ଟ୍ୟାକ୍ସ ବି ବଞ୍ଚିବ, ଅଧିକ ସୁଧ ମଧ୍ୟ ମିଳିବ।

ଯଦି ଆପଣ ରିଟାୟରମେଣ୍ଟ୍ ପାଖାପାଖି ହୋଇଗଲେଣି କିମ୍ବା ଅବସର ନେଇ ସାରିଛନ୍ତି ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣଙ୍କୁ ଏକ ରଣନୀତି କ୍ରମରେ ନିବେଶ କରିବାକୁ ପଡ଼ିବ। ଆପଣଙ୍କ ରଣନୀତି ଏମିତି ହେବା ଦରକାର ଯାହା ଆପଣଙ୍କ ନିବେଶକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବ। ଟ୍ୟାକ୍ସ ମଧ୍ୟ କମ ଦେବାକୁ ପଡୁଥିବ। ଆସନ୍ତୁ ଜାଣିବା ଏମିତି ପାଞ୍ଚଟି ଉପାୟ ବାବଦରେ ଯାହା ଆପଣଙ୍କ ନିବେଶକୁ ସୁରକ୍ଷିତ କରିବା ସହ ଟ୍ୟାକ୍ସ ଫ୍ରି ମଧ୍ୟ କରିବ..

ସିନିୟର ସିଟିଜନ ସେଭିଂ ସ୍କିମ୍

ରିଟାୟରମେଣ୍ଟ୍ ବୟସ ପାଖାପାଖି ହୋଇଥିଲେ କିମ୍ବା କରିସାରିଥିଲେ ଆପଣଙ୍କ ପୋର୍ଟଫୋଲିଓରେ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ନିଶ୍ଚିତ ରଖନ୍ତୁ। ଏହା ଏକ ସରକାରୀ ଯୋଜନା। ୬୦ ବର୍ଷରୁ ଅଧିକ ବର୍ଷ ବୟସର ବ୍ୟକ୍ତି ଏହାର ସଦସ୍ୟତା ନେଇ ପାରିବେ। ଯଦି କେହି ୫୫ରୁ ୬୦ ବର୍ଷ ମଧ୍ୟରେ ଭଲ୍ୟୁଣ୍ଟାରି ରିଟାୟରମେଣ୍ଟ୍ ନେଇଛନ୍ତି ତେବେ ସେ ମଧ୍ୟ ଏଥିରେ ନିବେଶ କରିପାରିବେ।

ସେନା ଯବାନଙ୍କ ପାଇଁ ଏଥିରେ ଅଲଗା ସୁବିଧା ରହିଛି। ସେନା ଯବାନଙ୍କ ପାଇଁ ବୟସସୀମା ହେଉଛି ୫୦।

ଏହି ଯୋଜନାରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଧାରା ୮୦ସି ଅନ୍ତର୍ଗତରେ ଆୟକର ଛାଡ଼ ସୁବିଧା ରହିଛି। ଦେଢ଼ ଲକ୍ଷ ଟଙ୍କାକୁ ଛାଡ଼ି ବାକି ଟଙ୍କା ଉପରେ ଆପଣଙ୍କୁ କର ଦେବାକୁ ପଡ଼ିବ। ଏଥିରେ ୮.୩ ପ୍ରତିଶତ ସୁଧ ମିଳିଥାଏ। ତିନି ମାସରେ ଥରେ ସୁଧ ଆପଣଙ୍କ ଖାତାକୁ ଆସିଥାଏ।

ପାଞ୍ଚ ବର୍ଷିଆ ଫିକ୍ସଡ୍ ଡିପୋଜିଟ୍

ବ୍ୟାଙ୍କ ଡିପୋଜିଟରେ ସାଧାରଣତଃ ବରିଷ୍ଠ ନାଗରିକଙ୍କୁ ୦.୫ ପ୍ରତିଶତ ଅଧିକ ସୁଧ ମିଳିଥାଏ। ପାଞ୍ଚ ବର୍ଷିଆ ଫିକ୍ସ୍ ଉପରେ ମଧ୍ୟ ଆୟକର ଧାରା ୮୦ସି ଅନ୍ତର୍ଗତରେ ଆୟକର ରିହାତି ମିଳିଥାଏ। ଟ୍ୟାକ୍ସ ସେଭିଂ ପାଇଁ ଏହି ଯୋଜନା ଭଲ। ଏଥିରେ ଆପଣ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖଟାଇ ପାରିବେ। ଏହାଠାରୁ ଅଧିକ ଟଙ୍କା ଏହି ଯୋଜନାର ଲଗାନ୍ତୁ ନାହିଁ। କାରଣ ଅନ୍ୟ ପ୍ଲାନ୍ ମଧ୍ୟ ରହିଛି। ଯେଉଁଥିରୁ ବିନା ରିସ୍କ୍‌ରେ ଆପଣ ଅଧିକ ଟଙ୍କା ଆୟ କରି ପାରିବେ। କିନ୍ତୁ ଯଦି ଆପଣ ଟ୍ୟାକ୍ସ ସ୍ଲାବ ଭିତରେ ଆସୁନାହାନ୍ତି ତେବେ ଏହି ଯୋଜନାର ନିବେଶ ପୂର୍ବରୁ ଭାବି ନିଅନ୍ତୁ। କାରଣ ଏଥିରେ ନିବେଶ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି ଟ୍ୟାକ୍ସ ସେଭିଂ।

