କ’ଣ ଆପଣଙ୍କର ଟିଡିଏସ୍ କଟୁଛି କି, ତେବେ ଜାଣନ୍ତୁ କିଛି ତଥ୍ୟ

Tax Deduction at Source

ଟିଡିଏସ୍ ହେଉଛି ଟ୍ୟାକ୍ସ ଡିଡକ୍ଟେଡ୍ ଆଟ ସୋର୍ସ ବା ଉତ୍ସରୁ ଟିକସ କାଟ। ଅର୍ଥାତ ଆପଣଙ୍କ ଆୟର ଉତ୍ସଠାରେ ଟିକସ କଟାଯିବା। ସରଳ ଭାବେ କହିବାକୁ ଗଲେ ଆପଣ ଯେଉଁ ସଂସ୍ଥା ବା କମ୍ପାନିରୁ କିଛି ଅର୍ଥ ପାଉଛନ୍ତି, ସେହି କମ୍ପାନୀ ଆପଣଙ୍କ ଦରମାରୁ କିଛି ଟିକସ କାଟି ସରକାରଙ୍କୁ ଦିଏ ଓ ଅବଶିଷ୍ଟ ଟଙ୍କା ଆପଣଙ୍କୁ ଦେଇଥାଏ। ଏହା ଏକ ପ୍ରକାର ଇନକମ୍ ଟ୍ୟାକ୍ସ ବା ଆୟକର। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ ଟିଡିଏସ୍ କଟାଯାଇଥାଏ। ଏହି ଟିଡିଏସ୍ ସମସ୍ତଙ୍କର କଟିଥାଏ, ମାତ୍ର ସମସ୍ତେ ଏ ସମ୍ପର୍କରେ ବିଶେଷ ଅବଗତ ନୁହନ୍ତି।

କାହିଁକି କଟେ ଟିଡିଏସ୍ : ଯଦି ଆମେ ଆୟକର ଦେଉଛନ୍ତି ତେବେ ଟିଡିଏସ୍ କାଟିବାର ଆବଶ୍ୟକତା କ’ଣ। ଏଭଳି ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ୱଭାବିକ। ଆୟକର ଦାଖଲ ବ୍ୟବସ୍ଥା ଅନୁଯାୟୀ ଯାହା ଆମେ ଗୋଟିଏ ବର୍ଷ ଆୟକରିବା, ତା’ର ଟିକସ ପରବର୍ତ୍ତୀ ବର୍ଷ ଦେଇଥାଉ। ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷରେ ଆମେ ଯାହା ଆୟ କରିବା ତାର ଟିକସ ପରବର୍ତ୍ତୀ ବର୍ଷ ୨୦୧୯-୨୦ରେ ଦାଖଲ କରୁ। ଯାହାକୁ ‘ଆସେସମେଣ୍ଟ ୟର’ କୁହାଯାଏ ଓ ଏଭଳି ଟିକସ ଦାଖଲକୁ ‘ସେଲ୍ଫ ଆସେସମେଣ୍ଟ ଟ୍ୟାକ୍ସ’ କୁହାଯାଏ। ତେବେ ଏଥିରେ କେତେକ ଅସୁବିଧା ପରିଲକ୍ଷିତ ହେବାରୁ ସରକାର ଟିଡିଏସ୍ ବ୍ୟବସ୍ଥା କରିଛନ୍ତି। ସେଗୁଡିକ ହେଲା-

ପ୍ରଥମ କଥା ହେଲା ସବୁ ଲୋକ ଆୟକର ଦିଅନ୍ତି ନାହିଁ। ଅନେକ ଲୋକ ଟିକସ ଲାଗୁହେବାର ଧାର୍ଯ୍ୟ ପରିମାଣଠାରୁ ବାର୍ଷିକ ଅଧିକ ରୋଜଗାର କରୁଥିଲେ ମଧ୍ୟ ଟିକସ ଦିଅନ୍ତି ନାହିଁ।

କେତେକ ଲୋକ ଟିକସ ଦେଉଥିଲେ ମଧ୍ୟ ନିଜର ସମ୍ପୂର୍ଣ୍ଣ ଆୟ ଦେଖାଉ ନ ଥିଲେ। ଫଳରେ ସେମାନେ ସହଜରେ ଟିକସ ବଞ୍ଚାଇ ଦେଉଥିଲେ ବା ଲୁଚାଇ ପାରୁଥିଲେ।

