• ନଭେମ୍ବର ୧୩ରୁ ୨୨ତମ ଏଣ୍ଟରପ୍ରାଇଜ ଓଡିଶା-୨୦୧୯
  • ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପ୍ରଦର୍ଶନ ହେବ ୨୦୦ରୁ ଅଧିକ କମ୍ପାନି ଓ ଏହାର ସେବା
  • ନଭେମ୍ବର ୧୩ ରୁ ୧୬ ଯାଏଁ ଚାଲିବ ଏଣ୍ଟରପ୍ରାଇଜ ଓଡିଶା-୨୦୧୯

କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ପକ୍ଷରୁ ଭୁବନେଶ୍ୱର ଇଡ୍‌କଲ ପ୍ରଦର୍ଶନୀ ପଡ଼ିଆରେ ୨୨ତମ ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏନେଇ ଶୁକ୍ରବାର ସିଆଇଆଇ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ସୂଚନା ଦିଆଯାଇଛି।

ଆୟୋଜିତ ହେବାକୁ ଥିବା ୨୨ତମ ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଓଡିଶା ସରକାରଙ୍କ ଶିଳ୍ପ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫଲ୍ଲ କୁମାର ମଲ୍ଲିକ, ଅଣୁ କ୍ଷୁଦ୍ର ମଧ୍ୟମ ତଥା ଶକ୍ତି ମନ୍ତ୍ରୀ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ବିଭାଗୀୟ ସଚିବ ଆଇଏଏସ୍ ହେମନ୍ତ ଶର୍ମା, ଓଡିଶା ସିଆଇଆଇର ଭାଇସ୍ ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଏଣ୍ଟରପ୍ରାଇଜ ଓଡିଶା-୨୦୧୯ କାର୍ଯ୍ୟକ୍ରମରେ ଦେଶର ୨୦୦ରୁ ଅଧିକ କମ୍ପାନି ଓ ଏହାର ପ୍ରଡକ୍ଟ୍‌ସ ଏବଂ ସେବା ସମ୍ବନ୍ଧୀୟ ପ୍ରଦର୍ଶନ କରିଯିବ।। ମେଟାଲ, ମିନେରାଲ ଏବଂ ପାୱାର, ଟେକ୍ସଟାଇଲ, ଫୁଡ ପ୍ରୋସେସିଙ୍ଗ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ଡିଫେନ୍ସ ମାନୁଫାକଚୁରିଂ ଆଦି ବିଭାଗମାନ ଚଳିତ ବର୍ଷ ପ୍ରଦର୍ଶନିରେ ସ୍ଥାନ ପାଇବ।

ଏହା ସହିତ ଉଦ୍ୟୋଗିକ ଏବଂ ନିର୍ମାଣ ଉପକରଣ, ଆଇଟି ସେବା, ଶିକ୍ଷା, ରିୟଲ ଇଷ୍ଟେଟ୍, ଅଟୋମୋବାଇଲ କ୍ଷେତ୍ରକୁ ବିସ୍ତୃତ ଭାବେ ପ୍ରଦର୍ଶନ କରାଯିବ। ଏଥିରେ ନୂତନ ଟେକ୍ନଲୋଜି ଏବଂ ପ୍ରସ୍ତୁତି ସମ୍ବନ୍ଧୀୟ ସୂଚନା ମଧ୍ୟ ପ୍ରଦାନ କରାଯିବ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନିରେ ସୂଚନା ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନିରେ ଓଡିଶା ସିଆଇଆଇର ଭାଇସ୍ ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ଭାଇସ୍‌ ଚେୟାରମ୍ୟାନ୍‌ ତଥା ମାନ୍ୟାଜିଂ ଡାଇରେକ୍ଟର ଏସ୍‌ ଏସ୍‌ ମହାନ୍ତି, ତତ୍ୱ ଟେକ୍ନଲୋଜି ପ୍ରଇଭେଟ୍‌ ଲିମିଟେଡ୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ତପେନ୍ଦ୍ର ସେନାପତି, ପିଜିଏଲ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିର ମ୍ୟାନେଜିଂ ଡାଇରେକ୍ଟର କମଲ ସିତାରାମ ଅଗ୍ରୱାଲ, ସୁପର୍ଣ୍ଣା ନନ୍ଦ, ରଶ୍ମି ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।