ଟ୍ୟାକ୍ସ ବଞ୍ଚାଇବାକୁ କିଏ ନ ଚାହେଁ ? ଆପଣ ମଧ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ଟ୍ୟାକ୍ସ ବଞ୍ଚାଇପାରିବେ

 

tax rebate

ଇନକମ୍ ଟ୍ୟାକ୍ସ (ଆୟ କର) ସ୍ଲାବ

କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ନିର୍ଦ୍ଧାରିତ ଆୟକର ସ୍ଲାବ୍ ଅନୁଯାୟୀ ଆପଣଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ ୫ଲକ୍ଷ ଟଙ୍କା, ତେବେ ଆପଣଙ୍କୁ ୫%, ଯଦି ୫ରୁ ୧୦ଲକ୍ଷ ଟଙ୍କା ତେବେ ୨୦% ଏବଂ ଯଦି ୧୦ଲକ୍ଷରୁ ଅଧିକ ଟଙ୍କା ହୋଇଥାଏ ତେବେ ୩୦% ଆୟକର ଦେବାକୁ ହୋଇଥାଏ।

ଏହାବାଦ୍ ଟ୍ୟାକ୍ସ ଉପରେ ସେସ୍ ଦେବାକୁ ପଡ଼ିଥାଏ। ମାତ୍ର କେନ୍ଦ୍ର ସରକାର ୨୦୧୯-୨୦ ବଜେଟରେ ଏ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆଣିଛନ୍ତି, ଯାହା ଆପଣଙ୍କୁ ଆୟକର ଉପରେ ବିଶେଷ ରିହାତି ପ୍ରଦାନ କରିଥାଏ।

’ଣ ହୋଇଛି ପରିବର୍ତ୍ତନ

ଆୟକର ନୀତି ଉପରେ ଯାହାବି କିଛି ପରିବର୍ତ୍ତନ ଆସିଛି ତାହା ବିଶେଷକରି ସେକ୍ସନ ୮୭(ଏ) ଉପରେ ଆସିଛି। ଏହି ସେକ୍ସନ ଅନୁଯାୟୀ ପୂର୍ବରୁ ନିୟମ ଥିଲା ଯେ, ବାର୍ଷିକ ୩ଲକ୍ଷ ଟଙ୍କା ଆୟ ଉପରେ ଆପଣଙ୍କୁ ୨,୫୦୦ ଟଙ୍କାର ଆୟକର ଛାଡ଼ ହେବ। ଅର୍ଥାତ୍ ୩ଲକ୍ଷ ଟଙ୍କା ଉପରେ ଆପଣଙ୍କ ଆୟକର ୨,୫୦୦ ଟଙ୍କା ହେଉଥିଲା ଏବଂ ଏହି ସେକ୍ସନ ଅନୁଯାୟୀ ଆପଣଙ୍କୁ ୨,୫୦୦ ଟଙ୍କାର ଆୟକର ଛାଡ଼ ମିଳୁଥିଲା।

ତେଣୁ ଆପଣଙ୍କୁ ୩ଲକ୍ଷ ଟଙ୍କା ଉପରେ ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା। ମାତ୍ର ଏବେ ଏଥିରେ ପରିବର୍ତ୍ତନ କରାଯାଇ ଆୟକର ଛାଡ଼ ପରିମାଣ ୨,୫୦୦ ଟଙ୍କାରୁ ବଢ଼ାଇ ୧୨,୫୦୦ ଟଙ୍କା କରାଯାଇଛି। ଏଥିସହ ଆୟକର ଛାଡ଼ ସୀମାକୁ ୩ ଲକ୍ଷରୁ ବଢାଇ ୫ଲକ୍ଷ ଟଙ୍କା କରାଯାଇଛି। ଅର୍ଥାତ ବାର୍ଷିକ ୫ଲକ୍ଷ ଟଙ୍କା ଆୟ ଉପରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।

