ଟେଲିକମ୍ କମ୍ପାନି ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ନିଜର ନୂଆ ରିଚାର୍ଜ ପ୍ଲାନ ଘୋଷଣା କରିଛନ୍ତି। ପୂର୍ବ ପ୍ଲାନ ତୁଳନାରେ ନୂଆ ପ୍ଲାନର ଦାମ୍ ୪୦ ପ୍ରତିଶତ ଅଧିକ ରହିଛି। ଅର୍ଥାତ ଏଣିକି ଫୋନ୍ କଲ୍ ଓ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
ତେବେ ଏହି ତିନୋଟି କମ୍ପାନି ଭିତରୁ କାହାର ରିଚାର୍ଜ ପ୍ଲାନ ବେଷ୍ଟ? କେଉଁ କମ୍ପାନିର ପ୍ଲାନ୍ ରିଚାର୍ଜ କଲେ ଗ୍ରାହକମାନଙ୍କ ଫାଇଁ ଲାଭ ସାବ୍ୟସ୍ତ ହୋଇପାରିବ। ଆସନ୍ତୁ ସେ ବିଷୟରେ ନଜର ପକାଇବା।
ନୂଆ ରିଚାର୍ଜ ପ୍ଲାନ୍ ଅନୁସାରେ, ଜିଓର ମାସିକିଆ ଇଣ୍ଟରନେଟ୍ ଏବଂ କଲିଂ ପ୍ୟାକ୍ ପାଇଁ ଗ୍ରାହକଙ୍କୁ ୧୯୯ ଟଙ୍କା ଦେବାକୁ ପଡ଼ିବ। ଏହି ପ୍ଲାନ୍ରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ସହିତ ଜିଓରୁ ଜିଓ ଫ୍ରି କଲିଂ ଏବଂ ଅନ୍ୟ ନେଟୱର୍କକୁ ୧୦୦୦ ମିନିଟ୍ ମିଳିବ। ସେହିପରି ୨ ଜିବି ଡାଟା ପାଇଁ ୨୪୯ ଟଙ୍କା ଓ ୩ ଜିବି ମାସିକିଆ ଡାଟା ପାଇବା ପାଇଁ ୩୪୯ଟଙ୍କା ରିଚାର୍ଜ କରିବାକୁ ପଡ଼ିବ।
ତେବେ ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ଗ୍ରାହକମାନଙ୍କୁ ଏହି ମାସିକା ପ୍ଲାନ୍ରେ ପାଖାପାଖି ୫୦ ଟଙ୍କା ଅଧିକ ଗଣିବାକୁ ପଡ଼ିବ। ଜିଓ ଏହି ପ୍ଲାନରେ ଅନ୍ୟ କମ୍ପାନିଗୁଡ଼ିକ ତୁଳନାରେ ଗ୍ରାହକଙ୍କୁ ବେଶ୍ ଲାଭ ଦେଇପାରିବ।
ସେହିଭଳି ତିନିମାସିଆ ରିଚାର୍ଜ ପ୍ଲାନରେ ମଧ୍ୟ ଜିଓ ଅନ୍ୟ କମ୍ପାନିମାନଙ୍କଠାରୁ କମ୍ ଟଙ୍କା ନେଉଛି। ଜିଓର ୩ ମାସିଆ ପ୍ଲାନ୍ ପାଇଁ ଗ୍ରାହକଙ୍କୁ ୫୫୫ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ସହିତ ଜିଓରୁ ଜିଓ ଫ୍ରି କଲିଂ ଏବଂ ଅନ୍ୟ ନେଟୱର୍କକୁ ୩୦୦୦ ମିନିଟ୍ ମିଳିବ। ଏହି ପ୍ୟାକ୍ରେ ୨ ଜିବି ଡାଟା ପାଇବା ପାଇଁ ଗ୍ରାହକଙ୍କୁ ୫୯୯ଟଙ୍କା ଦେବାକୁ ପଡ଼ିବ।
ଏପରି ସ୍ଥାନରେ ମଧ୍ୟ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଗ୍ରାହକମାନଙ୍କୁ ଅଧିକ ୫୦ ଟଙ୍କା ଦେବାକୁ ପଡ଼ିବ। ପ୍ରାୟତଃ ସମସ୍ତ ପ୍ଲାନରେ ଜିଓ ଅନ୍ୟ ମୋବାଇଲ୍ କମ୍ପାନିଠାରୁ ପାଖାପାଖି ୫୦ ଟଙ୍କା କମ୍ ନେଉଛି।