୭ରୁ ୩୦ଦିନ ପାଇଁ ମିଳୁଥିବା ଏହି ଲୋନଠାରୁ ଦୂରେଇ ରୁହନ୍ତ। କାରଣ ସାହୁକାର ପ୍ରଥା ନୂଆ ରୂପରେ ଫେରିଛି!

“ହାତରେ ଟଙ୍କା ନାହିଁ? ଚିନ୍ତା କରନ୍ତୁ ନାହିଁ। ସାଲେରି ଆସିବା ଆଗରୁ ଆମଠାରୁ ନେଇଯାନ୍ତୁ ନିଜ ସାଲେରି। ଦରମା ପାଇଲେ ଫେରାଇ ଦେବେ।” ଆପଣଙ୍କ ପାଖକୁ ମଧ୍ୟ ଏମିତି ମେଲ୍ ଆସିଥିବ। କିମ୍ବା ସୋସିଆଲା ମିଡିଆ ତଥା ଇଣ୍ଟରନେଟରେ ଆପଣ ଏଭଳି ବିଜ୍ଞାପନର ମୁହାଁମୁହିଁ ହୋଇଥିବେ। ତେବେ ଆପଣଙ୍କ କମ୍ପାନି ଆପଣଙ୍କୁ ଦରମା ଦେବା ଆଗରୁ ଉପରେ ପଡ଼ି ଦରମା ଯାଚୁଥିବା ଏହି ଫାଇନାନସିଆଲ ସଂସ୍ଥା ସବୁ କିଏ? ଏମାନେ ହେଉଛନ୍ତି ପେ-ଡେ’ ଲୋନ୍ ପ୍ରଦାନକାରୀ। ଚାକିରିଆଙ୍କୁ ଆଗତୁରା ଦରମା ନାମରେ ଲୋନ୍ ଦିଅନ୍ତି। ଆଉ ଦରମା ପାଇଲା ପରେ ଯାହାକୁ ଫେରସ୍ତ କରାଯାଏ। 

ପେ-ଡେ’ ଲୋନ୍ ଆମେରିକାର ୧୫ ରାଜ୍ୟରେ ବ୍ୟାନ୍। ଚୀନରେ ଏଭଳି ଲୋନର ସୁଧ ଉପରେ ମ୍ୟାକ୍ସିମମ୍ ଲିମିଟ୍ ଲଗାଯାଇଛି। କିନ୍ତୁ ଭାରତରେ ମାସକୁ ପେ-ଡେ’ ଲୋନର କାରବାର ହେଉଛି ୪୦୦ କୋଟିରୁ ଅଧିକ।

ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଏକ ଡଜନରୁ ଅଧିକ ପେ-ଡେ’ ଲୋନ୍ ଦାତା ବଜାରକୁ ଆସିଛନ୍ତି। ସେମାନେ ବ୍ୟାଙ୍କ୍‌ ଭଳି ଲୋନ ଦେବା ବେଳେ ଅଧିକ ଛଇ ଦେଖାନ୍ତି ନାହିଁ। କିମ୍ବା ସେମାନଙ୍କ ପାଇଁ ଦାଗୀ ରୁଣକାରୀ ସମସ୍ୟା ନୁହନ୍ତି। ଯିଏ ମାଗେ ସେମାନେ ତାକୁ ଲୋନ୍ ଦିଅନ୍ତି। ୭ରୁ ୩୦ ଦିନ ପାଇଁ ମିଳୁଥିବା ଏହି ଲୋନ୍ ସହଜରେ ମିଳିଯାଏ। କିନ୍ତୁ ଥରୁଟିଏ ଏହି ଲୋନ୍ ନେବା ପରେ ଆପଣଙ୍କୁ ମୋଟା ଅଙ୍କର ସୁଧ ଗଣିବାକୁ ପଡ଼େ। ଏମିତି ବି ହୋଇପାରେ ଆପଣ ସୁଧ ଜାଲରୁ ମୁକୁଳି ପାରିବେ ନାହିଁ।

ପ୍ରତି ମାସରେ ୪୦୦ କୋଟିର କାରବାର!

