sukanya-samridhi-scheme

“ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା ଖୋଲିବା ଦିନଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଖାତାଟି କାର୍ଯ୍ୟକ୍ଷମ ରହିବ ଏବଂ ସାଧାରଣତଃ ୧୮ ବର୍ଷ ବୟସ ତଥା ଝିଅଟିର ବିବାହ ପର୍ଯ୍ୟନ୍ତ ଏହାର ଅବଧି ରହିବ। ଏହି ଯୋଜନା ଅନୁସାରେ ଧାରକଙ୍କୁ ୮.୫ ପ୍ରତିଶତ ସୁଧ ଦିଆଯିବ। ଏହି ଯୋଜନା ଅଧିନରେ ଧାରକ ୧୯୬୧ ମସିହା ଆୟକର ଆଇନ ଧାରା ୮୦-ସି ଅନୁଯାୟୀ ଆୟକର ଲାଭ ପାଇବେ। ତା’ ଛଡ଼ା ଏଥିରୁ ମିଳୁଥିବା ସୁଧହାର ସଂପୂର୍ଣ୍ଣ କରମୁକ୍ତ ଅଟେ।

80-c

ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ନିୟମ :

୧. ଶିଶୁ କନ୍ୟା ଜନ୍ମ ହେବାଠାରୁ ୧୦ ବର୍ଷ ମଧ୍ୟରେ ତା’ର ଅଭିଭାବକ ତା ନାମରେ ଖାତା ଖୋଲିପାରିବେ ।

୨. ଜଣେ ଜମାକାରୀ ତାଙ୍କ ଝିଅ ନାମରେ ଗୋଟିଏ ମାତ୍ର ଖାତା ଖୋଲିବାର ନିୟମ ରହିଛି। ଜଣଙ୍କ ନାମରେ ଏକାଧିକ ଖାତା ଖୋଲା ଯାଇପାରିବ ନାହିଁ।

୩. ଡାକଘର କିମ୍ବା ବ୍ୟାଙ୍କରେ ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ସମୟରେ ଅଭିଭାବକ ଝିଅର ଜନ୍ମ ପଞ୍ଜୀକରଣ ପତ୍ରିକା ଦେବା ଆବଶ୍ୟକ ଅଟେ। ଏହା ସହିତ ଜମାକରୀଙ୍କୁ ତାଙ୍କ ପରିଚୟ ପତ୍ର ଏବଂ ବାସଭବନ ପଞ୍ଜିକରଣ ପତ୍ରିକା ଦାଖଲ କରିବାକୁ ହେବ।

ଖାତା ଧାରକଙ୍କୁ ୧୦ ବର୍ଷ ହେବା ପରେ ସେ ନିଜେ ତାଙ୍କ ଖାତାରେ ଟଙ୍କା ଜମା କରିପାରିବେ କିନ୍ତୁ ତା ପୂର୍ବରୁ ତାଙ୍କ ଅଭିଭାବକ ସେ ଜମା ଖାତାକୁ ଚଲାଇବେ।

sukanya samridhi yojana

ସୁକନ୍ୟା ସମୃଦ୍ଧି ଖାତାରେ କେତେ ଟଙ୍କା ଜମା କରିପାରିବେ ?

ବର୍ତ୍ତମାନ ଖାତା ଖୋଲିବା ପାଇଁ ସର୍ବନିମ୍ନ ଜମାରାଶି ୨୫୦ ଟଙ୍କା ରହିଛି କିନ୍ତୁ ଆଗରୁ ଏହି ରାଶି ୧୦୦୦ ଟଙ୍କା ରହିଥିଲା। ପ୍ରତିଥର ଜମାକାରୀ ୧୦୦ର ଗୁଣିତକ ଥିବା ଯେ କୌଣସି ରାଶି ଜମା କରିପାରିବେ। କିନ୍ତୁ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ଜମାକାରୀଙ୍କୁ ଆତି କମରେ ୨୫୦ ଟଙ୍କା ଜମା କରିବାକୁ ହେବ। ଗୋଟିଏ ଆର୍ଥିକ ବର୍ଷର ମୋଟ ଜମାରାଶି ୧.୫ ଲକ୍ଷ ଟଙ୍କାରୁ ଅଧିକ ନହୋଇଥିବା ଆବଶ୍ୟକ।

ଖାତା ଖୋଲିବାଠାରୁ ଝିଅକୁ ୧୫ ବର୍ଷ ହେବା ପର୍ଯ୍ୟନ୍ତ ଜଣେ ଜମାକାରୀ ଖାତାରେ ଟଙ୍କା ଜମା କରିପାରିବେ। ଧରାଯାଉ ଖାତା ଖୋଲିବା ସମୟରେ କନ୍ୟାର ବୟସ ହେଉଛି ୯ ବର୍ଷ, ତେବେ ସେ ୨୪ ବର୍ଷ ପର୍ଯ୍ୟନ୍ତ ଜମା କରିପାରିବେ। ୨୪ ରୁ ୩୦ ବର୍ଷ ମଧ୍ୟରେ (ଖାତାର ପରିପକ୍ୱତା ଅବଧି ଶେଷ ହେବା ପରେ) ଜମାକାରୀଙ୍କୁ ଜମା ଟଙ୍କା ଉପରେ ସୁଧ ମିଳିବ।

