ଜାଣନ୍ତୁ ପିପିଏଫ୍ ଆକାଉଣ୍ଟରେ ପରିବର୍ତ୍ତନ ଆପଣଙ୍କୁ କେମିତି କରିବ ପ୍ରଭାବିତ..

କେନ୍ଦ୍ର ସରକାର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍‌(PPF)ରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଛି। ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ସ୍କିମ୍ ୨୦୧୯ ନାମରେ ଜାରି କରାଯାଇଥିବା ଏହି ନୋଟିଫିକେସନ ତତ୍କାଳ ଭାବେ ଲାଗୁ ହୋଇଛି। ଏହାସହ ପୁରୁଣା ନିୟମ ଅକାମି ହୋଇଯାଇଛି। ବର୍ତ୍ତମାନ ଜଣେ ବ୍ୟକ୍ତି ଫର୍ମ ୧ ଅନ୍ତର୍ଗତରେ ଗୋଟିଏ ଦରଖାସ୍ତ ଦେଇ ପିପିଏଫ୍‌ ଖାତା ଖୋଲି ପାରିବେ। କେବଳ ଏତିକି ନୁହେଁ ଜଣେ ନିଜର ନାବାଳକ ସନ୍ତାନଙ୍କ ନାମରେ ମଧ୍ୟ ପିପିଏଫ ଖାତା ଖୋଲି ପାରିବେ।

ପିପିଏଫ୍‌ ଖାତାକୁ ଜବତ କରାଯାଇ ପାରିବନି

କୌଣସି ବକେୟା ପାଇଁ କାହାରି ପିପିଏଫ୍ ଖାତାକୁ ଜବତ କରାଯାଇ ପାରିବ ନାହିଁ। ଏପରିକି ଅଦାଲତ ଆଦେଶ ଦ୍ୱାରା ମଧ୍ୟ ପିପିଏଫ ଖାତାକୁ ଜବତ କରାଯାଇ ପାରିବନି।

୫୦ ଟଙ୍କାରୁ ଆରମ୍ଭ ହୋଇ ପାରିବ ଜମା

ପିପିଏଫ୍ ଖାତାରେ ଜଣେ ବାର୍ଷିକ ଅତିକମରେ ୫୦ ଟଙ୍କା ଓ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ଜମା କରିପାରିବେ। ତେବେ ସର୍ବାଧିକ ଡିପୋଜିଟ ଲିମିଟ ନିଜ ଖାତା ସହ ନାବାଳକଙ୍କ ଖାତାକୁ ମିଳାଇ ଦେଖାଯିବ। ଆଗାରୁ ଜଣେ ବ୍ୟକ୍ତି ସର୍ବନିମ୍ନ ୫୦୦ ଟଙ୍କା ଜମା କରିପାରୁଥିଲେ। ତେବେ ନୁଆ ନିୟମ ଅନୁସାରେ ଜଣେ ଖାତା ଧାରକ ୫୦ ଟଙ୍କା ମଧ୍ୟ ଜମା କରିପାରିବେ। ଖାତା ଧାରକ ଏକାଧିକ ଥର ୫୦ ଟଙ୍କା ଜମା କରିପାରିବେ। ଆଗରୁ ଗୋଟିଏ ଆର୍ଥିକ ବର୍ଷରେ ଜଣେ ଖାତା ଧାରକ ସର୍ବନିମ୍ନ ୫୦୦ ଓ ବର୍ଷକୁ ୧୨ ଥର ଡିପୋଜିଟ କରିପାରୁଥିଲେ।