TAX

  ଆୟକର ବିଭାଗ ମଧ୍ୟ ସମସ୍ତଙ୍କ ଆୟ ଯାଞ୍ଚ କରିବା ସମ୍ଭବ ହେଉ ନ ଥିଲା। କାରଣ ଅନେକ ଲୋକ ଆଇଟିଆର ଦାଖଲ କରୁ ନ ଥିଲେ।

ସେହିପରି ଆୟକର ବିଭାଗରେ ଏତେ ଫାଇଲ ହୋଇଥାଏ ଯେ, ସବୁ ଫାଇଲ ଯାଞ୍ଚ କରିବା ମଧ୍ୟ ସମ୍ଭବ ନୁହେଁ। ତେଣୁ ବିଭାଗ ପକ୍ଷରୁ ଟିଡିଏସ୍ ମାଧ୍ୟମରେ ଟିକସ ଆଦାୟ କରିବାକୁ ବ୍ୟବସ୍ଥା ହୋଇଛି।

ଆୟକର ବିଭାଗ ନିମ୍ନଲିଖିତ ପ୍ରକାରେ ଟିକସ ଆଦାୟ କରିଥାଏ

ଟିଡିଏସ୍ (ଟ୍ୟାକ୍ସ ଡିଡକ୍ଟେଡ୍ ଆଟ ସୋର୍ସ) ବା ଉତ୍ସରୁ ଟିକସ କାଟ

ଟିସିଏସ (ଟ୍ୟାକ୍ସ କଲେକ୍ଟେଡ୍ ଆଟ୍ ସୋର୍ସ) ବା ଉତ୍ସରୁ ଟିକସ ସଂଗ୍ରହ

ଆଡଭାନ୍ସ ଟ୍ୟାକ୍ସ ବା ଅଗ୍ରୀମ ଟିକସ

ସେଲ୍ଫ ଆସେସମେଣ୍ଟ ଟ୍ୟାକ୍ସ ବା ସ୍ୱତଃ ଟିକସ ପ୍ରଦାନ

money

ଟିଡିଏସ୍ କଟିବା ବାଧ୍ୟତାମୂଳକ କି

ଆପଣଙ୍କୁ ଦରମା ବା ଦେୟ ଦେଉଥିବା ସଂସ୍ଥା ବା କମ୍ପାନି ଟିଡିଏସ୍ କାଟିବାକୁ ଉତ୍ତରଦାୟୀ। କାରଣ ସରକାର ସମ୍ପୃକ୍ତ କମ୍ପାନିକୁ ଏହି ଦାୟିତ୍ୱ ଦେଇଥାନ୍ତି ଓ କମ୍ପାନି ସରକାରଙ୍କୁ ହିଁ ଏହି ଟିକସ ଦେଇଥାଏ। ଏହାର ପରିମାଣ ଭିନ୍ନ ଭିନ୍ନ ରହିଥାଏ। ମୁଖ୍ୟତଃ ଦରମାରୁ ୧୦ ପ୍ରତିଶତ ଅର୍ଥ ଟିଡିଏସ ଆକାରରେ କଟିଥାଏ। ଟିଡିଏସ୍ କାଟିବା ପରେ କମ୍ପାନି ଆୟକର ବିଭାଗର ଟ୍ରାସେସ (TRACES) ୱେବସାଇଟରେ ଏକ ଫର୍ମ ଦାଖଲ କରିଥାଏ। ଏଥିରେ ଆପଣଙ୍କ ପାନ୍ ନମ୍ବର, ଟାନ୍ ନମ୍ବର, ଟିଡିଏସ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ଥାଏ। ଏହି ଫର୍ମ ଦାଖଲ କରାଯିବା ପରେ ତାହା ବିଭାଗୀୟ ୱେବସାଇଟର ଫର୍ମ ୧୬, ଫର୍ମ ୧୬ (ଏ) ଏବଂ ଫର୍ମ ୨୬ (ଏସ୍) ରେ ପ୍ରଦର୍ଶିତ ହୋଇଥାଏ।

