ଲଙ୍ଗଟର୍ମ କ୍ୟାପିଟାଲ ଗେନକୁ ଏଭଳି ଭାବେ ବିନିଯୋଗ କରି ପାଆନ୍ତୁ ଟ୍ୟାକ୍ସରେ ରିହାତି
କ୍ୟାପିଟାଲ ଗେନ ଟ୍ୟାକ୍ସ ବା ଅର୍ଥ ଲାଭାଂଶ ଉପରେ ଟିକସ
ସାଧାରଣତଃ କୌଣସି ସମ୍ପତ୍ତି ବିକ୍ରି ଉପରେ ଆମକୁ ଯେଉଁ ଅର୍ଥ ଲାଭ ହୋଇଥାଏ ତାହାକୁ କ୍ୟାପିଟାଲ ଗେନ୍ କୁହାଯାଇଥାଏ। କ୍ୟାପିଟାଲ ଗେନ ସମ୍ପର୍କରେ ଅଧିକ ଭଲ ଭାବେ ଜାଣିବାକୁ ହେଲେ ଆମକୁ ପ୍ରଥମେ କ୍ୟାପିଟାଲ ଆସେଟକୁ ବୁଝିବାକୁ ପଡ଼ିବ। ବିଭିନ୍ନ ପ୍ରକାର ଜମି, ବିଲ୍ଡିଂ, ଘର, ସେୟାର, ବଣ୍ଡ୍, ମ୍ୟୁଚୁଆଲ ଫଣ୍ଡ, ସୁନା, ଅଳଙ୍କାର, ଟ୍ରେଡମାର୍କ, ଜମିପଟ୍ଟା, ଗାଡ଼ିମୋଟର, ମେଶିନ ଆଦି ସମ୍ପତ୍ତି, ଯାହାକି ଆମେ ବିକ୍ରି କଲେ କିଛି ଅର୍ଥ ଲାଭ ପାଇଥାଉ ତାହାକୁ କ୍ୟାପିଟାଲ ଆସେଟ କୁହାଯାଇଥାଏ। ଏସବୁ ସମ୍ପତ୍ତି ବିକ୍ରି ଉପରେ ଆମକୁ ଯେଉଁ ଲାଭ ମିଳିଥାଏ, ତାହାକୁ କ୍ୟାପିଟାଲ ଗେନ୍ କୁହାଯାଏ। ଏହା ଦୁଇ ପ୍ରକାର ହୋଇଥାଏ, ଯଥା- ଶର୍ଟଟର୍ମ କ୍ୟାପିଟାଲ ଗେନ୍ ଓ ଲଙ୍ଗଟର୍ମ କ୍ୟାପିଟାଲ ଗେନ। ଉଭୟ କ୍ୟାପିଟାଲ ଗେନ୍ ଉପରେ ଆମକୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଯାହାକୁ କ୍ୟାପିଟାଲ ଗେନ୍ ଟ୍ୟାକ୍ସ କୁହାଯାଏ। ତେବେ ଗ୍ରାମାଞ୍ଚଳର କୃଷି କିସମ ଜମି ଉପରେ କ୍ୟାପିଟାଲ ଗେନ ଟ୍ୟାକ୍ସ ଲାଗି ନ ଥାଏ।
ଶର୍ଟଟର୍ମ ଓ ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ
ସାଧାରଣତଃ ସମ୍ପତ୍ତି ବିକ୍ରିର ସମୟ ସୀମାକୁ ଦୃଷ୍ଟିରେ ରଖି ଶର୍ଟଟର୍ମ କିମ୍ବା ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ ନିର୍ଦ୍ଧାରିତ ହୋଇଥାଏ। ଯଦି କୌଣସି ସମ୍ପତ୍ତି କିଣିବାର ୨୪ ମାସ ଭିତରେ ତାହାକୁ ବିକ୍ରି କରିଦିଆଯାଏ ତେବେ ତାହାକୁ ଶର୍ଟଟର୍ମ କ୍ୟାପିଟାଲ ଗେନ୍ ଓ ତାହା ଉପରେ ଲାଗୁଥିବା ଟ୍ୟାକ୍ସକୁ ଶର୍ଟଟର୍ମ କ୍ୟାପିଟାଲ ଗେନ ଟ୍ୟାକ୍ସ କୁହାଯାଏ। ସେହିପରି ଯଦି କୌଣସି ସମ୍ପତ୍ତି କିଣାଯିବାର ୨୪ ମାସ ପରେ ବିକ୍ରି କରାଯାଏ, ତାହାକୁ ଲଙ୍ଗଟର୍ମ କ୍ୟାପିଟାଲ ଗେନ ଓ ଏହା ଉପରେ ଲାଗୁଥିବା ଟ୍ୟାକ୍ସକୁ ଲଙ୍ଗଟର୍ମ କ୍ୟାକିଟାଲ ଗେନ ଟ୍ୟାକ୍ସ କୁହାଯାଏ। ପୂର୍ବରୁ ଏହି ସମୟସୀମା ୩୬ ମାସ ବା ୩ ବର୍ଷ ଥିଲା। କିନ୍ତୁ ଏହାକୁ ଏବେ ୨୪ ମାସ କରିଦିଆଯାଇଛି।
