ବରିଷ୍ଠ ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି,ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କ ଜୀବନକୁ ସହଜ କରିବା..

SCSS

୬୦ ପରର ଜୀବନ ହେଉଛି ଅବସରକାଳୀନ ଜୀବନ। ଅବସରକାଳୀନ ଜୀବନରେ ମଧ୍ୟ ଟଙ୍କାର ଆବଶ୍ୟକତା ହୋଇଥାଏ। ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେହିଭଳି କିଛି ଯୋଜନା ବିଷୟରେ ଆଜି ଆମେ ପଢିବା। ଯାହାର ଫାଇଦା ବରିଷ୍ଠ ନାଗରିକ ନେଇ ପାରିବେ।

  1. ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା (PMVVY)
    ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ନିବେଶ ରାଶିକୁ ଦୁଇ ଗୁଣ କରିଦିଆଯାଇଛି।
  • କିଏ କରି ପାରିବେ ନିବେଶ?

ଏହି ଯୋଜନାରେ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ନାଗରିକ ନିବେଶ କରିପାରିବେ। ନିବେଶ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୦। ଏହି ଯୋଜନାରେ ନିବେଶକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୮ ପ୍ରତିଶତ ରିଟର୍ଣ୍ଣର ଗ୍ୟାରେଣ୍ଟି ସହ ପେନସନ୍ ଦିଆଯାଇଥାଏ।

pension plan

  • ପେନସନ କେମିତି ମିଳେ ?

ଏହି ଯୋଜନାରେ ସାମିଲ ହୋଇଥିବା ବରିଷ୍ଠ ନାଗରିକ ମାସିକ,ତିନି ମାସିଆ, ଛ’ ମାସରେ ଥରେ କିମ୍ବା ବର୍ଷକୁ ଥରେ ପେନସନ ନେଇ ପାରିବେ। ନିବେଶ ରାଶି ବଢିବା କାରଣରୁ ବରିଷ୍ଠ ନାଗରିକ ମାସିକ ୧୦ ହଜାର ପର୍ଯ୍ୟନ୍ତ ପେନସନ୍ ପାଇପାରିବେ। ସରକାରଙ୍କ ଅନୁସାରେ ମାର୍ଚ୍ଚ ୨୦୧୮ ସୁଧା ମୋଟ ୨ ଲକ୍ଷ ୨୩ ହଜାର ବରିଷ୍ଠ ନାଗରିକ ଏହି ପେନସନ୍ ଯୋଜନାର ଲାଭ ଉଠାଇଛନ୍ତି।

କେମିତି କରିବେ ଆବେଦନ?

ଏଥିଲାଗି ଏକ ଆବେଦନ ଫର୍ମ ପୁରଣ କରିବାକୁ ପଡେ। ଏହା ସହ ଜରୁରୀ ଦସ୍ତାବିଜ୍ ଦେବାକୁ ପଡିଥାଏ। ବରିଷ୍ଠ ନାଗରିକ ଅନଲାଇନରେ ମଧ୍ୟ ଏଥିପାଇଁ ଆବେଦନ କରି ପାରିବେ। ଏଥିପାଇଁ https://eterm.licindia.in/onlinePlansIndex/pmvvymain.doକୁ ଯାଇ ଲଗ୍ ଇନ୍ କରିବାକୁ ପଡେ।

pan card

କେଉଁ କାଗଜପତ୍ର ଆବଶ୍ୟକ?

  • ପାନ୍ କାର୍ଡ
  • ଠିକଣା ପ୍ରମାଣ ଭାବେ ଆଧାର କାର୍ଡ,ପାସପୋର୍ଟ କପି
  • ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠାର ଜେରକ୍ସ କପି,ଏହି ଆକାଉଣ୍ଟକୁ ପେନସନ ଟଙ୍କା ଯିବ
  1. ସିନିୟର ସିଟିଜେନ ସେଭିଂ ସ୍କିମ୍ (SCSS)
    ଯଦି ଆପଣଙ୍କ ବୟସ ୬୦ରୁ ଅଧିକ ଓ ଆପଣ ଅବସର ନେଇ ସାରିଛନ୍ତି ତେବେ ଆପଣ ଏହି ସ୍କିମରେ ନିବେଶ କରିପାରିବେ। SCSS ସ୍କିମରେ ଆପଣ ଏକାକି କିମ୍ବା ଜଏଣ୍ଟ ଆକାଉଣ୍ଟ ଖୋଲି ପାରିବେ। ପୋଷ୍ଟ ଅଫିସ କିମ୍ବା କୌଣସି ବ୍ୟାଙ୍କରେ SCSS କ୍ରମରେ ନିବେଶ କରାଯାଇ ପାରିବ। ଆକାଉଣ୍ଟରେ ୧୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରାଯାଇ ପାରିବ। ତେବେ ଏସସିଏସଏସରେ ନିବେଶ କରାଯାଇଥିବା ଟଙ୍କା ରିଟାୟରମେଣ୍ଟ ବେଳେ ମିଳିବାକୁ ଥିବା ଟଙ୍କାଠାରୁ ଅଧିକ ହେବ ନାହିଁ। ନଗଦ ୧ ଲକ୍ଷ ଟଙ୍କା ଜମା କରି ଆପଣ ଖାତା ଖୋଲି ପାରିବେ କିନ୍ତୁ ଏକ ଲକ୍ଷରୁ ଅଧିକ ଡିପୋଜିଟ୍ ଚେକ୍ ମାଧ୍ୟମରେ ହିଁ ହୋଇପାରିବ।