ଏହି ୫ଲକ୍ଷ ଟଙ୍କା ଉପରେ ଟ୍ୟାକ୍ସ ଛାଡ଼ ବ୍ୟତୀତ ଆପଣ ଅଳ୍ପ କିଛି କିଛି ଡିଡକ୍ସନ କରି ଆହୁରି ୫ଲକ୍ଷ ଟଙ୍କା ଉପରେ ମଧ୍ୟ ଟ୍ୟାକ୍ସ ବଞ୍ଚାଇପାରିବେ। ୬୦ବର୍ଷରୁ କମ୍ ବୟସର ଲୋକମାନେ ତ ଅତି ସହଜରେ ୯,୭୫,୦୦୦ ଟଙ୍କା ଉପରେ ଟ୍ୟାକ୍ସ ବଞ୍ଚାଇପାରିବେ। ପ୍ରଥମତଃ ସେକ୍ସନ ୮୭(ଏ) ଅନୁଯାୟୀ ସେମାନେ ୫ଲକ୍ଷ ଟଙ୍କା ଉପରେ ଟ୍ୟାକ୍ସ ବଞ୍ଚାଇବାର ସୁବିଧା ପାଉଛନ୍ତି। ଏହା ବ୍ୟତୀତ ଆହୁରି ୪,୭୫,୦୦୦ ଟଙ୍କା ଉପରେ ମଧ୍ୟ ଟ୍ୟାକ୍ସ ବଞ୍ଚାଇପାରିବେ। ତେବେ ଆସନ୍ତୁ ଜାଣିବା କିପରି ?

– ଷ୍ଟାଣ୍ଡାର୍ଡ ଡିଡକ୍ସନ
ଆପଣଙ୍କ ଆୟ ଉପରେ ସର୍ବପ୍ରଥମ ଡିଡକ୍ସନ ହେବ ଷ୍ଟାଣ୍ଡାର୍ଡ ଡିଡକ୍ସନ।  ଏଥିରେ ପୂର୍ବରୁ ଆପଣଙ୍କୁ ୪୦,୦୦୦ ଟଙ୍କାର ଆୟ ଉପରେ ଟିକସ ଛାଡ଼ ସୁବିଧା ମିଳୁଥିଲା। ଏବେ ଏହାକୁ ବଢାଇ ୫୦,୦୦୦ ଟଙ୍କା କରିଦିଆଯାଇଛି। ଅର୍ଥାତ ୫୦ ହଜାର ଟଙ୍କାର ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ସେକ୍ସନ ୧୬(ଏ) ଅନୁଯାୟୀ ଆପଣଙ୍କୁ ଏହି ସୁବିଧା ମିଳିଥାଏ।

80-c

-ସେକ୍ସନ ୮୦(ସି)

ସେକ୍ସନ ୮୦(ସି) ଅନୁଯାୟୀ ଆପଣ କେତେକ ଯୋଜନାରେ ଟଙ୍କା ଜମା ରଖିଲେ ୧.୫ଲକ୍ଷ ଟଙ୍କାର ଆୟ ଉପରେ ଟିକସ ଛାଡ଼ ପାଇପାରିବେ। ଏହି ସବୁ ଟ୍ୟାକ୍ସ ରିହାତି ଯୋଜନାଗୁଡ଼ିକ ହେଉଛି ପିପିଏଫ, ପିଏଫ, ଟ୍ୟାକ୍ସ ରିହାତି ମିଳୁଥିବା ମ୍ୟୁଚୁଆଲ ଫଣ୍ଡ, ୟୁଏଲଆଇପିଏସ, ପିଲାଙ୍କ ଟ୍ୟୁଶନ ଫି ( ମାତ୍ର ୨ ଜଣ ପିଲାଙ୍କ ପାଇଁ ଲାଗୁ ହେବ), ୫ବର୍ଷିୟା ଫିକ୍ସ ଡିପୋଜିଟ୍, ଗୃହଋଣ ପ୍ରିନ୍ସିପାଲ ଆମାଉଣ୍ଟ ଇତ୍ୟାଦି। ତେବେ ସବୁଥିରେ ଆପଣଙ୍କୁ ଅଲଗା ଅଲଗା ଭାବେ ୧.୫ ଲକ୍ଷ ଟଙ୍କା ଲେଖାଏ ରିହାତି ମିଳିବ ନାହିଁ। କେବଳ ଗୋଟିଏ ଥର ମିଳିପାରିବ।

