ଜାଣନ୍ତୁ ସେହି ୫ଟି କାରଣ ବିଷୟରେ ଯେଉଁଥିପାଇଁ କ୍ରେଡିଟ୍ କାର୍ଡ ବେଶି ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

Payment-by-Credit-Card-Stock-Photo-01

କ୍ରେଡିଟ୍ କାର୍ଡର ଫାଇଦା ରହିଛି। ଆପଣଙ୍କ ଆକାଉଣ୍ଟ୍ ଖାଲି ଥିଲେ ମଧ୍ୟ ଆପଣ କିଣାକିଣି କରିପାରିବେ। ହାତ ଉଧାରି ନେବାକୁ ପଡିବ ନାହିଁ। ଏଥିରୁ କ୍ରେଡିଟ୍ ସ୍କୋର ମଧ୍ୟ ଜେନରେଟ୍ ହୋଇଥାଏ। ଯେଉଁଥିରୁ ଭବିଷ୍ୟତରେ ଆପଣଙ୍କୁ କମ ସୁଧରେ ଲୋନ୍ ମଧ୍ୟ ମିଳିପାରିବ। ଏତେ ଫାଇଦା ସତ୍ୱେ ଯଦି ଆପଣଙ୍କୁ କେହି କୁହେ ଏହାର ଅଧିକ ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟା ପାଇଁ ହାନିକାରକ ତେବେ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ। କିନ୍ତୁ ଏହା ହିଁ ସତ୍ୟ।  ଯଦି ଆପଣ ବଡ ଧରଣର ନିବେଶ କରିବାକୁ ଚାହୁଁଛନ୍ତି ଓ ବଡ ପୁଂଜି ସୃଷ୍ଟି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କ୍ରେଡିଟ୍ କାର୍ଡକୁ ଯେତେ କମ୍ ସେତେ ବ୍ୟବହାର କରିବାକୁ ପଡିବ। ଏମିତି କହିବାର ପାଂଚଟି କାରଣ ରହିଛି। ଆସନ୍ତୁ ଜାଣିବା ସେହି କାରଣ ଗୁଡ଼ିକ କ’ଣ?

ପ୍ରଥମ କାରଣ: ଲୋକ ଭୁଲିଯାନ୍ତି ଯେ, ଏହା ଉଧାର ଟଙ୍କା

କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଲୋକ ଏମିତି ଖର୍ଚ୍ଚ କରନ୍ତି ଯେମିତି ସେଇ ଟଙ୍କା ତାଙ୍କ ନିଜର। ସେମାନେ ଭୁଲି ଯାନ୍ତି ଯେ,ଏହା ଉଧାର ଟଙ୍କା। ଯେତେବେଳେ ଲୋକ କ୍ରେଡିଟ୍ କାର୍ଡରେ ଟଙ୍କା ଖର୍ଚ୍ଚ କରନ୍ତି ସେତେବେଳେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତି କାରଣ ଟଙ୍କା ତତ୍କାଳ ଦେବାକୁ ପଡେନା। ଏମିତିରେ ନିଜ ଆର୍ଥିକ ଲକ୍ଷ୍ୟସ୍ଥଳରେ ପହଂଚିବା କାଠିକର ପାଠ ହୋଇଯାଏ। ଏଥିପାଇଁ କ୍ରେଡିଟ୍ କାର୍ଡ କୌଣସି ଜାଲଠାରୁ କିଛି କମ୍ ନୁହେଁ।

ଦ୍ୱିତୀୟ କାରଣ: କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ଦୁଇଗୁଣ ଅଧିକ ଖର୍ଚ୍ଚ କରନ୍ତି

ଯେତେବେଳେ ଆପଣ କ୍ୟାସ୍ ଦିଅନ୍ତି ସେତେବେଳେ ତାକୁ ଛୁଅଁନ୍ତି,ଅନୁଭବ କରନ୍ତି। କିନ୍ତୁ ଯେତେବେଳେ ଆପଣ କାର୍ଡରେ ପେମେଣ୍ଟ୍ କରନ୍ତି ସେତେବେଳେ ଆପଣଙ୍କୁ ଲାଗେନା ଯେ,ଆପଣଙ୍କ ନିଜ ଟଙ୍କା ଯାଉଛି। ଏମିତିରେ ଅନେକ ସମୟରେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତି। ଏମଆଇଟି ଏହା ଉପରେ ଏକ ରିସର୍ଚ୍ଚ ପେପର ପ୍ରସ୍ତୁତ କରିଛି। ଏହା ଅନୁସାରେ ଯେଉଁମାନେ କ୍ରେଡିଟ୍ କାର୍ଡରେ ପେମେଣ୍ଟ କରନ୍ତି ସେମାନେ ନିଜ କ୍ଷମତାଠାରୁ ୧୮ ପ୍ରତିଶତ ଅଧିକ ଖର୍ଚ୍ଚ କରନ୍ତି। ଲୋକ ଏମିତି ସାମଗ୍ରୀ କିଣନ୍ତି ଯାହାର ଆବଶ୍ୟକତା ନଥାଏ। କିନ୍ତୁ ଯେତେବେଳେ ଆପଣ କ୍ୟାସ୍ ନେଇକରି ଯାନ୍ତି ,ସେତେବେଳେ ଆପଣଙ୍କ କିଣିବା ତରିକା ବଦଳି ଯାଏ। ଆପଣ ଭାବିଚିନ୍ତି ସପିଂ କରନ୍ତି।

