‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ମାଧ୍ୟମରେ ଆବେଦନ କରି ପୁରୁଣା ସର୍ଭିସ୍‌ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍‌ ସମ୍ପର୍କୀତ ବିବାଦରେ ପେନାଲ୍‌ଟି ଏବଂ ସୁଧ ସମ୍ପୂର୍ଣ୍ଣ ଛାଡ଼ ପାଆନ୍ତୁ। ତା’ ସାଙ୍ଗକୁ ନିଅନ୍ତୁ ବାକି ଥିବା ଟିକସ ପରିମାଣ ଉପରେ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼।

ସର୍ଭିସ ଟ୍ୟାକ୍ସ ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ଟିକସ ବାବଦରେ ବକେୟା ଥିବା କରଦାତାମାନଙ୍କ ପାଇଁ ଖୁସି ଖବର। ସବୁ ପୁରୁଣା ମାମଲାର ସମାଧାନ କରିବାକୁ ଏବେ କେନ୍ଦ୍ର ସରକାର ଏକ ଯୋଜନା ପ୍ରଚଳନ କରିଛନ୍ତି। ‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ନାଁରେ ପରିଚିତ ଏହି ଯୋଜନାରେ ସାମିଲ ହୋଇ ବ୍ୟବସାୟୀମାନଙ୍କୁ ବଡ଼ ଅଙ୍କର ଛାଡ଼ ନେବାକୁ ସରକାର ଘୋଷଣା କରିଛନ୍ତି।

ଏହି ଯୋଜନାରେ ୫୦ ଲକ୍ଷ ଟଙ୍କା ତଳକୁ ବାକି ଥିବା ଟିକସଦାତାମାନେ ମୋଟ ଟିକସ ପରମାଣର ୭୦ ପ୍ରତିଶତ ଛାଡ଼ ପାଇବେ। ଅର୍ଥାତ୍‌ ସେମାନଙ୍କୁ ଟିକସ ବିବାଦ ସମାଧାନ ବେଳେ ମାତ୍ର ୩୦ ପ୍ରତିଶତ ଦେବାକୁ ପଡ଼ିବ। ଏହାଛଡ଼ା କୌଣସି ପ୍ରକାର ସୁଧ ପଡ଼ିବ ନାହିଁ କି ଜରିମାନା ପଡ଼ିବ ନାହିଁ।

Naresh Penumaka

ସେହିପରି ୫୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର କର ଦେବାକୁ ଥିଲେ ହିତାଧିକାରୀଙ୍କୁ ଏବେ ମାତ୍ର ୪୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ଅର୍ଥାତ୍‌ ସରକାର ଏହି ସର୍ବକ୍ଷମା ଯୋଜନାରେ ୬୦ ପ୍ରତିଶତ ଛାଡ଼ କରିବାକୁ ଘୋଷଣା କରିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି କର ବାବଦ କୌଣସି ବିବାଦ ବେଳେ କରଦାତାଙ୍କୁ ବାକି ଥିବା ଟିକସ ଦେବା ସହିତ କର ପଇଠରେ ବିଳମ୍ବ ବାବଦରେ ସୁଧ ଦେବାକୁ ପଡ଼ିଥାଏ। ତା’ସାଙ୍ଗକୁ ବିଭାଗ ଆଦାୟ କରୁଥିବା ପେନାଲ୍‌ଟି ବୋଝ ଉପରେ ନଳିତା ବିଡ଼ା ହୋଇଥାଏ। ସବ୍‌କା ବିଶ୍ୱାସ ଯୋଜନାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ସର୍ବକ୍ଷମା ଯୋଜନା ଲାଗୁ କରିବା ବେଳେ ବକେୟା କର ଉପରେ ରିହାତି ଦେବା ସହିତ ସୁଧ ଏବଂ ପେନାଲ୍‌ଟିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି।

ଭୁବନେଶ୍ୱର ଇଡକୋ ଟାୱାର ପରିସରରେ ଶୁକ୍ରବାର ଦିନ ଆୟୋଜିତ କର୍ମଶାଳାରେ ଏହି ଯୋଜନା ସଂପର୍କରେ ହିତାଧିକାରୀମାନଙ୍କୁ ସୂଚନା ପ୍ରଦାନ କରାଯିବା ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଛି। ଜିଏସ୍‌ଟି ବିଭାଗ ଏବଂ ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ଭୁବନେଶ୍ୱର ପକ୍ଷରୁ ଏହି ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା।