କିପରି ଲାଗିଥାଏ ଟ୍ୟାକ୍ସ
ସାଧାରଣତଃ ଇନକମ ଟ୍ୟାକ୍ସ ସ୍ଲାବ ଅନୁଯାୟୀ ଶର୍ଟ ଟର୍ମ କ୍ୟାପିଟାଲ ଗେମ୍ ଟ୍ୟାକ୍ସ ସ୍ଥିର ହୋଇଥାଏ। ଅର୍ଥାତ୍ ଯଦି ଆପଣ ଇନକମ ଟ୍ୟାକ୍ସ ସ୍ଲାବ୍ ଅନୁଯାୟୀ ୩୦% ସ୍ଲାବ୍ ରେଟରେ ଆସିବେ ତେବେ ଆପଣଙ୍କୁ ୩୦% ଏବଂ ଯଦି ୨୦% ସ୍ଲାବ୍ ରେଟରେ ଆସିବେ ତେବେ ଆପଣଙ୍କୁ ୨୦% ଟ୍ୟାକ୍ସ ଦେବାକୁ ପଡ଼ିବ। ସେହିପରି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ ଉପରେ ସାଧାରଣତଃ ୨୦% ଟ୍ୟାକ୍ସ ଲାଗିଥାଏ। ତେବେ ଏହା ସ୍ଥିର ନିଶ୍ଚିତ ନୁହେଁ, କେତେକ କ୍ଷେତ୍ରରେ ଏଥିରେ ଆପଣଙ୍କୁ ରିହାତି ମିଳିଯାଇଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ପତ୍ତିର ମୂଲ୍ୟ କୌଣସି କାରଣରୁ ମହଙ୍ଗା ହୋଇଗଲେ ମଧ୍ୟ ଶର୍ଟ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଉପରେ ଆପଣ କୌଣସି ଫାଇଦା ପାଇପାରିବେ ନାହିଁ। କିନ୍ତୁ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ କ୍ଷେତ୍ରରେ ଆପଣଙ୍କ ମହଙ୍ଗା ଅର୍ଥ ପରିମାଣକୁ ବାଦ୍ ଦେଇ ଟ୍ୟାକ୍ସ ଲାଗିଥାଏ। ସେହିପରି ଶର୍ଟ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଉପରେ ରିହାତି ସୁବିଧା ନ ଥିବାବେଳେ ଲଙ୍ଗଟର୍ମ କ୍ୟାପିଟାଲ ଗେନ ଟ୍ୟାକ୍ସରେ ରିହାତି ସୁବିଧା ଥାଏ।
ଲଙ୍ଗଟର୍ମ କ୍ୟାପିଟାଲ ଗେନ ଉପରେ କିପରି ବଞ୍ଚାଇବେ ଟ୍ୟାକ୍ସ
ସେକ୍ସନ– ୫୪ : ଯେକୌଣସି ବ୍ୟକ୍ତି ବା ହିନ୍ଦୁ ଅବିଭାଜିତ ପରିବାର (ଏଚୟୁଏଫ୍) ଯଦି କୌଣସି ରେସିଡେନ୍ସିଆଲ ଘର ବିକ୍ରି କରି ତାହାର ଲାଭାଂଶ ନୂତନ ଘର କିଣା ବା ନିର୍ମାଣରେ ବିନିଯୋଗ କରିବେ ତେବେ ସେକ୍ସନ-୫୪ ଅନୁଯାୟୀ ଟ୍ୟାକ୍ସରେ ରିହାତି ପାଇପାରିବେ। ତେବେ ଏଥିରେ କେତେକ ସର୍ତ୍ତ ରହିଛି।
