ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏସବୁ ସାବଧାନତା ଅବଲମ୍ବନ ଜରୁରୀ

ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି ଏଭଳି ବି ଲୋକ ଅଛନ୍ତି, ଯେଉଁମାନେ ନିଜ ଅର୍ଥ କିପରି ନିବେଶ କରି ଲାଭବାନ ହେବେ ତାହା ଜାଣନ୍ତି ନାହିଁ। ସେମାନଙ୍କ ପାଇଁ  ମ୍ୟୁଚୁଆଲ ଫଣ୍ଡ ଏକ ଭଲ ପନ୍ଥା। ଯଦିଓ ଏଥିରେ କିଛିଟା ଛୋଟମୋଟ ରିସ୍କ ଅଛି, ତେବେ ଏଥିରେ ଭିନ୍ନ ଭିନ୍ନ ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ଜରିଆରେ ପୁଞ୍ଜି ନିବେଶ କରି ଆପଣ ଲାଭବାନ ହୋଇପାରିବେ।

mutualfund

ମ୍ୟୁଚୁଆଲ ଫଣ୍ଡ ବା ମିଳିତ ପାଣ୍ଠି

ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ଅଜ୍ଞ ବା ଆଗରୁ କୌଣସି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିନାହାନ୍ତି, ତେବେ ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ଜାଣିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ସେୟାର ବଜାର ସମ୍ପର୍କରେ କିଛିଟା ଧାରଣା ରଖିବାକୁ ହେବ। କାରଣ ମ୍ୟୁଚୁଆଲ ଫଣ୍ଡ ଅର୍ଥ ସେୟାର ବଜାରରେ ନିବେଶ ହୋଇଥାଏ, ଯାହାକି ଜଣେ ଦକ୍ଷ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଜରିଆରେ ପରିଚାଳତି ହୁଏ। ଏବେ ଆସନ୍ତୁ ଜାଣିବା ମ୍ୟୁଚୁଆଲ ଫଣ୍ଡ କ’ଣ। ମ୍ୟୁଚୁଆଲ ଫଣ୍ଡ ହେଉଛି ଏକ ମିଳିତ ପାଣ୍ଠି, ଅର୍ଥାତ ଏଥିରେ କେତେଜଣ ଲୋକ ନିଜର କିଛି କିଛି ଅର୍ଥ ଏକତ୍ରିତ କରି ଏକ ପାଣ୍ଠି ବା ଫଣ୍ଡ ହାଉସକୁ ପ୍ରଦାନ କରିଥାନ୍ତି। ଏହି ଫଣ୍ଡ ହାଉସ ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ଅର୍ଥ ନିବେଶ କରିଥାଏ। ଏଥିପାଇଁ ଜଣେ ଦକ୍ଷ ଓ ଯୋଗ୍ୟ ଫଣ୍ଡ ମ୍ୟାନେଜର ନିଯୁକ୍ତ ହୋଇଥାନ୍ତି। ସମ୍ପୃକ୍ତ ଫଣ୍ଡ୍ ମ୍ୟାନେଜର ଏହି ଅର୍ଥ କିପରି କେଉଁ କ୍ଷେତ୍ରରେ ଓ କେତେ ପରିମାଣର ନିବେଶ କଲେ କ୍ଷତି ହେବ ନାହିଁ ବା ଅଧିକ ଲାଭ ମିଳିପାରିବ ତାହା ସ୍ଥିର କରନ୍ତି। ପରେ ଯେଉଁ ପରିମାଣର ଅର୍ଥ ଲାଭ ହୋଇଥାଏ, ସେଥିରୁ ସେ ନିଜର ଭାଗ କିଛି ପ୍ରତିଶତ ରଖି ବଳକା ଅର୍ଥ ଆପଣମାନଙ୍କ ମଧ୍ୟରେ ଆପଣ ଦେଇଥିବା ଅର୍ଥ ପରିମାଣ ଅନୁଯାୟୀ ବାଣ୍ଟି ଦେଇଥାନ୍ତି।

mutual-funds

ମ୍ୟୁଚୁଆଲ ଫଣ୍ଡ କେତେ ପ୍ରକାର

ମ୍ୟୁଚୁଆଲ ଫଣ୍ଡ ଅନେକ ପ୍ରକାର ହୋଇଥାଏ। ତେବେ ଏହାକୁ ମୋଟାମୋଟି ଭାବେ ୩ରୁ ୪ ପ୍ରକାରରେ ବିଭକ୍ତ କରାଯାଇପାରେ।

