ଏସ୍‌ଆଇପିରେ ସ୍ୱଳ୍ପ ନିବେଶ ମାଧ୍ୟମରେ ବଡ଼ ସ୍ୱପ୍ନକୁ କରନ୍ତୁ ସାକାର

SIP

ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ବା ସୁବ୍ୟବସ୍ଥିତ ନିବେଶ ଯୋଜନା ହେଉଛି ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବାର ଏକ ପଦ୍ଧତି। ଏହା କମ୍ ରିସ୍କ ବା ଅପେକ୍ଷାକୃତ ନିରାପଦ ଏବଂ ଏହା ନିବେଶକଙ୍କୁ ଅଳ୍ପ ପରିମାଣର ପୁଞ୍ଜି ନିବେଶ କରି ଭଲ ଲାଭାଂଶ ପାଇବାର ସୁଯୋଗ ଦେଇଥାଏ। ବିଶେଷକରି ନୂତନ ନିବେଶକ ବା ପ୍ରଥମକରି ଯେଉଁମାନେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରୁଛନ୍ତି ସେମାନଙ୍କ ପାଇଁ ଏସଆଇପି ବେଶ୍ ଉପଯୋଗୀ ହୋଇଥାଏ। ଏସ୍ଆଇପିରେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଏକ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଆପଣଙ୍କ ପସନ୍ଦର ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ପଡ଼ିଥାଏ। ବିଶେଷକରି ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ସୁବିଧାଜନକ ହୋଇଥାଏ। କାରଣ ସେମାନଙ୍କ ଦରମାରୁ ନିର୍ଦ୍ଧାରିତ ସମୟରେ ନିୟମିତ ବ୍ୟବଧାନରେ ଏହି ଟଙ୍କା ନିବେଶ କରିବା ସହଜ ହୋଇଥାଏ। ସେହିପରି ଏସ୍ଆଇପିରେ ଆପଣ ମାତ୍ର ୫୦୦ ଟଙ୍କାରୁ ନିବେଶ ଆରମ୍ଭ କରିପାରିବେ।

SIP

ଏସଆଇପି ବା ସୁବ୍ୟବସ୍ଥିତ ନିବେଶ ଯୋଜନାରେ କ’ଣ ରହିଛି ଫାଇଦା?

୧- ସ୍ୱଳ୍ପ ନିବେଶ: ଏସଆଇପି ନିବେଶକମାନଙ୍କୁ ସ୍ୱଳ୍ପ ଅର୍ଥ ନିବେଶ କରିବାର ସୁଯୋଗ ଦେଇଥାଏ। ଏପରିକି ଆପଣ ମାତ୍ର ୫୦୦ ଟଙ୍କା ନିବେଶ କରି ଏଥିରୁ ଲାଭବାନ ହୋଇପାରିବେ। ଏହି ଅର୍ଥ ଆପଣ ପ୍ରତି ସପ୍ତାହ, ପ୍ରତିମାସ କିମ୍ବା ପ୍ରତି ୩ ମାସର ନିର୍ଦ୍ଧାରିତ ସମୟରେ ନିୟମିତ ବ୍ୟବଧାନରେ ଦେଇପାରିବେ। ତେଣୁ ଅଳ୍ପ ରୋଜଗାର କରୁଥିବା ଲୋକମାନେ ମଧ୍ୟ ଏସଆଇପି ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବାର ସୁଯୋଗ ପାଇପାରିବେ। କେତେକ ମ୍ୟୁଚୁଆଲ ଫଣ୍ଡରେ ଦୈନିକ ଏସଆଇପି ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

SIP

୨-ଅପେକ୍ଷାକୃତ କମ୍ ରିସ୍କ: ଏସଆଇପି ଜରିଆରେ ପୁଞ୍ଜି ନିବେଶ ଅପେକ୍ଷାକୃତ କମ୍ ରିସ୍କ ବା ନିରାପଦ ହୋଇଥାଏ। କାରଣ ଏଥିରେ ଆପଣଙ୍କର ବଡ଼ଧରଣର କ୍ଷତି ହେବାର ଆଶଙ୍କା ନ ଥାଏ। ସାଧାରଣତଃ ସେୟାର ବଜାରରେ ପୁଞ୍ଜିନିବେଶ ବିପଦପୂର୍ଣ୍ଣ ହୋଇଥାଏ। କାରଣ ବିଭିନ୍ନ ସମୟରେ ବଜାର ଊର୍ଦ୍ଧ୍ୱ କିମ୍ବା ନିମ୍ନମୁଖୀ ହୋଇଥାଏ। ସେହି ହିସାବରେ ଆପଣଙ୍କ ଟଙ୍କା ବୁଡ଼ିଯିବାର ସମ୍ଭାବନା ଥାଏ। ମାତ୍ର ଏସଆଇପିରେ ପ୍ରାୟତଃ ସେଭଳି ସମସ୍ୟା ନ ଥାଏ।