ଏଥିରେ କଷ୍ଟମସ୍, ଜିଏସଟି ଓ ଏକ୍ସାଇଜ ଚିଫ୍ କମିସନର ନରେଶ ପେନୁମକା, ଜିଏସ୍‌ଟି ପ୍ରିନ୍ସିପାଲ କମିସନର ବି କେ କର, ଜିଏସ୍‌ଟି ଆଡିସିନାଲ କମିସନର  ଅନୁରାଧା ମିଶ୍ର ଏବଂ ସୁପରିଟେଣ୍ଡେଣ୍ଟ ଜି ସି ନାଥ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଦିନିକିଆ କର୍ମଶାଳାରେ ରାଜ୍ୟର ବିଭିନ୍ନ ଅଂଚଳରୁ ଶିଳ୍ପପତି ଏବଂ ଛୋଟ ବଡ଼ ବ୍ୟବସାୟୀ ଓ ସେମାନଙ୍କ ପ୍ରତିନିଧି ଯୋଗ ଦେଇଥିଲେ।

ଜାଣନ୍ତୁ ‘ଜିଏସ୍‌ଟି-ସବ୍‌କା ବିଶ୍ୱାସ’ କ’ଣ?

ଏହି ଯୋଜନାରେ ହିତାଧିକାରୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ  ୫୦ ଲକ୍ଷ ଟଙ୍କାରୁ ଅଧିକ ଟିକସ୍‌ ଦେବାକୁ ଥିବା ବ୍ୟବସାୟୀ ରହିଥିବା ବେଳେ ଦ୍ୱିତୀୟ ଭାଗରେ ୫୦ ଲକ୍ଷ ଟଙ୍କାରୁ କମ୍ ଟିକସ ପଇଠ କରିବାକୁ ଥିବା ହିତାଧିକାରୀ ରହିଛନ୍ତି। ଯୋଜନାର ପ୍ରଥମ ପର୍ଯ୍ୟାୟର ଅବଧି ଜୁନ ୩୦ ତାରିଖରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ।

‘ସବ୍‌କା ବିଶ୍ୱାସ’ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। https://www.cbic-gst.govt.in/  ସାଇଟକୁ ଯାଇ ସେମାନେ ଟିକସ୍‌ ବାବଦ ବିବାଦ ସମାଧାନ ପାଇଁ ଆବେଦନ କରିପାରିବେ। ଏହାପରେ ସେମାନଙ୍କ ଆବେଦନ ଉପରେ ସ୍ୱତନ୍ତ୍ର କମିଟି ବିଚାର କରି ତାର ସମାଧାନ କରିବେ।

ଏଥିପାଇଁ ୫୦ ଲକ୍ଷ ଟଙ୍କା ଉପରକୁ ଟିକସ ଥିବା ଆବେଦନକାରୀଙ୍କ ପାଇଁ ପ୍ରନ୍ସିପାଲ୍ କମିସନରଙ୍କ ନେତୃତ୍ୱରେ ଏକ ତିନିଜଣିଆ କମିଟି ଗଠନ କରାଯାଇଛି। ସେହିପରି ୫୦ ଲକ୍ଷ ଟଙ୍କା ତଳକୁ ଟିକସ ଥିବା ମାମଲାର ବିଚାର କରିବାକୁ ଆଡିସିନାଲ୍ କମିସନରଙ୍କ ନେତୃତ୍ୱରେ ଚାରି ଜଣିଆ କମିଟି ଗଠନ କରାଯାଇଛି। ‘ସବ୍‌କା ବିଶ୍ୱାସ’ ଯୋଜନାରୁ ସୁଯୋଗ ନେବାକୁ ଓଡ଼ିଶାରୁ ଏପର୍ଯ୍ୟନ୍ତ  ୧୯୯ ଜଣ ଆବେଦନ କରିଛନ୍ତି। ସେମାନଙ୍କ ବିବାଦୀୟ କରର ପରିମାଣ ପ୍ରାୟ ୪୮ କୋଟି ଟଙ୍କା। ତେଣୁ ଏହି ଯୋଜନାରେ ଅଧିକାରୁ ଅଧିକ ବ୍ୟବସାୟୀ ସୁଯୋଗ ନେବା ପାଇଁ କଷ୍ଟମସ୍, ଜିଏସ୍‌ଟି ଓ ଏକ୍ସାଇଜ ଚିଫ୍ କମିସନର ନରେଶ ପେନୁମକା ଆହ୍ୱାନ ଦେଇଛନ୍ତି।

ସାରା ଦେଶରେ ଏବେ ୩ ଲକ୍ଷ ୮୪ ହଜାର କୋଟି ଟଙ୍କାର ସେଣ୍ଟ୍ରାଲ ଏକ୍ସସାଇଜ ଓ ସର୍ଭିସ୍‌ ଟ୍ୟାକ୍ସ ଆଦାୟ ନହୋଇ ବାକି ପଡ଼ିଛି। ଏହି ମୋଟା ଅଙ୍କର ଟିକସ ଆଦାୟକୁ ସରଳ କରିବା ସହ କରଦାତାଙ୍କୁ ପ୍ରଚଳିତ ଜିଏସ୍‌ଟି ଧାରା ସହିତ ଯୋଡ଼ିବା ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି କର୍ମଶାଳାରେ ବରିଷ୍ଠ ଅଧିକାରୀ କହିଛନ୍ତି।