– ଗୃହଋଣ ଇଏମ୍ଆଇ

ଯଦି ଆପଣ କୌଣସି ଗୃହଋଣ ନେଇ ଘର କିଣିଛନ୍ତି ଏବଂ ଇଏମ୍ଆଇ ଦେଉଛନ୍ତି, ତେବେ ଏ ବାବଦରେ ୧ବର୍ଷରେ ଆପଣଙ୍କୁ ଯେତିକି ଟଙ୍କା ସୁଧ ଦେବାକୁ ପଡିଥାଏ, ତା’ଉପରେ ୨ଲକ୍ଷ ଟଙ୍କାର ଟ୍ୟାକ୍ସ ଛାଡ଼ ପାଇପାରିବେ। ସେକ୍ସନ ୨୪(ବି) ଅନୁଯାୟୀ ଆପଣଙ୍କୁ ଏହି ସୁବିଧା ମିଳିପାରିବ।

-ଏନପିଏସ୍ ଆକାଉଣ୍ଟ

ଯଦି ଆପଣ ଏନପିଏସ ଆକାଉଣ୍ଟ ଖୋଲିଛନ୍ତି ଏବଂ ପ୍ରତି ମାସରେ ଏଥିପାଇଁ ଦେୟ ଦେଉଛନ୍ତି, ତେବେ ବାର୍ଷିକ ୫୦,୦୦୦ ଟଙ୍କା ଉପରେ ଟିକସ ଛାଡ଼ ପାଇପାରିବେ। ସେକ୍ସନ ୮୦ସିସିଡି ଅନୁଯାୟୀ ଆପଣ ଏହି ସୁବିଧା ପାଇପାରିବେ।

health-insurance

– ସ୍ୱାସ୍ଥ୍ୟବୀମା ପ୍ରିମିୟମ

ସେହିପରି ଆପଣ ଯଦି ସ୍ୱାସ୍ଥ୍ୟବୀମା କରିଛନ୍ତି, ତେବେ ବାର୍ଷିକ ପ୍ରିମିୟମ ବାବଦରେ ଆପଣ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ପାଇପାରିବେ। ଏହାବ୍ୟତୀତ ଅନେକ ଡିଡକ୍ସନ ରହିଛି, ଯାହାକି ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହୋଇ ନ ଥାଏ। ଯଦି ଆପଣଙ୍କ କ୍ଷେତ୍ରରେ ଲାଗୁ ହେଉଥାଏ, ତେବେ ଆପଣ ନିମ୍ନଲିଖିତ ଉପାୟରେ ଟ୍ୟାକ୍ସ ବଞ୍ଚାଇପାରିବେ।

ଯଦି ଆପଣ ସରକାରୀ ଚାକିରିଆ ହୋଇ ମଧ୍ୟ ଆପଣଙ୍କୁ କ୍ୱାର୍ଟର୍ସ ମିଳେ ନାହିଁ, ତେବେ ଆପଣଙ୍କୁ ଘରଭଡ଼ା ନେଇ ରହିବାକୁ ହୋଇଥାଏ।  ଏ କ୍ଷେତ୍ରରେ ଆୟକର ଆକ୍ଟ ୧୯୬୧ର ସେକ୍ସନ ୮୦ଜିଜି (ଚାପ୍ଟର ୬(ଏ)) ଅନୁଯାୟୀ ଆପଣ ଘରଭଡ଼ା ବ୍ୟୟ ଦର୍ଶାଇ ଟ୍ୟାକ୍ସ ରିହାତି ପାଇପାରିବେ। ତେବେ ଏହାର କେତେକ ସର୍ତ୍ତ ରହିଛି।

ଲିଭ୍ ଟ୍ରାଭେଲ ଆଲାଉନ୍ସ ବା ଛୁଟିରେ ଭ୍ରମଣକାଳୀନ ବ୍ୟୟ ବାବଦରେ ଆପଣ ଟ୍ୟାକ୍ସ ବଞ୍ଚାଇପାରିବେ। ସାଧାରଣତଃ ଆପଣଙ୍କୁ ଚାକିରି ଦେଇଥିବା କମ୍ପାନି ବା ସଂସ୍ଥା ଲିଭ୍ ଟ୍ରାଭେଲ ଆଲାଉନ୍ସ ଦେଇଥାଏ। ତେବେ ଆପଣ ୪ବର୍ଷରେ ଅତିବେଶିରେ ୨ଥର ଭ୍ରମଣରେ ଯାଇପାରିବେ। ଭ୍ରମଣରେ ନ ଯାଇ ଆପଣ ଏହି ସୁବିଧା ପାଇପାରିବେ ନାହିଁ। କାରଣ ଏଥିପାଇଁ ଆପଣଙ୍କୁ ଭ୍ରମଣକାଳୀନ ବିଭିନ୍ନ ଦେଖାଇବାକୁ ହୋଇଥାଏ। ଏହା ବ୍ୟତୀତ ଏଥିରେ ମଧ୍ୟ କେତେକ ସର୍ତ୍ତ ରହିଛି।