୧- ଯଦି ଆପଣ ଉକ୍ତ ସମ୍ପତ୍ତି ବିକ୍ରି କରିବାର ୧ବର୍ଷ ପୂର୍ବରୁ ନୂତନ ରେସିଡେନ୍ସିଆଲ ଘର କିଣିଥିବେ କିମ୍ବା ସମ୍ପତ୍ତି ବିକ୍ରି କରିବାର ୨ବର୍ଷ ପରେ ନୂତନ ରେସିଡେନ୍ସିଆଲ ଘର କିଣିବେ ତେବେ ଆପଣ ଟ୍ୟାକ୍ସ ରିହାତି ପାଇପାରିବେ। ସେହିପରି ଗୃହ ନିର୍ମାଣ କ୍ଷେତ୍ରରେ ଟ୍ୟାକ୍ସ ରିହାତି ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ ସମ୍ପତ୍ତି ବିକ୍ରି କରିବାର ୩ବର୍ଷ ମଧ୍ୟରେ ନୂତନ ଗୃହ ନିର୍ମାଣ ଶେଷ କରିବାକୁ ହେବ।
୨-ସମ୍ପୂର୍ଣ୍ଣ ଟ୍ୟାକ୍ସ ରିହାତି ପାଇବାକୁ ହେଲେ କ୍ୟାପିଟାଲ ଗେନ୍ ବା ସମ୍ପତ୍ତି ବିକ୍ରି ଉପରେ ପାଇଥିବା ସମସ୍ତ ଲାଭାଂଶ ଆପଣଙ୍କୁ ନୂତନ ଘର କିଣା ବା ନିର୍ମାଣରେ ବିନିଯୋଗ କରିବାକୁ ପଡ଼ିବ। ଯଦି ଆପଣ ସମସ୍ତ ଲାଭାଂଶ ବିନିଯୋଗ ନ କରିବେ, ତେବେ ବଳକା ଟଙ୍କା ଉପରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ।
୩-ଏହି ଲାଭାଂଶ ଟଙ୍କାରେ ଆପଣ ଅତି ବେଶିରେ ୨ଟି ଘର କିଣିପାରିବେ କିମ୍ବା ନିର୍ମାଣ କରିପାରିବେ। ପୂର୍ବରୁ ଏହା ଗୋଟିଏ ଘରରେ ସୀମିତ ଥିଲା।
୪- ଏଭଳି ଭାବେ ଅତିବେଶିରେ ଆପଣ ୨କୋଟି ଟଙ୍କାର କ୍ୟାପିଟାଲ ଗେନ୍ ଉପରେ ଟ୍ୟାକ୍ସ ରିହାତି ପାଇପାରିବେ ଏବଂ ଏହି ସୁବିଧା ଆପଣଙ୍କୁ ଜୀବନରେ ମାତ୍ର ଥରେ ମିଳିପାରିବ।
୫-ସେହିପରି ଟ୍ୟାକ୍ସ ରିହାତି ପାଇବାକୁ ହେଲେ ବ୍ୟାଙ୍କରେ ଆପଣ ଏହି ଟଙ୍କା ‘କ୍ୟାପିଟାଲ ଗେନ୍ସ ଆକାଉଣ୍ଟ ସ୍କିମ୍’ ଜରିଆରେ ରଖିବାକୁ ପଡ଼ିବ। ଯଦି ଆପଣ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟରେ କ୍ୟାପିଟାଲ ଗେନ୍ ଟଙ୍କା ରଖୁଛନ୍ତି, ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।
