ଏକାଧିକ ସେଭିଂ ଆକାଉଣ୍ଟ୍ ଖୋଲି ଇନକମ୍ ଟ୍ୟାକ୍ସ ଫାଙ୍କିବା ଯୁଗ ଶେଷ

saving account

ଆପଣ ଯଦି ଘରୋଇ କ୍ଷେତ୍ରରେ କାମ କରୁଥିବେ ତେବେ ଏକାଧିକ ସେଭିଂ ଆକାଉଣ୍ଟ ଅପରେଟ୍ କରିବା ଅନୁଭବ ଆପଣଙ୍କର ଥିବ। ଉଦାହରଣ ଭାବେ ଅନୁଙ୍କୁ ନିଅନ୍ତୁ। ଅନୁଙ୍କ ପାଖରେ ଏକାଧିକ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ୍ ରହିଛି। କାରଣ ହେଲା କମ୍ପାନୀ ବଦଳିବା ସହ ତାଙ୍କର ସାଲାରି ଆକାଉଣ୍ଟ୍ ବଦଳେ। ଅଲଗା ଅଲଗା ବ୍ୟାଙ୍କ ଖାତାରୁ ସେ ସିପ୍, ଇଏମଆଇ ଏବଂ ବିଜୁଳି ବିଲ୍ ପେମେଣ୍ଟ କରୁଥିବାରୁ ସେହି ସବୁ ଆକାଉଣ୍ଟ ବନ୍ଦ କରିପାରୁ ନାହାନ୍ତି।  ତେବେ ପ୍ରଶ୍ନ ହେଲା ସେଭିଂ ଆକାଉଣ୍ଟ୍ ସଂଖ୍ୟା କମ କରିବା ପାଇଁ ତାଙ୍କ ପାଖରେ କୌଣସି ଉପାୟ ରହିଛି କି? ଏକାଧିକ ସେଭିଂ ଆକାଉଣ୍ଟ୍ ରଖିବାର କିଛି ଲାଭ ରହିଛି କି?

  • ଅଧିକ ସେଭିଂ ଆକାଉଣ୍ଟ ରଖିବା ଅର୍ଥ କନଫ୍ୟୁଜନ
  • ଦୁଇରୁ ତିନୋଟି ଆକାଉଣ୍ଟ ରଖନ୍ତୁ
  • ଗୋଟିଏ ମୁଖ୍ୟ ସେଭିଂ ଆକାଉଣ୍ଟ ରଖନ୍ତୁ,ସେଥିରୁ ବାକି ଆକାଉଣ୍ଟକୁ ବାଲାନ୍ସ ଟ୍ରାନସଫର କରନ୍ତୁ
  • ମୁଖ୍ୟ ଆକାଉଣ୍ଟରେ ଇଲେକଟ୍ରୋନିକ୍ ଟ୍ରାନସଫର ଆକ୍ଟିଭ୍ କରନ୍ତୁ

money

କେହି କେହି ଭାବନ୍ତି ଯେ, ଏକାଧିକ ସେଭିଂ ଆକାଉଣ୍ଟରେ ଟଙ୍କା ରଖି ଆୟକର ଫାଙ୍କି ହେବ। କିନ୍ତୁ ଏହି ଧାରଣା ଭୁଲ। ସେ ଯୁଗ ବିତିଗଲାଣି ଯେତେବେଳେ ଏକାଧିକ ସେଭିଂ ଆକାଉଣ୍ଟକୁ ଅସ୍ତ୍ର କରି ଆୟକର ଅଧିକାରୀଙ୍କୁ ଠକା ଯାଇପାରୁଥିଲା। ଏକାଧିକ ସେଭିଂ ଆକାଉଣ୍ଟର ପ୍ରକୃତରେ କୌଣସି ଫାଇଦା ହିଁ ନାହିଁ। କାରଣ ଆପଣଙ୍କ ପ୍ୟାନ୍ ନମ୍ବର ସବୁ ବ୍ୟାଙ୍କ୍ ଖାତାରେ ସମାନ ରହିବ। ଯେଉଁଥିରୁ କେଉଁ ଆକାଉଣ୍ଟରେ କେତେ ଟଙ୍କା ଅଛି,ମୋଟ ସବୁ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାକୁ ଆୟକର ବିଭାଗ ଆରାମରେ ଜାଣି ପାରିବେ। ତେଣୁ ଅନୁଙ୍କ ପକ୍ଷରେ ଦୁଇରୁ ତିନୋଟି ଆକାଉଣ୍ଟ ରଖି ବାକି ସବୁ ବ୍ୟାଙ୍କ ଖାତାକୁ ବନ୍ଦ କରିବା ବୁଦ୍ଧିମାନର କାମ ହେବ।