ସେହିପରି ଆପଣ ଶିକ୍ଷାଋଣ ଉପରେ ଅତିବେଶିରେ ୮ବର୍ଷ ପାଇଁ ଡିଡକ୍ସନ ନେଇପାରିବେ। ପ୍ରତିବର୍ଷ ଆପଣଙ୍କ ସୁଧ ଅନୁଯାୟୀ ଏହା ହିସାବ ହୋଇଥାଏ। ଆୟ କର ଆକ୍ଟ-୧୯୬୧ ସେକ୍ସନ ୮୦(ଇ) ଅନୁଯାୟୀ ଶିକ୍ଷାଋଣ ବାବଦ ସୁଧ ଉପରେ ଇନକମ୍ ଟ୍ୟାକ୍ସ ରିହାତି ବ୍ୟବସ୍ଥା ରହିଛି।

tax rebate home

ଘର ବିକ୍ରି ବାବଦରେ ଆପଣ ପାଇଥିବା ଲାଭ ଟଙ୍କା ଉପରେ ମଧ୍ୟ ଟ୍ୟାକ୍ସ ବଞ୍ଚେଇପାରିବେ। ଯଦି ଘର ବିକ୍ରି କରି ଆପଣ ୨କୋଟି ଟଙ୍କା ମଧ୍ୟରେ ଲାଭ ପାଇଛନ୍ତି ଏବଂ ସେହି ଟଙ୍କା ଆପଣ ଅନ୍ୟ ଏକ ଘର ନିର୍ମାଣ କିମ୍ବା କିଣିବାରେ ବିନିଯୋଗ କଲେ ଡିଡକ୍ସନ ପାଇପାରିବେ। ଆଗରୁ ମାତ୍ର ଗୋଟିଏ ଘର ପାଇଁ ଏହି ସୁବିଧା ମିଳୁଥିଲା। ଅର୍ଥାତ ଯଦି ଆପଣ ୨ଟି କିମ୍ବା ତା’ଠାରୁ ଅଧିକ ଘର ନିର୍ମାଣରେ ଏହି ଅର୍ଥ ଖର୍ଚ୍ଚ କରନ୍ତି, ତେବେ ମଧ୍ୟ ଆପଣଙ୍କୁ କେବଳ ମାତ୍ର ଗୋଟିଏ ଘର ପାଇଁ ଡିଡକ୍ସନ ମିଳୁଥିଲା। ଏବେ କିନ୍ତୁ ୨ଟି ଘର ପାଇଁ ଏହି ସୁବିଧା ଲାଗୁ ହେଲାଣି। ସେହିପରି ୨କୋଟିରୁ ଅଧିକ ଟଙ୍କା ଯଦି ଆପଣ ଘର ବିକ୍ରି କରି ପାଉଛନ୍ତି ଏବଂ ତାହା ଆଉ ଏକ ଘର ନିର୍ମାଣରେ ଖର୍ଚ୍ଚ କରୁଛନ୍ତି, ତେବେ ଏ କ୍ଷେତ୍ରରେ ମଧ୍ୟ ଗୋଟିଏ ଘର ନିର୍ମାଣରେ ଯେତିକି ଟଙ୍କା ଖର୍ଚ୍ଚ ହେବ ତା’ଉପରେ ଡିଡକ୍ସନ ପାଇପାରିବେ। ତେବେ ଏହି ସୁବିଧା ଆପଣ ଜୀବନରେ ଥରେ ମାତ୍ର ଉପଯୋଗ କରିପାରିବେ।

୬୦ ବର୍ଷରୁ ଅଧିକ ବୟସ୍କ ବା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟବୀମାରେ ୫୦,୦୦୦ ଟଙ୍କାର ଡିଡକ୍ସନ ମିଳିଥାଏ। ଏହାବାଦ୍ ବରିଷ୍ଠ ନାଗରିକମାନେ ଉପରୋକ୍ତ ବିଭିନ୍ନ ଯୋଜନାରେ ଟଙ୍କା ଜମା କରି ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ ଉପରେ ଟ୍ୟାକ୍ସ ବଞ୍ଚାଇପାରିବେ।