ ତଥ୍ୟ ଓ ଦସ୍ତାବିଜ୍ ଠିକ୍ ଥାଏ ତେବେ କିଛି ଦିନ ମଧ୍ୟରେ ଆପଣଙ୍କୁ ଆପଣଙ୍କ ବୀମା ରାଶି ମିଳିଯାଇଥାଏ।

ପଲିସି ମ୍ୟାଚୁର ହେବା ପରେ କେମିତି କରିବେ କ୍ଲେମ୍

ଆପଣଙ୍କ ପଲିସି ପରିପକ୍ୱ ହେବା ପରେ ଜୀବନ ବୀମା କଂପାନି ତରଫରୁ ଆପଣଙ୍କୁ ଗୋଟିଏ ଡିସଚାର୍ଜ୍ ଫର୍ମ ଆସିଥାଏ। ଯାହା ଆପଣଙ୍କ ପଞ୍ଜିକୃତ ଠିକଣାରେ ଆସିଥାଏ। ସେହି ଭାଉଚରରେ ଆପଣଙ୍କୁ କିଛି ଡିଟେଲ୍ ପୁରଣ କରିବାକୁ ପଡ଼ିଥାଏ। ଏଥିରେ ଆପଣଙ୍କୁ ପଲିସି ନମ୍ବର ଓ ପଲିସି ହୋଲ୍ଡରଙ୍କ ନାମ ଲେଖିବାକୁ ପଡ଼ିବ।

ଏହି ଭାଉଚରରେ ସବୁଠୁ ଗୁରୁତ୍ୱ ରଖେ ପଲିସି ଧାରକଙ୍କ ଦସ୍ତଖତ। ପଲିସି ଧାରକଙ୍କୁ ନିଜ ଦସ୍ତଖତ ସହ ଭାଉଚରକୁ ଅଫିସରେ ଡିପୋଜିଟ୍ କରିବାକୁ ପଡ଼ିବ। ଏହାପରେ କମ୍ପାନି ଆପଣଙ୍କୁ କ୍ଲେମ୍ ରାଶି ଦେଇଥାଏ।