ଯଦି ଗୋଟିଏ ଆକାଉଣ୍ଟରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କୌଣସି ଆର୍ଥିକ ଦେଣନେଣ ହୁଏ ନାହିଁ ତେବେ ବ୍ୟାଙ୍କ୍ ତାକୁ ନିଷ୍କ୍ରିୟ ବା ଡରମେଣ୍ଟ୍ ଆକାଉଣ୍ଟ ଭାବେ ଗଣନା କରେ। ଯଦି ସେହି ଖାତରେ କେବଳ ନିଶ୍ଚିତ ଅବଧିରେ ସୁଧ କ୍ରେଡିଟ୍ ହୁଏ ତେବେ ବ୍ୟାଙ୍କ ତାକୁ ଡରମେଣ୍ଟ ଆକାଉଣ୍ଟ ଭାବେ ଗ୍ରହଣ କରିଥାଏ। କିନ୍ତୁ ବଡ କଥା ହେଲା ଏଭଳି ଖାତାରୁ ଟଙ୍କା ଉଠାଇବାକୁ ହେଲେ ଆପଣଙ୍କୁ ସେହି ଆକାଉଣ୍ଟକୁ ପୁଣିଥରେ ସକ୍ରିୟ କରିବାକୁ ପଡିବ। ତେଣୁ ଅନୁଙ୍କୁ କେବଳ ଏଭଳି ବ୍ୟାଙ୍କ ଖାତା ରଖିବାକୁ ପଡିବ ଯାହା ତାଙ୍କର ପ୍ରମ୍ମୁଖ ଅପରେଟିଂ ଆକାଉଣ୍ଟ। ମାନେ ଯେଉଁ ଗୋଟିଏ ଦୁଇଟି ଆକାଉଣ୍ଟରୁ ସେ ପେମେଣ୍ଟ କରୁଛନ୍ତି କେବଳ ସେହିଗୁଡିକୁ ତାଙ୍କୁ ସକ୍ରିୟ ରଖିବାକୁ ପଡିବ। ନିଜ ସାଲେରି ଆକାଉଣ୍ଟରୁ ସେ ସହି ଆକାଉଣ୍ଟକୁ ଟଙ୍କା ଟ୍ରାନସ୍ଫର କରି ପାରିବେ। ଅଧିକନ୍ତୁ, ସେ ନିଜ ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟ ସହ ବାକି ଦେଣନେଣକୁ ଯୋଡି ପାରିବେ। ଏଥିଲାଗି ଅନୁଙ୍କୁ କେବଳ ନିଜ ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟରେ ଇଲେକଟ୍ରୋନିକ୍ ଟ୍ରାନସଫରକୁ ସେଟ୍ କରିବାକୁ ପଡିବ। ଯାହା ତାଙ୍କ ଜୀବନକୁ ସରଳ କରିଦେବ। ତାଙ୍କୁ ଅନେକ ଗୁଡିଏ ଆକାଉଣ୍ଟର ପାସୱାର୍ଡ ମନେ ରଖିବାକୁ ପଡିବ ନାହିଁ କିମ୍ବା ତାକୁ ଅପରେଟ୍ କରିବାକୁ ପଡିବ ନାହିଁ।