ଆପଣଙ୍କର ଯଦି ପିପିଏଫ୍ ଆକାଉଣ୍ଟ ଅଛି ତେବେ ନିଅନ୍ତୁ ଫାଇଦା

Public Provident Fund

ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡରେ ନିବେଶ ଅନେକ ଫାଇଦା ଦେଇଥାଏ। ଯାହା ମଧ୍ୟରୁ ଗୋଟିଏ ହେଉଛି ଦରକାର ବେଳେ ଆପଣ ପିପିଏଫରୁ ଲୋନ୍ ନେଇ ପାରିବେ। ଲୋନ୍ ନେବା ପାଇଁ ଆପଣଙ୍କୁ ବଦଳରେ କିଛି ବନ୍ଧକ ମଧ୍ୟ ଦେବାକୁ ପଡିବ ନାହିଁ। ସୁଧ ହାର କମ ରହିବା ସହ ଲୋନ୍ ଶୁଝିବା ମଧ୍ୟ ସହଜ।

କେମିତି ଲୋନ୍ ନେବେ?

ପିପିଏଫ ଆକାଉଣ୍ଟ ଖୋଲିବାର ବର୍ଷକ ପରଠାରୁ ୫ ବର୍ଷ ମଧ୍ୟରେ ଆପଣ ଲୋନ ପାଇଁ ଆବେଦନ କରିପାରିବେ। ଆପଣ ଯେଉଁ ବର୍ଷ ଲୋନ୍ ପାଇଁ ଆବେଦନ କରିବେ, ତାର ପୂର୍ବ ଦୁଇ ବର୍ଷ ପୁରଣ ହେବା ବେଳେ ଆପଣଙ୍କ ଖାତାରେ ଯେତିକି ଟଙ୍କା ଥିବା ତାହାର ୨୫ ପ୍ରତିଶତ ଲୋନ୍ ଭାବେ ମିଳିବ

ବର୍ଷକୁ ଗୋଟିଏ ଲୋନ୍

ଜଣେ ପିପିଏଫ୍ ଆକାଉଣ୍ଟ ଧାରକ ବର୍ଷକୁ ଥରୁଟିଏ ଲୋନ୍ ନେଇ ପାରିବେ। ଆପଣ ଯଦି ପୁରୁଣା ଲୋନ୍ ସୁଧ ସହ ଶୁଝି ସାରିଛନ୍ତି ,ତେବେ ହିଁ ଲୋନ୍ ପାଇଁ ହକଦାର ହୋଇପାରିବେ। ବକେୟା ଥିଲେ ଲୋନ୍ ମିଳିବ ନାହିଁ। ସେହିଭଳି ଜଣେ ନାବାଳକ କିମ୍ବା ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ନାମରେ ଖାତା ଥିଲେ ତାଙ୍କ ପାଇଁ ଅଭିଭାବକ ଲୋନ୍ ନିମନ୍ତେ ଆବେଦନ କରିପାରିବେ। କିନ୍ତୁ ସେଥିପାଇଁ ଯାହା ନାମରେ ଖାତା ଥିବା ତାଙ୍କ ପକ୍ଷରୁ ଆକାଉଣ୍ଟସ ଅଫିସରେ ସାର୍ଟିଫିକେଟ୍ ଜାମ କରିବାକୁ ପଡିବ।

loan

ଲୋନ୍ ଉପରେ ସୁଧ କେତେ?

ଯେଉଁମାସରେ ଆପଣ ଲୋନ୍ ନେବେ ତାର ୩୬ ମାସ ମଧ୍ୟରେ ଆପଣଙ୍କୁ ପୁରା ଟଙ୍କା ଫେରାଇବାକୁ ପଡିବ। ଏକାଥରକେ କିମ୍ବା କିସ୍ତିରେ ଆପଣ ଲୋନ୍ ଶୁଝି ପାରିବେ। ମୁଳ ଲୋନ୍ ଟଙ୍କା ଫେରାଇବା ପରେ ଆକାଉଣ୍ଟ ଧାରକଙ୍କୁ ପ୍ରିନସିପାଲ ଆମାଉଣ୍ଟର ଏକ ପ୍ରତିଶତ ବାର୍ଷିକ ସୁଧ ହାରରେ ଦୁଇଟି ମାସିକ କିସ୍ତିରେ ସୁଧ ଟଙ୍କା ଦେବାକୁ ପଡିବ। ଯେଉଁ ମାସରେ ଲୋନ୍ ନିଆଯାଇଥିଲା ତାର ପରବର୍ତ୍ତି ମାସର ପ୍ରଥମ ଦିନରୁ ଶେଷ କିସ୍ତି ଦିଆଯାଇଥିବା ମାସର ଶେଷ ଦିନ ପର୍ଯ୍ୟନ୍ତ ଥିବା ଟଙ୍କା ହେଉଛି ପ୍ରିନସିପାଲ ଆମାଉଣ୍ଟ। ଯଦି ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଲୋନ୍ ଶୁଝାଯାଇନାହିଁ ଓ କେବଳ ଆଶିଂକ ଶୁଝାଯାଇଛି, ତେବେ ବଳକା ରାଶି ଉପରେ ବର୍ଷିକ ୬ ପ୍ରତିଶତ ସୁଧ ଲାଗିବ।

ଯେଉଁ ମାସରେ ଲୋନ୍ ନିଆଯାଇଥିବ ତା’ର ପରବର୍ତ୍ତି ମାସର ପ୍ରଥମ ଦିନରୁ ଅନ୍ତିମ କିସ୍ତି ଦିଆଯିବା ମାସର ଶେଷ ଦିନ ପର୍ଯ୍ୟନ୍ତ ଏହି ୬ ପ୍ରତିଶତ ସୁଧ ଲାଗୁ ହେବ। ଅର୍ଥାତ,୩୬ ମାସରେ ଲୋନ୍ ଶୁଝିଲେ ସୁଧ ହାର ୧ ପ୍ରତିଶତ ରୁହେ, ଯଦି ୩୬ ମାସର ସମୟ ଅବଧି ଭିତରେ ଲୋନ୍ ଟଙ୍କା ଶୁଝି ନପାରନ୍ତି ତେବେ ବାର୍ଷିକ ସୁଧ ହାର ହୋଇଯାଏ ୬ ପ୍ରତିଶତ। ଯଦି ଲୋନ୍ ଅବଧି ସମୟରେ ଆକାଉଣ୍ଟ ଧାରକଙ୍କ ମୃତ୍ୟୁ ହୁଏ,ତେବେ ମୁଳ ଟଙ୍କା ଓ ସୁଧ ନୋମିନିଙ୍କୁ ଦେବାକୁ ପଡିଥାଏ।