ସୁବ୍ରତ ବାଗ୍‌ଚୀ

ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ରୁଚିର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।

Ruchi founder Sarat Sahoo

୨୨ତମ ରୁଚି ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ସମ୍ପର୍କରେ ଶ୍ରୀ ବାଗ୍‌ଚୀ ପ୍ରଦାନ କରିଥିବା ଅଭିଭାଷଣ।

subrato bagchi

ମୋତେ ୨୨ତମ ରୁଚି ପ୍ରତିଭା ସମ୍ମାନ ସମାରୋହର ଏହି ଭବ୍ୟ ଅନୁଷ୍ଠାନରେ ଆପଣମାନେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହ କୃତଜ୍ଞତା ଜଣାଉଛି। ଆଜିର ଏହି ସମାରୋହରେ କିଛି କହିବା ପୂର୍ବରୁ ଶ୍ରୀ ଶରତ ସାହୁଙ୍କ ବିଷୟରେ ଦୁଇ ପଦ କହିବି। ଓଡ଼ିଶାର ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀ ସାହୁ, ଯେ କି ସୁପରିଚିତ ରୁଚି ବ୍ରାଣ୍ଡର ପ୍ରତିଷ୍ଠାତା। ନିଜର ଦୃଢ଼ ମନୋବଳ, ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ସେ ନିଜର ଛୋଟ ବ୍ୟବସାୟକୁ ଏକ ବିଶାଳ ଉଦ୍ୟୋଗ ସାମ୍ରାଜ୍ୟର ରୂପଦେଇ ପାରିଛନ୍ତି। ସେ କେବଳ ଏକ ବ୍ୟବସାୟ କରିଛନ୍ତି ତାହା ନୁହେଁ ବରଂ ଏକ ଓଡ଼ିଆ ବ୍ରାଣ୍ଡକୁ ବଜାରକୁ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଯାହା ଆଜିକାର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବଜାରରେ ସଫଳ ହୋଇପାରିଛି। ଯାହାକୁ ଆମେ ଗର୍ବର ସହ କହିପାରିବା Made-in-Odisha Product.

business card_Udyog

ଶ୍ରୀ ସାହୁ ୨୬ ବର୍ଷ ବୟସରେ ଉଦ୍ୟୋଗୀ ହେବା ଦିଗରେ ପ୍ରଥମ ପାଦ ବଢ଼ାଇଥିଲେ। ସେ କଟକର ମଧୁପାଟଣା ଯେଉଁଠି, ବର୍ତ୍ତମାନ ଓମ୍ ଅୟେଲ୍ ଏଣ୍ଡ୍ ଫ୍ଲୋର ମିଲ୍‌ସ ଲିମିଟେଡ୍‌ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ରହିଛି, ସେଠାରେ ମାସି ୪୫୦ ଟଙ୍କା ଭଡ଼ାରେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ। ସେହି ସମୟରେ ମାତ୍ର ତିନିଜଣ ଅର୍ଥାତ୍‌ ତାଙ୍କ ବାପା, ସେ ନିଜେ ଏବଂ ଜଣେ ସହଯୋଗୀ ଶ୍ରମଜୀବୀକୁ ନେଇ କମ୍ପାନୀ ଆରମ୍ଭ କରିଥିଲେ। ସେହି ସମୟରେ ତିନି ଜଣଙ୍କୁ ନେଇ ଆରମ୍ଭ ହୋଇଥିବା କମ୍ପାନୀରେ ବର୍ତ୍ତମାନ ପ୍ରାୟ ୧୨୦୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ନିଜର ଏହି ବ୍ୟବସାୟକୁ ପ୍ରତିଷ୍ଠା କରିବା ପାଇଁ ସେ ବହୁତ ବାଧାବିଘ୍ନର ସମ୍ମୁଖୀନ କରିଥିଲେ। ଏପରିକି ଶଗଡ଼ରେ ନିଜ ଉତ୍ପାଦିତ ସାମଗ୍ରୀକୁ ପୁରୀ, ଭୁବନେଶ୍ୱର ଏବଂ ଆଖପାଖ ଜିଲ୍ଲାରେ ବିକ୍ରି ପାଇଁ ନେଇ ଯାଉଥିଲେ।

