ନିବେଶ ନିଷ୍ପତି ସହଜ ହୋଇନଥାଏ, କେତେ ନିବେଶ କରିବେ,କେମିତି କରିବେ ଏବଂ ସବୁଠୁ ବଡ ପ୍ରଶ୍ନ ହେଲା ନିବେଶ ପାଇଁ ସଠିକ ସୁଯୋଗର ସନ୍ଧାନ..

NSC

ସଠିକ ନିବେଶ ସୁଯୋଗ ଖୋଜି ପାରିବା ଯଦି କଳା ତେବେ ନିବେଶର ସଠିକ ରଣନୈତିକ ବ୍ୟବହାର ହେଉଛି ବିଜ୍ଞାନ। ତେଣୁ ପୁଂଜି ନିବେଶ କରିବା ପୂର୍ବରୁ ଆପଣଙ୍କୁ ପାଂଚଟି ପ୍ରସଙ୍ଗ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ପଡିବ।

ନିବେଶ ଲକ୍ଷ୍ୟ ନିର୍ଧାରଣ କରନ୍ତୁ :

ଆପଣ କେତେ ପୁଂଜି ନିବେଶ କରିବେ ସେ ନିଷ୍ପତି ନେବା ପୂର୍ବରୁ ନିଜର ଆର୍ଥିକ ଲକ୍ଷ୍ୟ କଣ ତାହା ସ୍ଥିର କରନ୍ତୁ। ଆପଣ କ’ଣ ଚାହାନ୍ତି ପ୍ରଥମେ ତାହାକୁ ନିର୍ଧାରିତ କରନ୍ତୁ। ତେଣିକି ତାହା ଘର କ୍ରୟର ଲକ୍ଷ୍ୟ ହେଉ କି ନୂଆ କାର, ପିଲାଙ୍କ ଶିକ୍ଷା,ବିବାହ କିମ୍ବା ରିଟାରୟରମେଣ୍ଟ ପ୍ଲାନ୍। ଏହା ସହ କେତେ ସମୟ ଅବଧିରେ ଆପଣ ନିଜର ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି ତାକୁ ବି ନିର୍ଦ୍ଧିଷ୍ଟ କରନ୍ତୁ। ଯାହା ଆପଣଙ୍କୁ ମାସିକ କିମ୍ବା ବାର୍ଷିକ କେତେ ନିବେଶ କରିବାକୁ ପଡିବ ତାହା ଜାଣିବାରେ ସାହାଯ୍ୟ କରିବ। ତେବେ ନିବେଶ ଯେମିତି ଆୟଠାରୁ ଅଧିକ ନହୁଏ ତାହା ସୁନିଶ୍ଚିତ କରନ୍ତୁ।

invest

ଯୁବ ନିବେଶକ:

ଆପଣ ଯଦି ଏଭଳି ଜଣେ ଯୁବ ନିବେଶକ ଯାହାଙ୍କ ବୟସ 20 ବର୍ଷ ତେବେ ଆପଣଙ୍କ ପାଖରେ ସମୟ ଅଛି। ଆପଣଙ୍କ ଉପରେ ପାରିବାରିକ ଉତ୍ତରଦାୟିତ୍ୱ କିମ୍ବା ଅର୍ଥନୈତିକ ଚାପର ସମ୍ଭାବନା ଢେର କମ ଥିବ। ଏମିତିରେ ଆପଣ ନିଜ ଆୟର ଏକ ବଡ ଭାଗକୁ ନିବେଶ କରିପାରିବେ। ବିଶେଷଜ୍ଞଙ୍କ ଅନୁସାରେ ଆପଣ ନିଜ କ୍ୟାରିୟରର ଆରମ୍ଭରୁ ଆୟର 30 ପ୍ରତିଶତ ନିବେଶ କରିବା ଉଚିତ। ଯୁବ ନିବେଶକଙ୍କ ଉପରେ ଅର୍ଥନୈତିକ ଚାପ କମ ଥିବାରୁ ସେମାନେ ଏହି ସମୟରେ ରିସ୍କ୍ ନେବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ। ଯୁବ ନିବେଶକ ନିଜ ପୁଂଜିର ବଡ ଭାଗ ଇକ୍ୱିଟି(ସେୟାର ମାର୍କେଟ)ରେ ନିବେଶ କରିବା ଉଚିତ। ତେବେ ବୟସ ବଢିବା ସହ ଫିକ୍ସଡ୍ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ଆବଶ୍ୟକ। କାରଣ ମ୍ୟୁଚୁଆଲ୍ ଫଣ୍ଡରେ ରିସ୍କ କମ୍ ଥାଏ।