ନନ୍ କନଭର୍ଟିବଲ ଡିବେଞ୍ଚଚର

ନନ୍ କନଭର୍ଟିବଲ ଡିବେଞ୍ଚଚର (ଏନସିଡି)ରେ ନିବେଶ ଗୋଟିଏ ଭଲ ବିକଳ୍ପ। ଅନେକ କୁହନ୍ତି ଯେ, ଏଥିରେ ନିବେଶରେ ରିସ୍କ୍‌ ରହିଛି। କିନ୍ତୁ ଆପଣ ଯଦି ଏଏଏ ରେଟିଂ ବିଶିଷ୍ଟ ଏନସିଡିରେ ନିବେଶ କରନ୍ତି ତେବେ ରିସ୍କ୍‌ ୯୯ ପ୍ରତିଶତ କମ ହୋଇଯାଏ। ଏସବିଆଇ କିମ୍ବା ବଡ କର୍ପୋରେଟ୍ ହାଉସର ଏନସିଡିରେ ରିସ୍କ୍ ପ୍ରାୟତଃ ନଥାଏ। ଏହାସହ ଏନସିଡି ସୁଧ ହାର ଫିକ୍ସଡ୍ ଡିପୋଜିଟ୍ ସୁଧଠାରୁ ଅଧିକ ହୋଇଥାଏ। ତେବେ ଏଥିପାଇଁ ଆପଣଙ୍କୁ ଡିମାଟ୍ ଆକାଉଣ୍ଟ୍ ଖୋଲିବାକୁ ପଡ଼ିବ। କିନ୍ତୁ ଡିମାଟ୍ ଆକାଉଣ୍ଟ ଖୋଲିବାକୁ ମାତ୍ର ଏକ ଘଣ୍ଟାରୁ କମ ସମୟ ଲାଗିଥାଏ। ତେଣୁ ଏହା ଏକ ବଡ଼ ସମସ୍ୟା ନୁହେଁ।

କର୍ପୋରେଟ୍ ଏଫ୍‌ଡି

କର୍ପୋରେଟ୍ ଏଫ୍‌ଡିରେ ମଧ୍ୟ ପାରମ୍ପାରିକ ଏଫ୍‌ଡିଠାରୁ ଅଧିକ ସୁଧ ମିଳିଥାଏ। ଅନେକ ପ୍ରକାରର କର୍ପୋରେଟ୍ ଏଫ୍‌ଡି ରହିଛି। ତେବେ ସବୁବେଳେ ଭଲ କରପୋରେଟ୍ କମ୍ପାନିର ଏଫଡି ହିଁ ନିଅନ୍ତୁ।

ସମ୍ପୂର୍ଣ୍ଣ ରୂପେ ରିଟାୟରମେଣ୍ଟ୍ ଫଣ୍ଡ୍ ଉପରେ ନିର୍ଭରଶୀଳ ନଥିଲେ ଅଳ୍ପ ରିସ୍କ ନିଅନ୍ତୁ

ଯଦି ଆପଣ ପୂରାପୂରି ରିଟାୟରମେଣ୍ଟ ଫଣ୍ଡ ଉପରେ ନିର୍ଭର କରୁନାହାନ୍ତି ତେବେ ଟିକିଏ ରିସ୍କ ନିଅନ୍ତୁ। କିଛି ନିବେଶ ମ୍ୟୁଚୁଆଲ ଫଣ୍ଡ୍‌ରେ କରନ୍ତୁ। ଇଏଲ୍‌ଏସ୍‌ଏସ୍‌ରେ ନିବେଶ କରନ୍ତୁ। ତେବେ ଯଦି ଆପଣଙ୍କ ରିଟାୟରମେଣ୍ଟ୍ ପଇସାରେ ଆପଣଙ୍କ ଘର ଚଳୁଛି ତେବେ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରନ୍ତୁ ନାହିଁ। ତେଣିକି ଆପଣଙ୍କୁ ଯିଏ ଯେତେ ଜ୍ଞାନ ବାଣ୍ଟନ୍ତୁ।