Ruchi founder Sarat Sahoo

ସେ ୧୯୭୬ରେ ଓମ୍‌ ଅୟେଲ୍‌ ଏଣ୍ଡ୍‌ ଫ୍ଲୋର ମିଲ୍‌ସ ଲିମିଟେଡ୍‌ କମ୍ପାନୀ ଆରମ୍ଭ କରିଥିଲେ। ୧୯୭୮ରେ ରୁଚି ସିମେଇ, ୧୯୭୯ରେ ରୁଚି ପାସ୍ତା ଏବଂ ୧୯୮୦ ବେଳକୁ ରୁଚି ମସଲା ବଜାରରେ ପ୍ରବେଶ କଲା। ୧୯୯୫ ବେଳକୁ କମ୍ପାନୀ ୮୦ ଲକ୍ଷ ଟଙ୍କାର ବ୍ୟବସାୟ କରି ସାରିଥାଏ। ଏହାର ପଛର ରହସ୍ୟ ଥିଲା ଉତ୍ତମ ମାନର ଉତ୍ପାଦ ଏବଂ କଠିନ ପରିଶ୍ରମ।

ହଠାତ୍‌ ୧୯୯୯ ମସିହାରେ ନିଜର ପୂର୍ଣ୍ଣ ପ୍ରତିଷ୍ଠିତ ବ୍ୟବସାୟରେ ଗ୍ରହଣ ଲାଗି ଯାଇଥିଲା। ୧୯୯୯ ମସିହାର ପ୍ରଳୟଙ୍କରୀ ମହାବାତ୍ୟାରେ ସବୁକିଛି ଛାରଖାର ହୋଇଯାଇଥିଲା ଏପରିକି ତାଙ୍କର ଇଟାଲୀରୁ ନୂଆ ଆସିଥିବା ଦଶ କୋଟି ଟଙ୍କା ମୂଲ୍ୟର ମେସିନ୍ ମଧ୍ୟ ନଷ୍ଟ ହୋଇଯାଇଥିଲା। ଭାଙ୍ଗି ନପଡ଼ି ପୁଣି ଥରେ ଉଠିବା ପାଇଁ ଦୃଢ଼ ପ୍ରତିଜ୍ଞା କଲେ ଶ୍ରୀ ସାହୁ। ଧୀରେ ଧୀରେ କମ୍ପାନୀର ସ୍ଥିରତା ଫେରି ଆସିଲା।

ବର୍ତ୍ତମାନ ରୁଚି ୧୪୮ ପ୍ରକାରର ମସଲା ଏବଂ ୩୦୦ ପ୍ରକାରର ସାମଗ୍ରୀ ଉତ୍ପାଦନ କରୁଛି। ଯାହା ଓଡ଼ିଶାର ୨୦୦ରୁ ଅଧିକ ଡିଲର ଏବଂ ଦେଶର ୪୦ରୁ ଅଧିକ ସୁପର୍‌ ଷ୍ଟକିଷ୍ଟଙ୍କୁ ଯୋଗାଇ ଦିଆଯାଉଛି।