NSC

ଜଲଦି ନିବେଶ ମାନେ ଅଧିକ ଆୟ:

ଆପଣ କେବେ ନିବେଶ ଆରମ୍ଭ କରିଥିଲେ ବା ଆରମ୍ଭ କରୁଛନ୍ତି ତା’ ଉପରେ ଆପଣଙ୍କ ଆୟ ନିର୍ଭର କରେ। ଏହା ସହ ଆପଣ କେତେ ପୁଂଜି ନିବେଶ କରିବା କ୍ଷମତା ରଖୁଛନ୍ତି ତାହା ମଧ୍ୟ ନିବେଶର କାଳ ଉପରେ ନିର୍ଭର କରେ। ଆପଣ ଯଦି ଯୁବାବସ୍ଥାରେ ନିବେଶ କରୁଛନ୍ତି,ତେବେ ଆପଣ ଅଧିକ ପୁଂଜି ଖଟାଇ ପାରିବେ। ଭବିଷ୍ୟତରେ କେତେ ଟଙ୍କା ପାଇବେ ତାହା ଦୁଇଟି କାରଣ ଉପରେ ନିର୍ଭର କରିଥାଏ -କେତେ ଟଙ୍କା ନିବେଶ କରିଛନ୍ତି,କେତେ ବର୍ଷ ନିବେଶ କରିଛନ୍ତି। ଯେତେ ଶୀଘ୍ର ପୁଂଜି ନିବେଶ କରିବେ,ସେତେ ଅଧିକା ଆୟ। ଶୀଘ୍ର ନିବେଶ କରିବାର ଫଳ ହେଉଛି ଆପଣ ନିର୍ଧାରିତ ସମୟସୀମା ପୂର୍ବରୁ ନିଜ ଟାର୍ଗେଟକୁ ଛୁଇଁ ପାରିବେ। ଉଦାହରଣ ସ୍ୱରୁପ ରିଟାୟରମେଣ୍ଟ୍ ପୂର୍ବରୁ ଯଦି ଆପଣ 5 କୋଟି ଟଙ୍କା ଆୟର ଲକ୍ଷ୍ୟ ରଖିଛନ୍ତି ତେବେ ଆପଣଙ୍କୁ 40 ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ। ଆପଣଙ୍କ ନିବେଶ ଉପରେ ବାର୍ଷିକ 12 ପ୍ରତିଶତ ରିଟର୍ଣ୍ଣ ପାଇଁ ମାସକୁ 3980 ଟଙ୍କା 40 ବର୍ଷ ଯାଏ ନିବେଶ କରିବାକୁ ପଡିବ। କିନ୍ତୁ ଯଦି ଆପଣ ନିବେଶ କରିବାରେ 10 ବର୍ଷ ବିଳମ୍ବ କରୁଛନ୍ତି ତେବେ ଆପଣଙ୍କୁ 5 କୋଟି ପାଇଁ 30 ବର୍ଷ ନିବେଶ କରିବାକୁ ପଡିବ। ଏମିତିରେ ଆପଣଙ୍କୁ ମାସିକ 14 ହଜାର ଟଙ୍କା ନିବେଶ କରିବାକୁ ପଡିବ। ତେଣୁ ଗୁରୁମନ୍ତ୍ର ହେଉଛି, ସଅଳ ନିବେଶ,ସୁରକ୍ଷିତ ଭବିଷ୍ୟତ।

ଆୟକର ଓ ନିବେଶ:

ପିପିଏଫ୍,ଇଏଲଏସଏସ ଭଳି ସ୍କିମରେ ନିବେଶ ଦ୍ୱାରା ଆପଣ ଆୟକର ରିହାତି ପାଇପାରିବେ। ଆୟକର ରିହାତି ପାଇଁ ଏହି ସବୁ ନିବେଶ ବେଶ ଉପଯୋଗୀ। ତେବେ ପ୍ରଥମେ ଆପଣଙ୍କ ଆୟ ଆୟକର ବ୍ରାକେଟକୁ ଆସୁଛି ନା ନାହିଁ ତାହା ଜାଣି ନିଅନ୍ତୁ। ଯଦି ଆପଣଙ୍କ ମୋଟ ଆୟର 50 ହଜାର ଟଙ୍କା ଉପରେ ଟ୍ୟାକ୍ସ ଲାଗୁଛି ତେବେ ଦେଢ ଲକ୍ଷ ଟଙ୍କା ପିପିଏଫ୍, ଇଏଲଏସଏସରେ ନିବେଶ କରିବା ଅପେକ୍ଷା 1 ଲକ୍ଷ ଟଙ୍କା ଲମ୍ବା ଅବଧୀର ନିବେଶ ଯେମିତି ମ୍ୟୁଚୁଆଲ ଫଣ୍ଡ୍ କିମ୍ବା ଇକ୍ୟୁଟିରେ ନିବେଶ କରନ୍ତୁ।

