ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଲାଭ ଓ କ୍ଷତି ବିଷୟରେ

ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ ସ୍କିମଗୁଡିକ ମଧ୍ୟରୁ ଆପଣ ଯେକୌଣସି ସ୍କିମ୍ ଚୟନ କରନ୍ତୁ, ଯଦି ଆପଣ ସେଥିରେ ୭ରୁ ୮ବର୍ଷ କିମ୍ବା ତା’ଠାରୁ ଅଧିକ ସମୟର ଲଙ୍ଗ ଟର୍ମରେ ନିବେଶ କରୁଛନ୍ତି, ତା’ହେଲେ ଆପଣ ନିଶ୍ଚିତ ଭାବେ ଲାଭବାନ ହୋଇପାରିବେ।

mutualfund

ଏପରି କି ଯଦି ଆପଣ ଏକ ଭଲ ସ୍କିମ ଚୟନ କରୁଛନ୍ତି ତେବେ ଆପଣ ୨୨% ପର୍ଯ୍ୟନ୍ତ ରିଟର୍ନ୍ସ ବା ଲାଭାଂଶ ପାଇବାର ସମ୍ଭାବନା ରହିଛି। ସାଧାରଣତଃ ଅଧିକାଂଶ ଲୋକଙ୍କ ମନରେ ଧାରଣା ଥାଏ ଯେ ମ୍ୟୁଚୁଆଲ ଫଣ୍ଡ ଅର୍ଥ କେବଳ ସେୟାର ବଜାରରେ ନିବେଶ ହୋଇଥାଏ, ତେଣୁ ପଇସା ବୁଡ଼ିଯିବ। ବାସ୍ତବରେ ତାହା ନୁହେଁ, ମ୍ୟୁଚୁଆଲ ଫଣ୍ଡ ଅର୍ଥ ବିଭିନ୍ନ କ୍ଷେତ୍ରରେ ନିବେଶ ହୋଇଥାଏ। ଯେପରିକି ସୁନା, ରିୟଲ ଇଷ୍ଟେଟ୍ ଇତ୍ୟାଦି। ତେବେ ଇକୁଇଟି ଫଣ୍ଡରେ ଆପଣଙ୍କୁ ଅଧିକ ଲାଭ ମିଳିଥାଏ। ଯଦିଓ ଏଥିରେ ଛୋଟମୋଟ ବିପଦ ରହିଛି, ତେବେ ଅଳ୍ପ କେତେକ ସତର୍କତା ଅବଲମ୍ବନ କଲେ ଆପଣ ବେଶ୍ ଫାଇଦା ପାଇପାରିବେ।

ନିବେଶ କରିବାର ଉପାୟ

ସାଧାରଣତଃ ଆପଣ ୩ ପ୍ରକାର ଉପାୟରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିପାରିବେ।

ନିଜସ୍ୱ ଅନୁଧ୍ୟାନ ଆପଣ ନିଜେ ଅନୁଧ୍ୟାନ କରି ବିଭିନ୍ନ ସେୟାର କିଣି ପାରିବେ କିମ୍ବା ବିକ୍ରି କରିପାରିବେ। ଏଥିପାଇଁ ଆପଣଙ୍କୁ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ତେବେ ଏହା ସମୟ ସାପେକ୍ଷ। ଯେହେତୁ ସେୟାର ବଜାରରେ ନିବେଶ ସମ୍ପର୍କରେ ଆପଣଙ୍କର ବିଶେଷ ଧାରଣା ନାହିଁ, ତେଣୁ କେଉଁ ସେୟାର କିଣିବେ, କେଉଁ ସେୟାର ବିକିବେ ତାହା ସ୍ଥିର କରିବାରେ ବିଳମ୍ବ ହୋଇଥାଏ।

ଅଭିଜ୍ଞଙ୍କ ପରାମର୍ଶ ଯଦି ଆପଣ ସେୟାର କିଣାବିକା ନିମନ୍ତେ କୌଣସି ଅଭିଜ୍ଞଙ୍କ ପରାମର୍ଶ ନେବେ, ତେବେ ଆପଣଙ୍କ ସମୟ ବଞ୍ଚିବ। ସେ ଆପଣଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିବେ। ତେଣୁ ଆପଣଙ୍କୁ ବିଶେଷ ଚିନ୍ତା କରିବାକୁ ପଡିବ ନାହିଁ। ମାତ୍ର କେବଳ ପରାମର୍ଶ ଦେବା ପାଇଁ ସେ କିଛି ଫିସ ବା ଦେୟ ନେବେ ଏବଂ ଆପଣଙ୍କୁ ହିଁ କିଣାବିକା କରିବାକୁ ପଡ଼ିବ।