Ruchi founder Sarat Sahoo

ଏତେ ସଫଳତା ଭିତରେ, ସେ କେଉଁଠୁ ଆସିଛନ୍ତି କେବେ ମଧ୍ୟ ଭୁଲି ନାହାନ୍ତି। ଶ୍ରୀ ସାହୁ ଜଣେ ଖେଳପ୍ରେମୀ ଥାଇ ରାଉରକେଲାରେ ଚାକିରି ଆରମ୍ଭ କରି ସ୍ୱପ୍ନ ଦେଖୁଥିଲେ କିପରି ଜଣେ ଶିଳ୍ପୋଦ୍ୟୋଗୀ ହୋଇପାରିବେ ଏବଂ ତାଙ୍କ ଶିଳ୍ପରୁ ମିଳୁଥିବା ପୁଞ୍ଜିରୁ କିଛି ଅଂଶ ଖର୍ଚ୍ଚ କରି ରାଜ୍ୟର ପ୍ରତିଭାଧାରୀମାନଙ୍କୁ ସମ୍ମାନିତ କରିବେ। ସମାଜ ପାଇଁ ପ୍ରତ୍ୟେକ ମନୁଷ୍ୟର କିଛି କର୍ତ୍ତବ୍ୟ ଥାଏ। ନିଜର ସେହି ସାମାଜିକ କର୍ତ୍ତବ୍ୟକୁ ସମ୍ପନ୍ନ କରିବା ପାଇଁ ସେ ୧୯୯୭ ମସିହାରେ ପ୍ରତିଷ୍ଠା କରିଥିଲେ, ରୁଚି ପ୍ରତିଭା ଫାଉଣ୍ଡେସନ୍। ଏହା ଶିକ୍ଷା, କ୍ରୀଡ଼ା, ସାହିତ୍ୟ ଏବଂ କଳା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ ରୁଚି ପ୍ରତିଭା ସମ୍ମାନ ପ୍ରଦାନ କରୁଛି। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସମ୍ମାନ ଦେବା ଏବଂ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଉଛି।

ତେଣୁକରି ମୁଁ କହିବି, ଆଜିର ଦିନରେ ରୁଚି କେବଳ ରୋଷେଇ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନରହି ଜନହିତକର କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିପାରିଛି। ଓଡ଼ିଶା ମାଟିର ଏହି ଅନନ୍ୟ ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ଯଥାଚିତ ସମ୍ମାନରେ ସମ୍ମାନିତ କରି ଏହି ଫାଉଣ୍ଡେସନ୍ ପୂଜ୍ୟପୂଜାର ମହନୀୟ ପରମ୍ପରାକୁ ବଜାୟ ରଖିଛି।

Ruchi founder Sarat Sahoo

ଆପଣମାନଙ୍କୁ ଏହି କଥା କହିବାର ତାତ୍ପର୍ଯ୍ୟ ହେଲା ସବୁ ମଣିଷ ଅମ୍ବାନୀ, ଟାଟା ଏବଂ ବିର୍ଲା ଭଳି ପରିବାରରୁ ଜନ୍ମ ନେଇ ନଥାନ୍ତି। ଆମମାନଙ୍କ ମଧ୍ୟରେ ଦୃଢ଼ ଇଚ୍ଛାଶକ୍ତି ରହିବା ଦରକାର। ଯାହା ଆମକୁ ଏକ ସଫଳ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିବ। ଶ୍ରୀ ସାହୁ ଓଡ଼ିଶାର ଉଦୀୟମାନ ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ଏବଂ ଅନୁକରଣୀୟ ବ୍ୟକ୍ତି।

ବିଶ୍ୱ ଜାଣିଛି, ଓଡ଼ିଶାର କଳା ଓ ସଂସ୍କୃତି ମହାନ୍ କିନ୍ତୁ ସମୟ ଆସିଯାଇଛି ଆମେ କିଛି ନୂଆ ପରିଚୟ ସୃଷ୍ଟି କରିବା। ଗୋଟିଏ ନୂଆ ବ୍ରାଣ୍ଡ ସୃଷ୍ଟି କରିବା ଯାହା ଓଡ଼ିଶାର ବ୍ରାଣ୍ଡ ଭାବେ ଦେଶ ବିଦେଶରେ ନାଁ କରିବ। ଆର୍ଥିକ ପ୍ରଗତି କରି Global Worldରେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା। ଏହା କିପରି ସମ୍ଭବପର ହୋଇପାରିବ?