ଇକୁଇଟି ଫଣ୍ଡ ଇକୁଇଟି ଫଣ୍ଡରେ ଆପଣଙ୍କ ଅର୍ଥ ଇକୁଇଟି ସେୟାରରେ ନିବେଶ ହୋଇଥାଏ। ଯାହାକି ଅଧିକ ବିପଦ ପୂର୍ଣ୍ଣ ଓ ଅଧିକ ଲାଭଦାୟକ। ଅର୍ଥାତ୍ ଯଦିଓ ଏଥିରେ ଅଧିକ କ୍ଷତି ହେବାର ଆଶଙ୍କା ଥାଏ, ତେବେ ଆପଣ ଇକୁଇଟି ଫଣ୍ଡରୁ ହିଁ ଅଧିକ ପରିମାଣରେ ଲାଭ ଉଠାଇ ପାରିବେ।

ଡେବ୍ଟ ଫଣ୍ଡ ଡେବ୍ଟ ଫଣ୍ଡ ହେଉଛି ଇକୁଇଟି ଫଣ୍ଡର ସମ୍ପୂର୍ଣ୍ଣ ଓଲଟା। ଅର୍ଥାତ ଏଥିରେ ବିପଦ ବା କ୍ଷତି କମ୍ ଏବଂ ଲାଭ ମଧ୍ୟ କମ୍ ପରିମାଣରେ ମିଳିଥାଏ।

ବାଲାନ୍ସଡ ଫଣ୍ଡ ବାଲାନ୍ସଡ ଫଣ୍ଡ ହେଉଛି ଏକ ପ୍ରକାର ମଧ୍ୟମ ଧରଣର ନିବେଶ। ଏଥିରେ ଆପଣଙ୍କ ଅର୍ଥର କିଛି ପରିମାଣ ଇକୁଇଟି ଫଣ୍ଡ ଓ କିଛି ପରିମାଣ ଡେବ୍ଟ ଫଣ୍ଡରେ ନିବେଶ ହୋଇଥାଏ। ଏଥିରେ କ୍ଷତି ଓ ଲାଭ ମଧ୍ୟରେ ଏକ ପ୍ରକାର ଭାରସାମ୍ୟ ରଖାଯାଇଥାଏ। ଅର୍ଥାତ ଆପଣଙ୍କର କ୍ଷତି କମ୍ ହୋଇଥାଏ ଏବଂ ଲାଭ ମଧ୍ୟ ଠିକ୍ ଭାବେ ମିଳିପାରିଥାଏ।

open-ended-vs-close-ended-mutual-funds

ଓପନ୍ ଏଣ୍ଡ ଫଣ୍ଡ ଏବଂ କ୍ଲୋଜ୍ ଏଣ୍ଡ ଫଣ୍ଡ

ଯଦି ଆପଣ ଇକୁଇଟି ଫଣ୍ଡ କିମ୍ବା ଡେବ୍ଟ ଫଣ୍ଡରେ ନିବେଶ କରିବାକୁ ଚାହୁଁନାହାନ୍ତି, ତେବେ ଆପଣ ବାଲାନ୍ସଡ ଫଣ୍ଡରେ ନିବେଶ କରିପାରିବେ। ଏହା ଦୁଇ ପ୍ରକାର ହୋଇଥାଏ। ଗୋଟିଏ ହେଲା ଓପନ୍ ଏଣ୍ଡ୍ ଫଣ୍ଡ ଓ ଅନ୍ୟଟି କ୍ଲୋଜ୍ ଏଣ୍ଡ ଫଣ୍ଡ।

ଓପନ ଏଣ୍ଡ ଫଣ୍ଡ ଓପନ୍ ଏଣ୍ଡ ଫଣ୍ଡରେ ଆପଣ ଯେକୌଣସି ସମୟରେ ନିଜର ଫଣ୍ଡ ବିକି ପାରନ୍ତି ବା ଛାଡ଼ି ପାରନ୍ତି। ଯଦି ଆପଣ ଭାବୁଛନ୍ତି ଯେ, ଆପଣଙ୍କର ଉପଯୁକ୍ତ ଲାଭ ହେଉନାହିଁ, ତେବେ ଆପଣ ଅର୍ଥ ଫେରାଇ ନେଇପାରିବେ ବା ଓହରିଯାଇ ପାରିବେ। ଏଥିରେ ଆପଣଙ୍କୁ ମ୍ୟାଚ୍ୟୁରିଟି ପିରିୟଡ୍ ବା ପୂର୍ଣ୍ଣ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନାହିଁ। ତେବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯଦି ଆପଣଙ୍କ ପାଖରେ ୨ରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଅଛି, ତେବେ ଆପଣ ୫ ବର୍ଷ, ୧୦ ବର୍ଷ କିମ୍ବା ୨୦ ବର୍ଷର ଲଙ୍ଗ ଟର୍ମରେ ନିବେଶ କରି ଲାଭବାନ ହୋଇପାରିବେ। ଏହାବାଦ୍ ଆପଣ ଭିନ୍ନ ଭିନ୍ନ ଏସ୍ଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ୍)ରେ ମାସିକ ୧ ହଜାର ଟଙ୍କା ନିବେଶ କରି ଫାଇଦା ନେଇପାରିବେ।