ଟିଡିଏସ୍ ସାର୍ଟିଫିକେଟ : ଆପଣଙ୍କ ଦରମା ବା ପାଇବାକୁ ଥିବା ଅର୍ଥରୁ ଯେତେବେଳେ କମ୍ ଅର୍ଥ ପାଇଥାନ୍ତି, ସେତେବେଳେ ଆପଣ କମ୍ପାନିକୁ ଏହାର କାରଣ ପଚାରିଥାନ୍ତି ବା ଏ ସମ୍ପର୍କିତ ତଥ୍ୟ ମାଗିଥାନ୍ତି। ସେତେବେଳେ କମ୍ପାନି ଆପଣଙ୍କୁ ଏକ ପ୍ରମାଣପତ୍ର ଦେଇଥାଏ ଯାହାକୁ ଟିଡିଏସ୍ ସାର୍ଟିଫିକେଟ କୁହାଯାଏ। ଏହା ୨ ପ୍ରକାର ହୋଇଥାଏ। ଗୋଟିଏ ହେଲା ଫର୍ମ ୧୬ ଏବଂ ଅନ୍ୟଟି ହେଲା ଫର୍ମ ୧୬(ଏ)।

form 16

ଫର୍ମ ୧୬ ଆପଣଙ୍କ ଦରମାରୁ ଟିଡିଏସ୍ କଟିଲେ ଫର୍ମ ୧୬ ଦିଆଯାଇଥାଏ। ଅର୍ଥାତ କେବଳ ଦରମା ସମ୍ପର୍କିତ ଟିଡିଏସ୍ ପାଇଁ କମ୍ପାନି ଆପଣଙ୍କୁ ଫର୍ମ ୧୬ ସାର୍ଟିଫିକେଟ ଦେଇଥାଏ। ଏହାର ଦୁଇଟି ପାର୍ଟ ବା ବିଭାଗ ରହିଛି। ତାହା ହେଲା ପାର୍ଟ-ଏ ଓ ପାର୍ଟ-ବି। ପାର୍ଟ-ଏ ରେ ଆପଣଙ୍କ ଟିଡିଏସ୍ ଓ ଦରମା ସମ୍ପର୍କରେ ତଥ୍ୟ ରହିଥାଏ। ସେହିପରି ପାର୍ଟ-ବି ରେ ଦରମା ପରିମାଣ, ବୋନସ, ଟ୍ୟାକ୍ସ ଆଦି ସମ୍ପର୍କରେ ବିସ୍ତୃତ ସୂଚନା ଥାଏ। ଏହି ସାର୍ଟିଫିକେଟ ସମ୍ପୃକ୍ତ କମ୍ପାନୀ ବର୍ଷକୁ ଥରେ ଦାଖଲ କରିଥାଏ।

Form-16-A

 

ଫର୍ମ ୧୬ ଦରମା ବ୍ୟତିତ ଅନ୍ୟ ସମସ୍ତ ପ୍ରକାର ଆୟରେ ଯେଉଁ ଟିଡିଏସ୍ କଟିଥାଏ ସେଥିପାଇଁ ଫର୍ମ ୧୬ ଏ ଦିଆଯାଇଥାଏ।  ଉଦାହରଣ ବ୍ୟାଙ୍କ ସୁଧ, ଭଡ଼ା ବାବଦ ଆୟ, ପରାମର୍ଶ ଓ ପେଶାଗତ ଆୟ ବାବଦରେ ମଧ୍ୟ ଟିଡିଏସ୍ କଟିଥାଏ। ବ୍ୟାଙ୍କରୁ ମିଳୁଥିବା ସୁଧ ବା ଫିକ୍ସ ଡିପୋଜିଟ୍ ବାବଦ ସୁଧରୁ ବ୍ୟାଙ୍କ କିଛି ଅର୍ଥ ଟିଡିଏସ ଆକାରରେ କାଟିଥାଏ। ଏହାର ପରିମାଣ ଭିନ୍ନ ଭିନ୍ନ ରହିଛି। ଏହି ଫର୍ମକୁ ବ୍ୟାଙ୍କ ୩ ମାସରେ ଥରେ ଦାଖଲ କରିଥାଏ।