ଯଦି ଜଣେ ଜମାକାରୀ ଖାତାରେ ସର୍ବନିମ୍ନ ରାଶି ଠିକ ଭାବରେ ଜମା ନ କରିପାରନ୍ତି ତେବେ ସେ ସର୍ବନିମ୍ନ ଜମାରାଶି ସହିତ ବାର୍ଷିକ ୫୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଇ ତାଙ୍କ ଖାତାଟିକୁ ପୁନର୍ବାର ଚାଲୁ କରିପାରିବେ। ଜରିମାନା ନ ଦେଲେ ସଂପୂର୍ଣ୍ଣ ଜମାରାଶି ସହିତ ଖିଲାପ ତାରିଖ ପୂର୍ବରୁ ଖାତାରେ ଥିବା ଜମା ରାଶି ଉପରେ ଡାକଘର ସଞ୍ଚୟ ବ୍ୟାଙ୍କ ଖାତା ଦର ଅନୁସାରେ ସୁଧ ପାଇବେ। ବର୍ତ୍ତମାନ ଏହି ସୁଧ ଦର ୪ % ରହିଛି। ଯଦି ଅଧିକ ସୁଧ ରାଶି ପାଅନ୍ତି ତେବେ ତାହା ଡାକଘରକୁ ଫେରିଯିବ।

 

money receiving

ଖାତାରେ କେମିତି ଟଙ୍କା ଜମା କରିବେ ?

ଜମାକାରୀ ଜମାରାଶିକୁ ନଗଦ, ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଖାତାରେ ବାନ୍ଧି ପାରିବେ। ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ଆଦି ମାଧ୍ୟମରେ ଟଙ୍କା ଜମା କଲେ ଜମାକାରୀଙ୍କୁ ଏହି ସାଧନଗୁଡିକର ପଛ ପାଖରେ ନିଜର ପୁରା ନାମ ସହ ଜମା ଖାତା ନମ୍ବର ଲେଖିବାକୁ ହେବ। ଯଦି ଉକ୍ତ ଡାକଘର କିମ୍ବା ବ୍ୟାଙ୍କମାନଙ୍କରେ ସିବିଏସ (କୋର ବ୍ୟାଙ୍କିଙ୍ଗ୍ ସିଷ୍ଟମ)ର ବ୍ୟବସ୍ଥା ଥିବ ତେବେ ଇଲେକ୍ଟ୍ରୋନିକ ପ୍ରେରଣ(ଇ-ଟ୍ରାନ୍ସଫର) ମାଧ୍ୟମରେ ମଧ୍ୟ ଟଙ୍କା ବାନ୍ଧି ପାରିବେ।

ସମୟ ଅବଧି ପୁର୍ବରୁ ଆଂଶିକ ଟଙ୍କା ଉଠାଣର ବ୍ୟବସ୍ଥା :

ଯଦି ଖାତା ଧାରକଙ୍କୁ ଉଚ୍ଚ ଶିକ୍ଷା କିମ୍ବା ବିବାହ ନିମନ୍ତେ ଅର୍ଥ ଆବଶ୍ୟକ ପଡ଼େ, ତେବେ ଉକ୍ତ ଆର୍ଥିକ ବର୍ଷ ପୂରଣ ହେବା ସମୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆଂଶିକ ଉଠାଣ କରିପାରିବେ। କିନ୍ତୁ ଏଥିଲାଗି ସେହି ଶିକ୍ଷାନୁଷ୍ଠାନ ପାଖରୁ ସ୍ୱିକୃତି ଲାଭ କରିବା ଆବଶ୍ୟକ। ଟଙ୍କା ଉଠାଣ ପାଇଁ ଝିଅଟିର ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।

money

ସମୟ ଅବଧି ପୁର୍ବରୁ ସଂପୂର୍ଣ ଟଙ୍କା ଉଠାଣର ବ୍ୟବସ୍ଥା :

ଆକାଉଣ୍ଟ ଧାରକଙ୍କ ମୃତ୍ୟୁ ହେଲେ ଆକାଉଣ୍ଟକୁ ସଙ୍ଗେ ସଙ୍ଗେ ବନ୍ଦ କରାଯାଇପାରିବ। କିନ୍ତୁ ସେଥିପାଇଁ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ହେବ। ଏହି ପରିସ୍ଥିତିରେ ସମୟ ଅବଧି ପୁର୍ବରୁ ଉକ୍ତ ଜମା ଟଙ୍କାକୁ ଉଠାଯାଇ ପାରିବ ଏବଂ ସଂପୂର୍ଣ୍ଣ ସୁଧ ରାଶି ମଧ୍ୟ ଜମାକାରୀ ପାଇବେ। ତା’ ଛଡ଼ା ଯଦି ଜମା ଖାତା ଧାରକ କୌଣସି ରୋଗର ସମ୍ମୁଖୀନ ହୁଅନ୍ତି ତେବେ ମଧ୍ୟ ସେ ଟଙ୍କା ଉଠାଇ ପାରିବେ। ଏଭଳି ପରିସ୍ଥିରେ ସେ ଜମା ଟଙ୍କା ସହ କେବଳ ଡାକଘର ସଞ୍ଚୟ ବ୍ୟାଙ୍କ ଖାତା ଦର ଅନୁସାରେ ସୁଧ ପାଇବେ।