ମ୍ୟୁଚୁଆଲ ଫଣ୍ଡରେ ନିବେଶ ମ୍ୟୁଚୁଆଲ ଫଣ୍ଡରେ ଆପଣଙ୍କୁ କେବଳ ଭଲ ଫଣ୍ଡ ଚୟନ କରିବାର ଅଛି। ଅବଶିଷ୍ଟ ସମସ୍ତ କାର୍ଯ୍ୟ ମ୍ୟୁଚୁଆଲ ଫଣ୍ଡ ମ୍ୟାନେଜର କରିଥାନ୍ତି।

mutual fund

ମ୍ୟୁଚୁଆଲ ଫଣ୍ଡର ଫାଇଦା

ଅଳ୍ପ ଅର୍ଥରେ ଅଧିକ ସେୟାର କିଣିବା : ମ୍ୟୁଚୁଆଲ ଫଣ୍ଡର ମୁଖ୍ୟ ଫାଇଦା ହେଉଛି, ଆପଣଙ୍କ ଅଳ୍ପ ପରିମାଣର ଅର୍ଥ ମଧ୍ୟ ଏକାଧିକ କମ୍ପାନିରେ ନିବେଶ ହୋଇପାରିଥାଏ। ଅର୍ଥାତ ମାତ୍ର ୨ରୁ ୪ ହଜାର ଟଙ୍କାରେ ଆପଣ ଅଧିକ ସେୟାର କିଣିପାରନ୍ତି। କାରଣ କେତେଜଣ ନିବେଶକଙ୍କ ଅର୍ଥ ଏକତ୍ରିତ କରାଯାଇ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ ହୋଇଥାଏ। ଅର୍ଥାତ୍ ଯଦି ଆପଣ ୫ ହଜାର ଟଙ୍କା ଦେଉଛନ୍ତି, ତେବେ ଆପଣଙ୍କ ଭଳି ୨୦ ଜଣ ନିବେଶକଙ୍କ ଅର୍ଥ ମିଶି ୧ଲକ୍ଷ ଟଙ୍କା ହୋଇଥାଏ ଏବଂ ଏହି ଅର୍ଥରେ ଅନେକ ସେୟାର କିଣାଯାଇପାରେ। ଯାହାକି ଆପଣ ୫ହଜାର ଟଙ୍କାରେ କିଣିପାରି ନ ଥାନ୍ତେ।

– ଅଭିଜ୍ଞ ପରିଚାଳକ : ଯଦି ଆପଣ ସେୟାର କିଣାବିକା ନିମନ୍ତେ କାହାର ପରାମର୍ଶ ନେଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଫିସ୍ ବା ଦେୟ ଦେବାକୁ ପଡିଥାଏ। କେତେକ କ୍ଷେତ୍ରରେ ଆପଣ ୨ହଜାର ଟଙ୍କାରେ ସେୟାର କିଣିବାକୁ ଚାହୁଁଥିବାବେଳେ ଆପଣଙ୍କୁ ପରାମର୍ଶ ପାଇଁ ଫିସ ବାବଦରେ ୨ହଜାର ଟଙ୍କାରୁ ଅଧିକ ଦେବାକୁ ପଡିଥାଏ। ଏ କ୍ଷେତ୍ରରେ ଆପଣଙ୍କର କ୍ଷତି ହୋଇଥାଏ। ମାତ୍ର ମ୍ୟୁଚୁଆଲ ଫଣ୍ଡରେ ଏହି ସମସ୍ୟା ନ ଥାଏ। କାରଣ କମ୍ପାନି ଏଥିପାଇଁ ନିର୍ଦ୍ଦିଷ୍ଟ ଦରମାରେ ଜଣେ ଅଭିଜ୍ଞ ପରିଚାଳକଙ୍କୁ ନିଯୁକ୍ତ କରିଥାଏ। ଆପଣଙ୍କ ନିବେଶ ଅର୍ଥରୁ ଅଳ୍ପ ପ୍ରତିଶତ କାଟି ଏହି ଅର୍ଥ ଦିଆଯାଏ, ଯାହାକୁ ଏକ୍ସପେନ୍ସ ରେସିଓ କୁହାଯାଏ। ବିଭିନ୍ନ କମ୍ପାନିର ଭିନ୍ନ ଭିନ୍ନ ଏକ୍ସପେନ୍ସ ରେସିଓ ରହିଥାଏ।

-ନିଜେ ଟ୍ରାନଜାକ୍ସନ କରିବାର ଆବଶ୍ୟକତା ନାହିଁ :  ଥରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବା ପରେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡି ନ ଥାଏ। କାରଣ ସବୁ କାର୍ଯ୍ୟ ମ୍ୟୁଚୁଆଲ ଫଣ୍ଡ ମ୍ୟାନେଜର ହିଁ କରିଥାନ୍ତି। ଆପଣଙ୍କୁ ଟ୍ରାନଜାକ୍ସନ କରିବାକୁ ପଡେନାହିଁ।

-ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ):  ଏସଆଇପି ମାଧ୍ୟମରେ ଆପଣଙ୍କୁ ମାସିକ ନିର୍ଦ୍ଦିଷ୍ଟ ଟଙ୍କା ଦେବାକୁ ପଡିଥାଏ। ଏଥିପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନିର୍ଦ୍ଦାରିତ ପରିମାଣର ଟଙ୍କା କଟିଥାଏ। ଏହାକୁ ଆପଣ ମଝିରେ ବଢାଇ ପାରନ୍ତି କିମ୍ବା କମାଇ ପାରନ୍ତି। ଯଦି ଆପଣଙ୍କ ଏସଆଇପି କଟୁଛି ଆଉ ଆକାଉଣ୍ଟରେ ଟଙ୍କା ନାହିଁ, ତେବେ ଏସଆଇପି ବାଉନ୍ସ ହୋଇଯାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। କାରଣ ଏହା ଚେକ୍ ବାଉନ୍ସ ଭଳି ଅପରାଧ ନୁହେଁ।

mutual fund loss

ମ୍ୟୁଚୁଆଲ ଫଣ୍ଡରେ ଅସୁବିଧା ଣ?

– ପରିଚାଳନା ଅପେକ୍ଷା ନିବେଶକ ସଂଖ୍ୟାକୁ ଗୁରୁତ୍ୱ– କେତେକ କ୍ଷେତ୍ରରେ କମ୍ପାନି ଓ ଫଣ୍ଡ ମ୍ୟାନେଜର ଅଧିକ ମାର୍କେଟିଂ ଓ ନିବେଶକଙ୍କୁ ଆକର୍ଷିତ କରିବାକୁ ଧ୍ୟାନ ଦେଇଥାନ୍ତି। କାରଣ ଯେତେ ନିବେଶକ ବଢିବେ କମ୍ପାନି ସେତେ ଅଧିକ ଲାଭାଂଶ ପାଇଥାଏ। ଏ କ୍ଷେତ୍ରରେ ସେମାନେ ଫଣ୍ଡ ପରିଚାଳନାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିଥାଏ।

-ନିବେଶକଙ୍କ ଚାପ- ମ୍ୟୁଚୁଆଲ ଫଣ୍ଡରେ ଯଦିଓ ଫଣ୍ଡ ମ୍ୟାନେଜର ସମସ୍ତ କାର୍ଯ୍ୟ କରିଥାନ୍ତି, ତେବେ ତାଙ୍କ ହାତରେ କିଛି ନ ଥାଏ। ନିବେଶକମାନେ ମାର୍କେଟ ଖସିବା ସମୟରେ ଯଦି ଧୈର୍ଯ୍ୟ ହରାଇ ଅସମୟରେ ଟଙ୍କା ଫେରାଇ ନେବାକୁ ଚାପ ପକାନ୍ତି, ତେବେ ଫଣ୍ଡ ମ୍ୟାନେଜର ବାଧ୍ୟହୋଇ କ୍ଷତିରେ ସେୟାର ବିକି ଟଙ୍କା ଫେରାଇଥାନ୍ତି।

-ଚାକିରି ଭୟ- ମ୍ୟୁଚୁଆଲ ଫଣ୍ଡରେ କେଉଁ ସେୟାର କିଣିଲେ ଅଧିକ ଲାଭ ହୋଇଥାଏ ତାହା ଜାଣିଥିଲେ ମଧ୍ୟ ଫଣ୍ଡ ମ୍ୟାନେଜର ତାହା କିଣିପାରନ୍ତି ନାହିଁ। କାରଣ ସେଥିରେ ଅଧିକ ବିପଦ ମଧ୍ୟ ଥାଏ। ତେଣୁ କମ୍ପାନିର ନିୟମ ଅନୁସାରେ ସେ ପରିଚାଳନା କରିବାକୁ ପଡିଥାଏ। ନଚେତ ତାଙ୍କୁ ଚାକିରି ହରାଇବାର ଆଶଙ୍କା ଥାଏ। କିନ୍ତୁ ବ୍ୟକ୍ତିଗତ ଭାବେ ସେୟାର କିଣିବିକାରେ ନିବେଶକଙ୍କର ଚାକିରି ଭୟ ନ ଥାଏ। ତେଣୁ ସେ ନିଜ ଇଚ୍ଛା ମୁତାବକ ଅଧିକ ବିପଦକୁ ସାମ୍ନା କରି ଲାଭବାନ ହୋଇଥାନ୍ତି।