୩-ଶୃଙ୍ଖଳିତ ପୁଞ୍ଜି ପରିଚାଳନା: ଏସଆଇପି ମାଧ୍ୟମରେ ଆପଣଙ୍କ ପୁଞ୍ଜି ପରିଚାଳନା ଏକ ପ୍ରକାର ଶୃଙ୍ଖଳିତ ହୋଇଥାଏ। ମନେକରନ୍ତୁ ଆପଣଙ୍କ ମାସିକ ରୋଜଗାର ୧୦,୦୦୦ ଟଙ୍କା। ସେଥିରୁ ଆପଣଙ୍କ ପାରିବାରିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୬୦୦୦ ଟଙ୍କା ଯାଉଛି ଓ ଅବଶିଷ୍ଟ ୪୦୦୦ ଟଙ୍କା ସଞ୍ଚୟ ରହୁଛି। ଏ କ୍ଷେତ୍ରରେ ଆପଣ ପ୍ରଥମେ ଖର୍ଚ୍ଚ ପାଇଁ ଟଙ୍କା ରଖି ପରେ ସଞ୍ଚୟ କରୁଛନ୍ତି। ତେଣୁ ଆପଣଙ୍କ ଖର୍ଚ୍ଚ ପରିମାଣ ମଧ୍ୟ ବଢିଯାଇପାରେ। ଏକ୍ଷେତ୍ରରେ ଆପଣ ପ୍ରାରମ୍ଭରେ ଏସଆଇପି ଜରିଆରେ ମାତ୍ର ୪୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ନିବେଶ କରିପାରନ୍ତି। ଏଥିରେ ଯଦି ଆପଣଙ୍କର ଲାଭ ହେଉଛି ବୋଲି ଅନୁଭବ କରନ୍ତି, ତେବେ ପରବର୍ତ୍ତୀ ସମୟରେ ଧିରେ ଧିରେ ଆପଣ ଏହି ନିବେଶ ପରିମାଣ ବଢାଇପାରିବେ। ଫଳରେ ଆପଣ ପ୍ରଥମେ ନିବେଶ ପାଇଁ ଟଙ୍କା ଦେଇ ଧିରେ ଧିରେ ଖର୍ଚ୍ଚ ପରିମାଣକୁ କମାଇପାରିବେ। ଯାହା ଫଳରେ ଆପଣଙ୍କ ପୁଞ୍ଜି ଏକ ପ୍ରକାର ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ।

Stock-Market-Training

୪- ସ୍ୱତଃପ୍ରବୃତ୍ତ ସମୟ: ସାଧାରଣତଃ ସେୟାର ବଜାରରେ ପୁଞ୍ଜି ନିବେଶ କଲେ ଆପଣଙ୍କୁ ସେୟାର କିଣିବା ବା ବିକିବା ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡିଥାଏ। ତେଣୁ ସେୟାର ବଜାର ସମ୍ପର୍କରେ ଆପଣଙ୍କର ଜ୍ଞାନ ରହିବା ଆବଶ୍ୟକ। କିନ୍ତୁ ଏସଆଇପିରେ ସ୍ୱତଃ ନିର୍ଦ୍ଧାରିତ ସମୟରେ ଆପଣଙ୍କ ପୁଞ୍ଜି ନିବେଶ ହୋଇଥାଏ। ଏ କ୍ଷେତ୍ରରେ ସେୟାର ବଜାର ସମ୍ପର୍କରେ ଆପଣଙ୍କର ଧାରଣା ନ ଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ।

୫-ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ: ଏସଆଇପି ମାଧ୍ୟମରେ ଆପଣ ଆପଣଙ୍କର ଦୀର୍ଘକାଳୀନ କୌଣସି ବଡ଼ ଲକ୍ଷ୍ୟ ପୂରଣ କରିବା ଅତି ସହଜ ହୋଇଥାଏ। ଯେପରି କି ପିଲାଙ୍କ ପାଠପଢା, ଝିଅ ବିବାହ, ଅବସର ପରେ ଏକ ଆରାମଦାୟକ ଜୀବନ ଅତିବାହିତ କରିବା ଇତ୍ୟାଦି। ଯଦି ଆପଣ ପ୍ରତି ମାସରେ ସ୍ୱଳ୍ପ ପରିମାଣର ଅର୍ଥ ଏସ୍ଆଇପିରେ ନିବେଶ କରୁଛନ୍ତି, ତେବେ ଏକ ଲଙ୍ଗ ଟର୍ମ ନିବେଶରେ ଆପଣ ବଡ଼ ଫାଇଦା ପାଇପାରିବେ ଓ ନିଜ ଲକ୍ଷ୍ୟ ପୂରଣ କରିପାରିବେ।