ଭାରତରେ ପ୍ରତି ମାସରେ ୪୦୦ କୋଟିର ପେ-ଡେ’ ଲୋନ୍ ବଣ୍ଟା ଯାଇଥାଏ। ଯାହାର ସୁଧ ହାର ହେଉଛି  ଦୈନିକ ୧ରୁ ୧.୫ ପ୍ରତିଶତ। ଏହି ହିସାବରେ ବର୍ଷକୁ ସୁଧ ୩୬୫-୫୪୦ ପ୍ରତିଶତ। ଏହା ମୁକାବିଲାରେ କ୍ରେଡିଟ୍ କାର୍ଡ ସୁଧହାର ଶସ୍ତା। କ୍ରେଡିଟ୍ କାର୍ଡ ଉପରେ ବାକି ଥିବା ଟଙ୍କାର ରୋଲ ଓଭର ପାଇଁ କମ୍ପାନି ମାସିକ ୨ରୁ ୩ ପ୍ରତିଶତ ଅର୍ଥାତ୍‌ ବାର୍ଷିକ ୨୪ରୁ ୩୫ ପ୍ରତିଶତ ସୁଧ ନେଇଥାନ୍ତି। ତେବେ କଣ ପାଇଁ ଲୋକ ଏତେ ଅଧିକ ସୁଧ ଦେଇ ପେ-ଡେ’ ଲୋନ୍ ନେଉଛନ୍ତି ? ଉତ୍ତର ହେଲା, ପେ-ଡେ’ ଲୋନଦାତାଙ୍କ ନଖରା କମ। ଯାହାର ରେକର୍ଡ ଯେମିତି ହେଉ ଏମାନେ ତାକୁ ସହଜରେ ଲୋନ୍ ଦିଅନ୍ତି। କିନ୍ତୁ ପରେ କଡ଼ାଗଣ୍ଡା ସହ ଆଦାୟ କରନ୍ତି।

କେଉଁମାନେ ନେଇଥାନ୍ତି ପେ-ଡେ‘ ଲୋନ୍?

– ପେ ଡେ’ ଲୋନ ନେଉଥିବା ବ୍ୟକ୍ତି ସାଧାରଣତଃ ଏଭଳି କଷ୍ଟମର ହୋଇଥାନ୍ତି ଯେଉଁମାନଙ୍କ ପାଖରେ ଅଲଗା ବିକଳ୍ପ ନଥାଏ।

– ଏଭଳି ବ୍ୟକ୍ତିଙ୍କ ପୁରୁଣ କ୍ରେଡିଟ୍ ହିଷ୍ଟ୍ରୀ କାରଣରୁ ଏମାନଙ୍କୁ ବ୍ୟାଙ୍କ ୧୫ରୁ ୨୦ ପ୍ରତିଶତ ସୁଧରେ ମଧ୍ୟ ଲୋନ୍ ଦିଅନ୍ତି ନାହିଁ।

– ଏମାନେ କ୍ରେଡିଟ୍ କାର୍ଡରୁ ମଧ୍ୟ କ୍ୟାସ୍ ଉଠାଇ ପାରନ୍ତି ନାହିଁ, କାରଣ ସେମାନେ ମ୍ୟାକ୍ସିମମ୍ ଲିମିଟ୍ ପାଖାପାଖି ପହଞ୍ଚିଯାଇଥାନ୍ତି।

କମ୍ କାଗଜ କାମ

– ତୁରନ୍ତ ଲୋନ୍ ମିଳିଥାଏ

– ମିନିମମ୍ ଡକ୍ୟୁମେଣ୍ଟ୍

– ଆଧାର, ପାନ୍, ସାଲାରି ସ୍ଲିପ୍, ତିନି ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଭଳି ଅଳ୍ପ କିଛି କାଗଜ ଅପଲୋଡ୍ କରିବାକୁ ପଡିଥାଏ