ନଗଦ ଟଙ୍କା ରଖନ୍ତୁ:

ନିବେଶ ଭଲ ଅଭ୍ୟାସ କିନ୍ତୁ କିଛି ନଗଦ ଟଙ୍କା ପାଖରେ ରଖନ୍ତୁ। ଦୈନଦିନ ଖର୍ଚ୍ଚ ପାଇଁ ନଗଦ ଟଙ୍କାର ଆବଶ୍ୟକତା ରହିଥାଏ। ନିବେଶରେ ରୁଚି ରଖୁଥିବା ବ୍ୟକ୍ତି ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍ ବା ସିପ୍ କରିଥାନ୍ତି। ଏଥିପାଇଁ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ରାଶିକୁ ନିବେଶ କରାଯାଇଥାଏ। ତେବେ ଆପଣ ଯଦି ଆପଣଙ୍କ ଆୟକୁ ଦେଖି ସେହି ଅନୁସାରେ ଏସଆଇପି ନକରନ୍ତି ତେବେ ଆପଣଙ୍କ ପାଖରେ ଅଲଗା ଖର୍ଚ୍ଚ ପାଇଁ ଅର୍ଥ ଅଭାବ ହେବ। ଉଦାହରଣ ସ୍ୱରୁପ ଜଣକର ମାସିକ ଆୟ ଯଦି 40 ହଜାର ଟଙ୍କା ତେବେ 30 ହଜାରର ଏସଆଇପି ବୁଦ୍ଧିମାନ ନିବେଶ ନୁହେଁ। କାରଣ ବାକି 10 ହଜାର ଟଙ୍କାରେ ଗୋଟିଏ ପରିବାର ଚଳିବା ସମ୍ଭବ ନୁହେଁ। ଦୈନନ୍ଦିନ ଖର୍ଚ୍ଚ ସହ ଜରୁରୀକାଳୀନ ଖର୍ଚ୍ଚ ମଧ୍ୟ ରହିଛି। ତେଣୁ ମାସିକ ନିବେଶ କଥା ଚିନ୍ତା କଲାବେଳେ ଅଲଗା ଖର୍ଚ୍ଚକୁ ମଧ୍ୟ ବିଚାରକୁ ନିଅନ୍ତୁ।

tax rebate home

ସ୍ୱପ୍ନର ଘରେ ନିବେଶ:

ନିଜ ଘର ତିଆରି ପାଇଁ ହୋମ୍ ଲୋନ୍ ନେବା ପୂର୍ବରୁ ବିଭିନ୍ନ ବ୍ୟାଙ୍କ ଓ ଏନବିଏଫସି କମ୍ପାନୀଙ୍କ ସୁଧହାର ମଧ୍ୟରେ ତୁଳନା କରନ୍ତୁ। ମାସିକ ଆପଣଙ୍କୁ କେତେ ଇଏମ୍ଆଇ ଦେବାକୁ ପଡିବ ତାର ମଧ୍ୟ ହିସାବ କରନ୍ତୁ। ଆପଣ କେତେ ଇଏମ୍ଆଇ ଦେଇ ପାରିବେ ତାହା ଆଗୁଆ ଜାଣିବା ବୁଦ୍ଧିମାନର କାମ।

ଚୁମ୍ବକରେ ନିବେଶ:

  • ପ୍ରଥମେ ଅର୍ଥନୈତିକ ଲକ୍ଷ୍ୟ ନିର୍ଧାରଣ କରନ୍ତୁ
  • ଆୟଠାରୁ ପୁଂଜି ନିବେଶ ଯେମିତି ଅଧିକ ନହୁଏ
  • ହୋମଲୋନ୍ ନେବା ଆଗରୁ ବିକଳ୍ପ ଚିନ୍ତା କରନ୍ତୁ
  • ସଅଳ ନିବେଶ ମାନେ ଅଧିକ ଆୟ
  • ନିବେଶ କରନ୍ତୁ କିନ୍ତୁ ନଗଦ ବି ପାଖରେ ରଖନ୍ତୁ
  • କମ୍ ବୟସରେ ନିବେଶ ଅର୍ଥ ଅଧିକ ରିସ୍କ ନେଇ ପାରିବେ
  • ଯୁବ ନିବେଶକ 30 ପ୍ରତିଶତ ଇକ୍ୱିଟିରେ ନିବେଶ କରନ୍ତୁ