କେତେ ମିଳେ ସୁଧ?
ଏହି ସ୍କିମର ୮ ପ୍ରତିଶତକୁ ଅଧିକ ବାର୍ଷିକ ସୁଧ ମିଳିଥାଏ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପ୍ରତି ତିନି ମାସରେ ଏସସିଏସଏସ ସୁଧର ସମୀକ୍ଷା କରିଥାନ୍ତି। ଏହି ହିସାବରେ ପ୍ରତି ବର୍ଷ ମାର୍ଚ୍ଚ ୩୧, ଜୁନ୍ ୩୦, ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ରେ ନିବେଶକଙ୍କ ବ୍ୟାଙ୍କ ଖାତାରେ ସୁଧ ଜମା ହୋଇଥାଏ। ଏସସିଏସଏସର ଅବଧି ୫ ବର୍ଷ ହୋଇଥାଏ। ଏହାକୁ ଅଧିକ ୩ ବର୍ଷ ପାଇଁ ବଢା ଯାଇପାରେ। ଯଦି ସମୟ ପୂର୍ବରୁ ଆପଣ ଟଙ୍କା ଉଠାନ୍ତି ତେବେ ସେଥିପାଇଁ କିଛି ଶୁଳ୍କ ଦେବାକୁ ପଡିପାରେ।

  • ତିନି ବର୍ଷର ଏକ୍ସଟେନସନ୍

ଏସସିଏସଏସ 2019 ଅନୁସାରେ ମ୍ୟାଚୁରିଟି ପରେ ମଧ୍ୟ ଜଣେ ଚାହିଁଲେ ସ୍କିମରେ ଆହୁରି ୩ ବର୍ଷ ପାଇଁ ସାମିଲ ହୋଇ ପାରିବେ। ଏସସିଏସଏସରେ ଆପଣଙ୍କୁ ସୁଧ ସେତିକି ମିଳିବ ଯେତିକି  ଖାତା ମ୍ୟାଚୁର  ହେବା ବେଳେ ମିଳୁଥିଲା।

3. ଆପଣଙ୍କ ଘର ଦେବ ମାସିକ ଆୟ
ବରିଷ୍ଠ ନାଗରିକଙ୍କର ଯଦି କେହି ସନ୍ତାନସନ୍ତତି ନଥାନ୍ତି କିମ୍ବା ସନ୍ତାନ ସେମାନଙ୍କ ଦାୟିତ୍ୱ ନିଅନ୍ତି ନାହିଁ ତେବେ ବରିଷ୍ଠ ନାଗରିକ ନିଜ ଘରକୁ ବନ୍ଧା ରଖି ମାସିକ ଆୟ ପାଇ ପାରିବେ। ଘର ବନ୍ଧା ରଖି ମାସିକ ଆୟ ପାଇବାର ଏହି ଉପାୟକୁ ରିଭର୍ସ ମୋର୍ଟଗେଜ୍ କୁହନ୍ତି।

reverse mortgage plan

ରିଭର୍ସ ମୋର୍ଟଗେଜ୍ କ’ଣ?
ଜଣେ ବରିଷ୍ଠ ନାଗରିକ ଚାହିଁଲେ ନିଜ ଘରକୁ ବ୍ୟାଙ୍କ ପାଖରେ ବନ୍ଧକ ରଖି ପାରିବେ। ବଦଳରେ ବ୍ୟାଙ୍କ ତାଙ୍କୁ ମାସିକ ଟଙ୍କା ଦେଇଥାଏ। ବରିଷ୍ଠ ନାଗରିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଘରକୁ ନିଜ କବଜାକୁ ନେଇଥାଏ। ଏହି ଲୋନର ଲାଭ ହେଉଛି ଏଥିରେ ଘର ବନ୍ଧକ ରଖିବା ପରେ ମଧ୍ୟ ଘରେ ବରିଷ୍ଠ ନାଗରିକ ରହିପାରିବେ।

କେତେ ବର୍ଷ ପାଇଁ ଲୋନ୍?
ଏଭଳି ଲୋନ୍ ୧୫ ବର୍ଷ ପର୍ଯ୍ୟନ୍ତ ମିଳିଥାଏ। ଏହି ସ୍କିମରେ ଘର ମାଲିକଙ୍କୁ ବ୍ୟାଙ୍କକୁ ଟଙ୍କା ଫେରାଇବାକୁ ପଡିନଥାଏ। ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ଏହି ଲୋନର ସୁବିଧ ଉଠାଇ ପାରିବେ। ତେବେ କିଛି ବ୍ୟାଙ୍କ ୭୨ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏଭଳି ଲୋନ୍ ଦେଇନଥାନ୍ତି।