ସେକ୍ସନ – ୫୪ (ଇସି) : ଯେକୌଣସି ବ୍ୟକ୍ତି ଏହି ସେକ୍ସନ ଅନୁଯାୟୀ ଟ୍ୟାକ୍ସ ରିହାତି ପାଇଁ ଆବେଦନ କରିପାରିବେ। ରେସିଡେନ୍ସିଆଲ ଘର ବ୍ୟତିତ ବିଭିନ୍ନ ପ୍ରକାର ସମ୍ପତ୍ତି ଯେପରିକି ଷ୍ଟକ୍ସ, ବଣ୍ଡ୍ସ, ମ୍ୟୁଚୁଆଲ ଫଣ୍ଡ, ଘର, ବାଣିଜ୍ୟିକ ସମ୍ପତ୍ତି ଓ ପ୍ଲଟ୍ ଆଦି କିଣାବିକା କ୍ଷେତ୍ରରେ ସେକ୍ସନ-୫୪(ଇସି) ଅନୁଯାୟୀ ଆପଣ ଟ୍ୟାକ୍ସ ରିହାତି ପାଇପାରିବେ। ତେବେ ଏଥିରେ ମଧ୍ୟ କେତେକ ସର୍ତ୍ତ ରହିଛି।
୧- ପ୍ରଥମତଃ ଏହି ସମ୍ପତ୍ତି ଆପଣ ୩ବର୍ଷ ନିଜ ପାଖରେ ରଖିବାକୁ ହେବ। ଅର୍ଥାତ୍ କିଣିବା ଓ ବିକ୍ରି କରିବାର ବ୍ୟବଧାନ ୩ବର୍ଷ ରହିବ। ନଚେତ ଆପଣଙ୍କୁ ଟ୍ୟାକ୍ସ ରିହାତି ମିଳିପାରିବ ନାହିଁ।
୨- ବିଶେଷକରି ୫ବର୍ଷିୟା ବଣ୍ଡରେ କ୍ୟାପିଟାଲ ଗେନ୍ ଅର୍ଥ ବିନିଯୋଗ କଲେ ଆପଣ ଏହି ସେକ୍ସନ ଅନୁଯାୟୀ ଟ୍ୟାକ୍ସ ରିହାତି ପାଇପାରିବେ। ୫ବର୍ଷରୁ କମ ବର୍ଷ ହୋଇଥିଲେ ଟ୍ୟାକ୍ସ ରିହାତି ମିଳିପାରିବନାହିଁ। ବିଶେଷକରି ନ୍ୟାଶନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ ଏବଂ ରୁରାଲ ଇଲେଟ୍ରିଫିକେଶନ କର୍ପୋରେଶନ ବଣ୍ଡ ଏହାର ଅନ୍ତର୍ଭୁକ୍ତ।
୩- ସେହିପରି ୬ମାସ ମଧ୍ୟରେ ଆପଣଙ୍କୁ ଏହି ଟଙ୍କା ବିନିଯୋଗ କରିବାକୁ ପଡ଼ିବ। ଅର୍ଥାତ କୌଣସି ସମ୍ପତ୍ତି ବିକ୍ରି କରିବାର ୬ ମାସ ଭିତରେ ଆପଣଙ୍କୁ ଏହାର ଲାଭାଂଶ ଟଙ୍କା ବିନିଯୋଗ କରିବାକୁ ହେବ।
୪- ଏହି ସେକ୍ସନ ଅନୁଯାୟୀ ଆପଣଙ୍କୁ ସର୍ବାଧିକ ୫୦ଲକ୍ଷ ଟଙ୍କାର କ୍ୟାପିଟାଲ ଗେନ ଉପରେ ଟ୍ୟାକ୍ସ ରିହାତି ମିଳିଥାଏ ଏବଂ ଆପଣଙ୍କୁ କେବଳ କ୍ୟାପିଟାଲ ଗେନ୍ ଟଙ୍କା ହିଁ ବିନିଯୋଗ କରିବାକୁ ହୋଇଥାଏ।
୫- ଏ କ୍ଷେତ୍ରରେ ‘କ୍ୟାପିଟାଲ ଗେନ୍ସ ଆକାଉଣ୍ଟ ସ୍କିମ୍’ ଜରିଆରେ ଆପଣଙ୍କୁ ଟଙ୍କା ରଖିବାର ଆବଶ୍ୟକତା ନାହିଁ। ସେଭିଙ୍ଗ ଆକାଉଣ୍ଟ ଜରିଆରେ ମଧ୍ୟ ଆପଣ ଖର୍ଚ୍ଚ କରିପାରିବେ। ତେବେ ଏଥିରେ ଆପଣଙ୍କୁ ଅଧିକ ସୁଧ ମିଳି ନ ଥାଏ ଓ ଏହି ସୁଧ ଉପରେ ମଧ୍ୟ ଟ୍ୟାକ୍ସ ଲାଗିଥାଏ।