ପିପିଏଫ୍‌ରୁ ଲୋନ୍

ନୂଆ ନିୟମ ଅନୁସାରେ ନିଜ ପିପିଏଫ୍ ଖାତରୁ ଲୋନ୍ ନେଲେ ଆପଣଙ୍କୁ ୧ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଆଗରୁ ଏହା ୨ ପ୍ରତିଶତ ଥିଲା। ଖାତା ଖୋଲିବାର ତିନି ବର୍ଷ ପରେ ଆପଣ ଲୋନ୍ ନେଇ ପାରିବେ। ଯାହାକୁ ୨୪ ମାସରେ ସୁଝା ଯାଇପାରିବ। ଆପଣଙ୍କ ଖାତାରେ ଉପଲବ୍ଧ ରାଶି ଉପରେ ଏହି ଲୋନ୍ ମିଳିବ। ଲୋନ ନେବାର ୨୪ ମାସ ଭିତରେ ଯଦି ଆପଣ ତାକୁ ଶୁଝି ଦିଅନ୍ତି ତେବେ ୫ମ ବର୍ଷ ସରିବା ପର୍ଯ୍ୟନ୍ତ ଆପଣଙ୍କୁ ପୁଣି ଲୋନ୍ ମିଳିପାରିବ।  ତେବେ ସେତେବେଳେ ଆପଣଙ୍କୁ ଆକାଉଣ୍ଟରେ ଉପଲବ୍ଧ ଜମା ରାଶିର ୨୫ ପ୍ରତିଶତ ଲୋନ୍ ଭାବେ ମିଳିବ।

ଫେରସ୍ତ କରିବାକୁ ପଡୁନଥିବା ଟଙ୍କା ଉଠାଣ

ପ୍ରତି ପାଞ୍ଚ ବର୍ଷରେ ଜଣେ ଖାତା ଧାରକ ନିଜ ଖାତାରୁ ଟଙ୍କା ଉଠାଇ ପାରିବେ। ଯାହାକୁ ତାଙ୍କୁ ଫେରସ୍ତ କରିବାକୁ ପଡ଼ିବନାହିଁ। ତେବେ ସେ ନିଜ ଖାତାରେ ଉପଲବ୍ଧ ଜମା ରାଣିର ୫୦ ପ୍ରତିଶତ ହିଁ ଉଠାଇ ପାରିବେ। ଚତୁର୍ଥ ବର୍ଷ ସରିବା ବେଳକୁ ତାଙ୍କ ଖାତାରେ ଯେତିକି ଟଙ୍କା ଥିବ ସେତିକି ଟଙ୍କାର ୫୦ ପ୍ରତିଶତ ଉଠାଯାଇ ପାରିବ। ଆଗରୁ ଜଣେ ଖାତା ଧାରକ ୭ ବର୍ଷ ପରେ ୨୫ ପ୍ରତିଶତ ରାଶି ଉଠାଇ ପାରୁଥିଲେ। ଆଂଶିକ ଉଠାଣ ଉପରେ ଆୟକର ଦେବାକୁ ପଡ଼ିବନାହିଁ।

ସମୟ ପୂର୍ବରୁ ଖାତା ବନ୍ଦ

ଜଣେ ଖାତା ଧାରକ ଖାତା ଖୋଲିବାର ୫ ବର୍ଷ ପରେ ଖାତାକୁ ବନ୍ଦ କରି ପାରିବେ।  ତେବେ ଏଥିପାଇଁ ତାଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡୁଥିବ। ଯେମିତି (୧)ଖାତା ଧାରକ କିମ୍ବା ତାଙ୍କ ପତ୍ନି, ସନ୍ତାନ କିମ୍ବା ତାଙ୍କ ଉପରେ ନିର୍ଭରଶୀଳଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଲେ (୨) ନିଜ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଆବଶ୍ୟକ ହେଲେ। ତେବେ ନୂଆ ନିୟମ ଅନୁସାରେ ଖାତା ଧାରକ ଯଦି ଦେଶ ଛାଡୁଛନ୍ତି ତେବେ ସେ ନିଜ ଖାତାକୁ ବନ୍ଦ କରି ପାରିବେ। ତେବେ ଏଥିପାଇଁ ତାଙ୍କୁ ପାସପୋର୍ଟ ଓ ଭିସାର ପ୍ରମାଣ ଦେବାକୁ ହେବ। ସମୟ ପୂର୍ବରୁ ଖାତା ବନ୍ଦ କଲେ ୧ ପ୍ରତିଶତ କମ୍‌ ସୁଧ ମିଳିବ।