ଆମକୁ ଉଦ୍‌ଭାବନଶୀଳ ହେବାକୁ ହେବ। ଆମମାନଙ୍କ ମଧ୍ୟରୁ ଶହ ଶହ ଶରତ ସାହୁ ବାହାରିବା ଦରକାର। ଆମକୁ ଏପରି ଏକ ପରିଚୟ ସୃଷ୍ଟି କରିବାକୁ ହେବ ଯେପରିକି ଓଡ଼ିଶା କହିଲେ ସମସ୍ତେ ଜାଣିବେ। ଏ ସ୍ୱପ୍ନ ନିଶ୍ଚୟ ସାକାର ହେବ।

ଯେଉଁ ଆକାଂକ୍ଷୀ ଯୁବଗୋଷ୍ଠୀ ଆଜି ଏହି ଭବ୍ୟ ସମାରୋହରେ ଉପସ୍ଥିତ ଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଗୋଟିଏ ହିଁ କଥା କହିବି। ଆଜି ଆପଣମାନେ ପଦ୍ମଶୀ ଭବାନୀ ଚରଣ ପଟ୍ଟନାୟକ, ଶ୍ରୀ ଶରତ ସାହୁ, ଶ୍ରୀ ରିତେଶ ଅଗ୍ରୱାଲ୍‌, ଡା. ଶୁଭଙ୍କର ମହାପାତ୍ର, ସୁନିତା ଲାକ୍ରାଙ୍କ ବିଷୟରେ ଶୁଣିଲେ। ଏମାନଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ଲକ୍ଷ୍ୟ କରିପାରୁଛନ୍ତି କି? ତାହା ହେଉଛି ଦୃଢ଼ ନିଷ୍ଠା, କଠିନ ପରିଶ୍ରମ ଏବଂ ସକରାତ୍ମକ ଚିନ୍ତାଧାରା। ଏହିସବୁ ଗୁଣାବଳି ଯୋଗୁଁ ସେମାନେ ଆଜି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି।

ଆଜି ଯେଉଁ ସଫଳ ବ୍ୟକ୍ତିତ୍ୱମାନେ ଆମ ଗହଣରେ ଅଛନ୍ତି, ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ହୋଇଛନ୍ତି ସତ କିନ୍ତୁ ବହୁ ବାଧାବିଘ୍ନର ସାମ୍ନା କରିବାରେ। ସେହି କଷ୍ଟକର ଯାତ୍ରାର ଫଳାଫଳ ଆଜି ଆମ ସମ୍ମୁଖରେ। ସେମାନେ ସମସ୍ତେ ସମାଜ ପାଇଁ ଜଣେ ଜଣେ ରୋଲ୍‌ ମଡେଲ। ମୁଁ ଆଶା ରଖିବି, ସମ୍ମାନିତ ପ୍ରତିଭାମାନେ ସେମାନଙ୍କର ସମାଜ ପ୍ରତି ଥିବା କର୍ତ୍ତବ୍ୟ ପ୍ରତି ଅଙ୍ଗୀକାରବଦ୍ଧ ହେବେ। ଏହି ପ୍ରଚେଷ୍ଟା ଓ ପରମ୍ପରା ପ୍ରତିଭାମାନଙ୍କୁ ଯେ କେବଳ ପ୍ରେରଣା ପ୍ରଦାନ କରୁଛି, ତାହା ନୁହେଁ ବରଂ ଏହା ଦେଶର ଓ ରାଜ୍ୟର ଉନ୍ନତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଶେଷରେ ଏତିକି କହିବି ରୁଚି ପରିବାର ଏବଂ ଆଜିର ସମାରୋହରେ ସମ୍ବର୍ଦ୍ଧିତ ସମସ୍ତ ପ୍ରତିଭାର ଅଧିକାରୀ ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି ହେଉ। ଆଜିର ଏହି କାର୍ଯ୍ୟକ୍ରମରେ ଏହିଭଳି ଅନନ୍ୟ ପ୍ରତିଭାଙ୍କ ସାନ୍ନିଧ୍ୟ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ଅନୁଷ୍ଠାନର ଉଦ୍ୟୋକ୍ତାମାନଙ୍କୁ ପୁଣି ଥରେ ଧନ୍ୟବାଦ ଦେଇ ମୋର ବକ୍ତବ୍ୟ ଶେଷ କରୁଛି।

(ସୌଜନ୍ୟ:ଶରତ ଶତମ୍‌)