ସେକ୍ସନ– ୫୪ (ଏଫ୍) : ଯେକୌଣସି ବ୍ୟକ୍ତି ବା ହିନ୍ଦୁ ଅବିଭାଜିତ ପରିବାର (ଏଚୟୁଏଫ୍) ସେକ୍ସନ-୫୪(ଏଫ୍) ଅନୁଯାୟୀ ଟ୍ୟାକ୍ସରେ ରିହାତି ପାଇପାରିବେ। ହାଉସ୍ ପ୍ରପର୍ଟି ବ୍ୟତୀତ ଅନ୍ୟ ସମସ୍ତ ସମ୍ପତ୍ତି ଯେପରିକି ଷ୍ଟକ୍ସ, ବଣ୍ଡ୍ସ, ମ୍ୟୁଚୁଆଲ ଫଣ୍ଡ, ବାଣିଜ୍ୟିକ ସମ୍ପତ୍ତି ଓ ପ୍ଲଟ୍ ଆଦି ଉପରେ ଟ୍ୟାକ୍ସ ରିହାତି ପାଇଁ ଆବେଦନ କରିହେବ। ତେବେ ଆବେଦନକାରୀଙ୍କର ଗୋଟିଏରୁ ଅଧିକ ହାଉସ ପ୍ରପର୍ଟି ନ ଥିବା ଆବଶ୍ୟକ।
୧– ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସେକ୍ସନ ଅନୁଯାୟୀ ଟ୍ୟାକ୍ସ ରିହାତି ପାଇବାକୁ ହେଲେ ଆପଣଙ୍କୁ ସମ୍ପତ୍ତି ବିକ୍ରି ବାବଦ ସମସ୍ତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଅର୍ଥାତ ଯଦି ଆପଣ କୌଣସି ସମ୍ପତ୍ତି ୫୦ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି, ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ୫୦ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡ଼ିବ। କିନ୍ତୁ ସେକ୍ସନ-୫୪ ଅନୁଯାୟୀ ଟ୍ୟାକ୍ସରେ ରିହାତି ପାଇବାକୁ ହେଲେ ଆପଣଙ୍କୁ କେବଳ କ୍ୟାପିଟାଲ ଗେନ୍ ବା ଲାଭାଂଶ ବିନିଯୋଗ କରିବାକୁ ପଡିଥାଏ।
୨– ଯଦି ଆପଣ କେବଳ କ୍ୟାପିଟାଲ ଗେନ୍ ବା ଲାଭାଂଶ ବିନିଯୋଗ କରିବେ ତେବେ ଆପଣଙ୍କୁ ୫୦% ଟ୍ୟାକ୍ସ ରିହାତି ମିଳିଥାଏ। ଅର୍ଥାତ୍ ଯଦି ଆପଣ କୌଣସି ସମ୍ପତ୍ତି ୫୦ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ଓ ଏଥିରେ ଆପଣଙ୍କର ୨୫ଲକ୍ଷ ଟଙ୍କା କ୍ୟାପିଟାଲ ଗେନ୍ ଅଛି, ତେବେ ଏ କ୍ଷେତ୍ରରେ ଯଦି ଆପଣ କେବଳ ୨୫ ଲକ୍ଷ ଟଙ୍କା ବିନିଯୋଗ କରିବେ ତେବେ ଆପଣଙ୍କୁ ୧୨.୫ ଲକ୍ଷ ଟଙ୍କା ଉପରେ ଟ୍ୟାକ୍ସ ରିହାତି ମିଳିବ।
୩- ସାଧାରଣତଃ ଉପରୋକ୍ତ ସର୍ତ୍ତ ବ୍ୟତିତ ସେକ୍ସନ -୫୪ ସହିତ ସେକ୍ସନ-୫୪(ଏଫ୍) ପ୍ରାୟତଃ ସମାନ ଥାଏ। ଅର୍ଥାତ କୌଣସି ଗୃହ କିଣିବା କିମ୍ବା ନିର୍ମାଣ କରିବା, ଏହାର ସମୟ ସୀମା ଆଦି ସମସ୍ତ ସର୍ତ୍ତ ସେକ୍ସନ-୫୪ ସହ ସମାନ।
୪- ଏଥିରେ ମଧ୍ୟ ଆପଣଙ୍କୁ ‘କ୍ୟାପିଟାଲ ଗେନ୍ସ ଆକାଉଣ୍ଟ ସ୍କିମ୍’ରେ ଟଙ୍କା ରଖିବାକୁ ହୋଇଥାଏ। ନଚେତ ଆପଣଙ୍କୁ ଟ୍ୟାକ୍ସ ରିହାତି ମିଳି ନ ଥାଏ।