ଜଏଣ୍ଟ ଆକାଉଣ୍ଟ

ନୂଆ ନିୟମରେ ଜଏଣ୍ଟ ପିପିଏଫ୍ ଆକାଉଣ୍ଟ ଖୋଲିବାକୁ ଅନୁମତି ମିଳିଛି। ଆଗରୁ ଏଥିପାଇଁ ଅନୁମତି ନଥିଲା। ନୂଆ ନିୟମ ଅନୁସାର ନାବାଳକଙ୍କ ନାମରେ ଗୋଟିଏ ଆକାଉଣ୍ଟ୍‌ ଖୋଲାଯାଇପାରିବ। ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ନାମରେ ତାଙ୍କ ଅବିଭାବକ ମଧ୍ୟ ଖାତା ଖୋଲି ପାରିବେ।

ପ୍ରଥମ ବର୍ଷରେ ଏହାକୁ ଦିଅନ୍ତୁ ଗୁରୁତ୍ୱ

ଜଣେ ବ୍ୟକ୍ତି ଯଦି ଖାତା ଖୋଲିବାର ପ୍ରଥମ ବର୍ଷ ୫ଶହ ଟଙ୍କା ଜମା କରିବା ପରେ ଦ୍ୱିତୀୟ ବର୍ଷଠାରୁ କିଛି ମଧ୍ୟ ଟଙ୍କା ଜମା କରିନାହାନ୍ତି ତେବେ ଏହି ଖାତାକୁ ନିଷ୍କ୍ରିୟ  ବୋଲି ଗ୍ରହଣ କରାଯିବ। ବନ୍ଦ ଖାତାକୁ  ପରିପକ୍ୱତା ଅବଧିରେ ପୁନଃ ସକ୍ରିୟ କରିବାକୁ  ୫ଶହ ଟଙ୍କା ସହ ବାର୍ଷିକ ୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ଏହି ଶୁଳ୍କ ପ୍ରତିବର୍ଷ ଦେବାକୁ ପଡ଼ିବ।

ମ୍ୟାଚୁରିଟି ପୂର୍ବରୁ ରିଭାଇଭ୍ ନୁହେଁ

ବନ୍ଦ ଆକାଉଣ୍ଟରେ ଥିବା ବଳକା ଟଙ୍କାକୁ ଖାତା ଧାରକ ତରଫରୁ ପରିପକ୍ୱତା ପୂର୍ବରୁ ପୁନଃ ସକ୍ରିୟ କରାଯାଇପାରିବ ନାହିଁ।  କୌଣସି ପିରିଏଫ୍ ଆକାଉଣ୍ଟ ଧାରକ ଏଭଳି ଖାତା ପରିପକ୍ୱ ହୋଇ ବନ୍ଦ ନହେବା ପୂର୍ବରୁ ନୂଆ ଆକାଉଣ୍ଟ ଖୋଲି ପାରିବେ ନାହିଁ।

ପିପିଏଫରେ ଏତିକି ମିଳୁଛି ସୁଧ

ପିପିଏଫ୍ ଖାତା ଧାରକଙ୍କ ଖାତାକୁ ବର୍ଷ ଶେଷରେ ସୁଧ ଯାଇଥାଏ। ବର୍ତ୍ତମାନ ପିପିଏଫ୍ ସ୍କିମରେ ୭.୯ ପ୍ରତିଶତ ସୁଧ ମିଳୁଛି। ସୁଧ ହାର ଗଣନା ପ୍ରତି ମାସର ପଞ୍ଚମ ଦିନ ଶେଷ ହେବା ପରେ ଓ ମାସର ଶେଷ ଦିନ ମଧ୍ୟରେ ଥିବା ସର୍ବନିମ୍ନ ଜମା ଉପରେ ହୋଇଥାଏ।