ତୃତୀୟ କାରଣ: ଲେଟ୍ ପେମେଣ୍ଟ୍,ଅଧିକ ସୁଧ

ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରିବା ବେଳେ ଠିକ୍ ସମୟରେ ବିଲ୍ ପେମେଣ୍ଟ କରିବା କଥା ଚିନ୍ତା କରନ୍ତି। କିନ୍ତୁ ଯଦି କୌଣସି କାରଣରୁ ଠିକ୍ ସମୟରେ ବିଲ୍ ପେମେଣ୍ଟ୍ କରି ନପାରିଲେ ତେବେ ଆପଣଙ୍କୁ ଲେଟ୍ ପେମେଣ୍ଟ୍ ଚାର୍ଜ ଦେବାକୁ ପଡିଥାଏ। ଏହି ଚାର୍ଜ ବା ସୁଧ ବାର୍ଷିକ ୨୨ରୁ ୪୮ ପ୍ରତିଶତ ହୋଇଥାଏ। ଟ୍ରାନ୍ସ ୟୁନିୟନ କମ୍ପାନି ସିବିଲ୍ ସହ ମିଳିତ ଭାବେ ଗୋଟିଏ ସର୍ଭେ କରିଥିଲା। ଯେଉଁଥିରୁ ଭାରତର ଲୋକଙ୍କ ପେମେଣ୍ଟ୍ କ୍ଷମତା ଭଲ ବୋଲି ଜଣା ପଡିଛି। ୯୨ ପ୍ରତିଶତ କ୍ରେଡିଟ୍ କାର୍ଡ୍ ବ୍ୟବହାରକାରୀ ସର୍ବନିମ୍ନ ପେମେଣ୍ଟ୍ ନିଶ୍ଚୟ କରିଥାନ୍ତି। କିନ୍ତୁ ସମସ୍ୟା ହେଲା ଆପଣ ମିନିମମ୍ ପେମେଣ୍ଟ୍ କଲେ ତା’ପରେ ଯେଉଁ ଚାର୍ଜେସ୍ ଲାଗେ ତାହା ଆପଣଙ୍କ ଦେବାକୁ ଥିବା ରାଶିକୁ ବଢାଇଦିଏ। ତେଣୁ ଯେତେ କମ ସମ୍ଭବ ସେତେ କ୍ରେଡିଟ୍ କାର୍ଡ୍ ବ୍ୟବହାର କରନ୍ତୁ।

money

ଚତୁର୍ଥ କାରଣ: କ୍ରେଡିଟ୍ କାର୍ଡରୁ କ୍ୟାସ ,ବୋଝ ଉପରେ ନଳିତା ବିଡା

ଅନେକ ବ୍ୟବହାରକାରୀ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ୍ ଭିତରେ ଫରକ ଜାଣନ୍ତି ନାହିଁ। ସେମାନେ ଡେବିଟ୍ କାର୍ଡରୁ ଟଙ୍କା ଉଠାଇଲା ଭଳି କ୍ରେଡିଟ୍ କାର୍ଡରୁ ମଧ୍ୟ ଟଙ୍କା ଉଠାନ୍ତି। ସେମାନେ ଜାଣନ୍ତି ନାହିଁ ଯେ, କ୍ରେଡିଟ୍ କାର୍ଡ ହେଉଛି ଆପଣଙ୍କ ଲୋନ୍ ଆାକଉଣ୍ଟ୍। କିନ୍ତୁ ଲୋକ ଜାଣି ନପାରି କ୍ରେଡିଟ୍ କାର୍ଡରେ ଟଙ୍କା ଉଠାନ୍ତି। ଯାହାର ସୁଧ ରେଟ୍ ଅଧିକ ଥାଏ। ଏହା ସହ କ୍ୟାସ୍ ୱିଥଡ୍ର ଚାର୍ଜେସ ମଧ୍ୟ ପଡେ।

ପଞ୍ଚମ କାରଣ: ସଂଚୟ ସ୍ୱପ୍ନ ହୋଇଯାଏ

ଯେଉଁମାନେ କ୍ରେଡିଟ୍ କାର୍ଡ୍ ବ୍ୟବହାର କରନ୍ତି ସେମାନେ ସ୍ୱଭାବତଃ ଖର୍ଚ୍ଚି ହୋଇଯାନ୍ତି। ସେମାନେ କମ ସଂଚୟ କରିପାରନ୍ତି। ପ୍ରଥମତଃ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ କରିବାରେ ସେମାନଙ୍କର ଅଧିକ ଅର୍ଥ ଚାଲିଯାଏ। ଆଉ ଯଦି ସେମାନେ ମିନିମମ୍ ପେମେଣ୍ଟ କରନ୍ତି ତେବେ ବକେୟା ବିଲ୍ ଉପରେ ଜିଏସଟି ୧୮ ପ୍ରତିଶତ ଲାଗୁ ହୁଏ। ଅନେକ ସମୟରେ ସରଚାର୍ଜ ମଧ୍ୟ ଲାଗୁ ହୋଇଥାଏ। ସୁଧ ହାର ତ’ ଅଧିକ ଥାଏ ହିଁ। ତେଣୁ କ୍ରେଡିଟ୍ କାର୍ଡକୁ ଖୁବ୍ କମ୍ ବ୍ୟବହାର କରନ୍ତୁ, ଯଦି ଆପଣ ବଡ ନିବେଶ କରିବାକୁ ଚାହୁଁଛନ୍ତି।