ଟିଡିଏସ ସାର୍ଟିଫିକେଟକୁ ଆପଣଙ୍କୁ ବର୍ଷ ଶେଷରେ ଆଇଟିଆର ଦାଖଲ ବେଳେ ଟିଡିଏସ୍ କ୍ଲେମ ବେଳେ ପ୍ରଦର୍ଶିତ କରିବାକୁ ହୋଇଥାଏ। ଏହା ଫଳରେ ଆପଣଙ୍କର ଯେତିକି ପରିମାଣର ଅର୍ଥ ଟିଡିଏସ୍ ଆକାରରେ କଟିଥାଏ, ସେଥିରୁ ଆୟକର ବାବଦରେ କିଛି ଅର୍ଥ କଟିବା ପରେ ଅବଶିଷ୍ଟ ଅର୍ଥ ଆପଣ ଫେରିପାଇଥାନ୍ତି।

ଫର୍ମ ୨୬ ଏଏସ୍ : ଆପଣଙ୍କ ଦରମାରୁ ଟିଡିଏସ୍ କଟିଥିଲେ ସମ୍ପୃକ୍ତ କମ୍ପାନି ଆପଣଙ୍କୁ ଫର୍ମ ୧୬ ଦେଇଥାଏ। ସେହିପରି ଦରମା ବ୍ୟତିତ ଅନ୍ୟ ଉତ୍ସରୁ ଟିଡିଏସ୍ କଟିଥିଲେ ଆପଣଙ୍କୁ ସମ୍ପୃକ୍ତ ସଂସ୍ଥା ବା ବ୍ୟାଙ୍କ ଫର୍ମ ୧୬ଏ ଦେଇଥାଏ। ଏହି ଦୁଇ ଫର୍ମ ଆୟକର ବିଭାଗର ୱେବସାଇଟରେ ଉପଲବ୍ଧ ଫର୍ମ ୨୬ ଏଏସ ରେ ଅପଡେଟ୍ ହୋଇଥାଏ। ତେଣୁ ଆପଣ ଫର୍ମ ୧୬  ଅବା ଫର୍ମ ୧୬ଏ ଯାହାବି ପାଇଥାନ୍ତୁ, ତାହା ଯଦି ଫର୍ମ ୨୬ ଏଏସରେ ଅପଡେଟ୍ ହୋଇନାହିଁ, ତେବେ ଆପଣ ଟିଡିଏସ୍ କ୍ଲେମ କରିପାରିବେ ନାହିଁ। ଏହି ଫର୍ମ ଆପଣ ବିଭାଗୀୟ ୱେବସାଇଟ ତଥା ଇନକମ ଟ୍ୟାକ୍ସ ଇ-ଫାଇଲିଂକୁ ଯାଇ ଯାଞ୍ଚ କରିପାରିବେ। କିନ୍ତୁ ଫର୍ମ ୧୬ ଏବଂ ଫର୍ମ ୧୬ଏ ଆପଣ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ନାହିଁ, ଏହା କେବଳ ସମ୍ପୃକ୍ତ କମ୍ପାନି ବା ବ୍ୟାଙ୍କ ଆପଣଙ୍କୁ ଦେଇଥାନ୍ତି।

ଟିଡିଏସ୍ କାଟିବାକୁ ଚାହୁଁ ଥିଲେ

ଯଦି ଆପଣ ଟିଡିଏସ୍ କାଟିବାକୁ ଚାହୁଁ ନାହାନ୍ତି ବା ଆପଣଙ୍କ ବାର୍ଷିକ ଆୟ ଟିକସ ଦେବା ଯୋଗ୍ୟ ନୁହେଁ ବୋଲି ଭାବୁଛନ୍ତି, ତେବେ ଆପଣ ନିଜ କମ୍ପାନିକୁ ଟିଡିଏସ୍ ନ କାଟିବା ପାଇଁ କହିପାରିବେ। ଏଥିପାଇଁ ଆପଣ ଟିଡିଏସର ଫର୍ମ ୧୫ ଜି ଏବଂ ୧୫ ଏଚ୍ ପୂରଣ କରିପାରିବେ।