– ପୋଷ୍ଟ ଡେଟେଡ୍ ଚେକ୍ ଦେବାକୁ ପଡ଼େ

କରଜ ଜାଲ

ଲୋନ୍ ମିଳିବା ପରେ ଗ୍ରାହକଙ୍କ ଅସଲ ସମସ୍ୟା ଆରମ୍ଭ ହୋଇଥାଏ। ଗ୍ରାହକ ଲୋନ୍ ଜାଲରେ ପଡ଼ିଥାନ୍ତି। ଆମେରିକା ସରକାରଙ୍କ କଞ୍ଜୁମର ଫାଇନାନ୍ସ ପ୍ରୋଟେକ୍ସନ ବ୍ୟୁରୋ ଅନୁସାରେ ୮୦ ପ୍ରତିଶତ ପେ-ଡେ’ ଲୋନ୍ ସେହି ମାସରେ ସୁଝା ଯାଇପାରେନା। ତାହ ଆଗାକୁ ଗଡ଼ିଚାଲେ। ଏମିତିକି ସେହି ଲୋନ ସୁଝିବା ପାଇଁ ୧୪ ଦିନ ଭିତରେ ଆଉ ଗୋଟିଏ ଲୋନ୍ ନିଆଯାଏ। କରଜକାରୀ ଲୋନ ଜାଲରୁ ମୁକୁଳିବାରେ ଅସମର୍ଥ ହୋଇ ପଡ଼ନ୍ତି। ସେଥିପାଇଁ ଆମେରିକାର ୧୫ ରାଜ୍ୟରେ ଏହି ଲୋନକୁ ବ୍ୟାନ୍ କରାଯାଇଛି। ଅନ୍ୟପକ୍ଷରେ ଚୀନରେ ଏଭଳି ଲୋନର ବାର୍ଷିକ ସୁଧ ହାର ୩୬ ପ୍ରତିଶତ ରଖାଯାଇଛି।

ସୁଧ ଓ ପ୍ରୋସେସିଂ ଫି

ଭାରତରେ କିଛି ପେ-ଡେ’ ଲୋନ୍ ପ୍ରୋଭାଇଡର ଦୈନିକ ୧ରୁ ୨ ପ୍ରତିଶତ ସୁଧ ଅସୁଲ କରୁଛନ୍ତି। ଅର୍ଥାତ୍ ବାର୍ଷିକ ପାଖାପାଖି ୫୪୦ ପ୍ରତିଶତ ସୁଧ। ଏଭଳି ଭୟଙ୍କର ସୁଧଖୋରି ବିରୋଧରେ ମତ ପ୍ରକାଶ ପାଇଲାଣି। ଆରବିଆଇ ପେ-ଡେ’ ପ୍ରୋଭାଇଡରଙ୍କ ସୁଧ ଉପରେ ଲଗାମ କସୁ ବୋଲି ମତ ପ୍ରକାଶ ପାଉଛି। ଖାଲି ସୁଧ ନୁହେଁ ଏଭଳି କମ୍ପାଡ଼ି ଲୋନ୍ ଆମାଉଣ୍ଟର ୭ ପ୍ରତିଶତ ପ୍ରୋସେସିଂ ଫି ବାବଦରେ କାଟି ନିଅନ୍ତି। ପୁଣି ଚେକ୍ ବାଉନ୍ସ ହେଲେ ୫୦୦ରୁ ୧୦୦୦ ଟଙ୍କା ଚାର୍ଜ କରନ୍ତି।

ଦୁରେଇ ରୁହନ୍ତୁ ପେ-ଡେଜାଲରୁ

ସେମାନେ ଯାହାବି କୁହନ୍ତୁ, ଯଦି ମାନସିକ ଶାନ୍ତି ଚାହାନ୍ତି ତେବେ ନିଜକୁ ସାଲେରି ଆଡଭାନ୍ସ କମ୍ପାନି କି ହାତ ଉଧାରି ଭଳି ଲୋନ୍ ଅଫରଠାରୁ ଦୁରେଇ ରୁହନ୍ତୁ। ପୁରୁଣା ଯମାନାର ଲାଲା, ସାହୁକାର କିମ୍ବା କାବୁଲିବାଲା ଭଳି ଏହି କମ୍ପାନି ସବୁ ଆପଣଙ୍କଠାରୁ ମୋଟା ରକମର ସୁଧ ଅସୁଲ କରିବେ। ଦରମା ପୁର୍ବରୁ ଦରମା ଆଣିବା ଚକ୍କରରେ ଆପଣଙ୍କ ଦରମା ଡେ’ ସେମାନଙ୍କର ହୋଇଯିବ। ମାନେ ଆପଣ ଦରମା ପାଇଲା ମାନେ କେବଳ ସେମାନଙ୍କ ଟଙ୍କା ସୁଝିବେ ଏବଂ ସୁଝିବେ ଆଉ ଏମିତି ସୁଝି ଚାଲିଥିବେ।