କ୍ଲୋଜ ଏଣ୍ଡ ଫଣ୍ଡ କ୍ଲୋଜ ଏଣ୍ଡ ଫଣ୍ଡରେ ଆପଣଙ୍କୁ ମ୍ୟାଚ୍ୟୁରିଟି ପିରିୟଡ ବା ପୂର୍ଣ୍ଣ ସମୟ ପର୍ଯ୍ୟନ୍ତ ଟଙ୍କା ରଖିବାକୁ ପଡିଥାଏ। ଏଥିରେ ମଝିରେ ଆପଣ ଫଣ୍ଡ ବିକି ପାରିବେ ନାହିଁ କି ଛାଡ଼ିପାରିବେ ନାହିଁ।

କିପରି ସାବଧାନତା ଅବଲମ୍ବନ କରିବେ

ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ପୂର୍ବରୁ କେବେ ନିବେଶ କରି ନାହାନ୍ତି ବା ପ୍ରଥମ କରି ନିବେଶ କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡିବ।

ଆପଣ ନିବେଶ କରିବାକୁ ଯାଉଥିବା କମ୍ପାନିର ପ୍ରସ୍ପେକ୍ଟସ (ବିବରଣ ପତ୍ର)କୁ ଠିକ୍ ଭାବେ ପଢନ୍ତୁ। କୌଣସି କ୍ଷେତ୍ରରେ ସନ୍ଦେହ ରହିଲେ ସମ୍ପୃକ୍ତ କମ୍ପାନୀର ଏଜେଣ୍ଟଙ୍କଠାରୁ ଭଲ ଭାବେ ବୁଝିନିଅନ୍ତୁ।

ଯେଉଁ ଫଣ୍ଡରେ ଆପଣ ନିବେଶ କରିବାକୁ ଯାଉଛନ୍ତି ତା’ର ଲକ୍ଷ୍ୟ ବା ଉଦ୍ଦେଶ୍ୟ ସମ୍ପର୍କରେ କମ୍ପାନିଠାରୁ ବୁଝନ୍ତୁ। ଆପଣଙ୍କ ପାଇଁ ଲଙ୍ଗ୍ ଟର୍ମ ଭଲ ହେବ ନା ଶର୍ଟ ଟର୍ମ ଭଲ ହେବ ତାହା ସ୍ଥିର କରନ୍ତୁ।

ଆପଣ ନିବେଶ କରୁଥିବା ଫଣ୍ଡରେ କେତେ ବିପଦ ବା କ୍ଷତି ଆଶଙ୍କା ରହିଛି, ତାହା ଭଲ ଭାବେ ବୁଝନ୍ତୁ।

କୌଣସି ଫଣ୍ଡରେ ନିବେଶ କରିବା ପୂର୍ବରୁ ତା’ର ଇତିହାସ ବା ପୂର୍ବ କିଛି ବର୍ଷର ସ୍ଥିତି ସମ୍ପର୍କରେ ଜାଣନ୍ତୁ। ଏଥିରେ କେତେ ନିବେଶକ ଅଛନ୍ତି ଏବଂ ସେମାନେ କେତେ ଲାଭ ପାଇଛନ୍ତି ତାହା ଅନୁଧ୍ୟାନ କରନ୍ତୁ।

ଉକ୍ତ ଫଣ୍ଡର ଫଣ୍ଡ ମ୍ୟାନେଜର କିଏ ଅଛନ୍ତି, ତାଙ୍କର ଯୋଗ୍ୟତା ଓ ଅଭିଜ୍ଞତା କ’ଣ ବୁଝିନିଅନ୍ତୁ।

ନିବେଶ ପାଇଁ ଆପଣଙ୍କୁ କୌଣସି ଫି ବା ଦେୟ କିମ୍ବା କ୍ଷତିପୂରଣ ଦେବାକୁ ପଡୁଛି କି। ଯଦି ଦେବାକୁ ପଡୁଛି ତେବେ ତାହା କେତେ ପ୍ରତିଶତ ବୁଝିନିଅନ୍ତୁ।

ଆପଣଙ୍କ ଲାଭାଂଶରେ କେତେ ପରିମାଣର ଟିକସ ଲାଗିବ ଓ କିପରି ଲାଗିବ ତାହା ମଧ୍ୟ ବୁଝିବା ଜରୁରୀ।

ସାବଧାନତାର ସହ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ। ଆବଶ୍ୟକସ୍ଥଳେ ଉପଯୁକ୍ତ ପରାମର୍ଶଦାତାଙ୍କ ସହାୟତା ନିଅନ୍ତୁ।