ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ହେଉଛି ଏକ ପୋଷ୍ଟ ଅଫିସ ସଞ୍ଚୟ ଯୋଜନା, ଯାହା ଆପଣଙ୍କୁ ସର୍ବଦା ଏକ ନିର୍ଦ୍ଦିଷ୍ଟ ହାରର ସୁଧ ଦେଇଥାଏ।

NSC

ଏନଏସସି କ’ଣ?

ଏନଏସସି ବା ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ ହେଉଛି ସରକାରଙ୍କ ଏକ ପୋଷ୍ଟ ଅଫିସ ସଞ୍ଜୟ ଯୋଜନା। ଏଥିରେ ଯେକୌଣସି ଭାରତୀୟ ନାଗରିକ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁଧ ପାଇଥାନ୍ତି। ଅର୍ଥାତ ଯଦି ଜମାଟଙ୍କା ଉପରେ ସୁଧହାର କମ୍ ବା ବେଶି ହୁଏ, ତେବେ ଏଥିରେ ଆପଣଙ୍କର ଭୟ କରିବାର ନାହିଁ। ବର୍ତ୍ତମାନ ଏନଏସସିରେ ସୁଧହାର ୮% ରହିଛି। ସେହିପରି ଏହି ଯୋଜନାରେ ଆପଣ ଅଳ୍ପ ଟଙ୍କାରେ ମଧ୍ୟ ଏନଏସସି କିଣିପାରିବେ। ତେଣୁ ସ୍ୱଳ୍ପ ରୋଜଗାରକ୍ଷମ ବ୍ୟକ୍ତି ମଧ୍ୟ ଏହାର ଫାଇଦା ନେଇପାରିବେ। ସେହିପରି ଏହା ଅପେକ୍ଷାକୃତ ଅଧିକ ନିରାପଦ ବା ସୁରକ୍ଷିତ। ତେଣୁ ଆପଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଆନ୍ତୁ ଓ ସରକାରଙ୍କ ଏହି ଯୋଜନାର ଫାଇଦା ନିଅନ୍ତୁ।

NSC

କେଉଁମାନେ ଏନଏସସିରେ ନିବେଶ କରିପାରିବେ?

୧- ସମସ୍ତ ପ୍ରକାର ଭାରତୀୟ ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ।

୨- ଅବିଭାଜିତ ହିନ୍ଦୁ ପରିବାର (ଏଚୟୁଏଫ୍) ଓ ପ୍ରବାସୀ ଭାରତୀୟ (ଏନଆରଆଇ) ଏହି ଯୋଜନାରେ ନିବେଶ କରିପାରିବେ ନାହିଁ।

୩- ଏହି ଯୋଜନାରେ ଆପଣ ସିଙ୍ଗିଲ ବା ଜଏଣ୍ଟ ନିବେଶ କରିପାରିବେ।

୪- ପିପିଏଫରେ ଆପଣ ୧.୫ ଲକ୍ଷ୍ୟ ଟଙ୍କା ସର୍ବାଧିକ ନିବେଶ କରିପାରୁଥିବାବେଳେ ଏନଏସସିରେ ଆପଣ ଯେତେ ପାରିବେ ସେତେ ଟଙ୍କା ନିବେଶ କରିପାରିବେ। ଏପରିକି ୧ କୋଟି ଟଙ୍କାର ମଧ୍ୟ ଏନ୍ଏସିସି ମଧ୍ୟ କିଣିପାରିବେ। ତେବେ ୧୦ଲକ୍ଷ ଟଙ୍କାରୁ ଅଧିକ ନିବେଶ କଲେ ଆପଣଙ୍କୁ ଆୟ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡ଼ିବ।

NSC
ଏନଏସସିରେ ଟିକସ ରିହାତି:

୧- ସେକ୍ସନ ୮୦-ସି ଅନୁଯାୟୀ, ଆପଣ ଏନଏସସିରେ ୧.୫ ଲକ୍ଷ୍ୟ ପର୍ଯ୍ୟନ୍ତ ଟଙ୍କା ଉପରେ ଟିକସ ରିହାତି ପାଇପାରିବେ।

୨- ଏନଏସସିରେ ବର୍ତ୍ତମାନ ସୁଧହାର ୮% ରହିଛି। ଯଦି ଆପଣ ୧୦ ଲକ୍ଷ ଟଙ୍କାର ନିବେଶ କରିଛନ୍ତି, ତେବେ ୧ ବର୍ଷରେ ଆପଣଙ୍କୁ ଯାହା ସୁଧ ମିଳିବ ତାହା ପରବର୍ତ୍ତୀ ବର୍ଷରେ ଆପଣଙ୍କ ମୂଳ ଟଙ୍କା ସହ ମିଶିଯିବ। ସେତେବେଳେ ମଧ୍ୟ ଆପଣ ୧.୫ ଲକ୍ଷର ଟିକସ ରିହାତି ପାଇପାରିବେ।

୩- ୫ମ ବର୍ଷରେ ଯେତେବେଳେ ଆପଣଙ୍କ ମ୍ୟାଚୁରିଟି ପୂରଣ ହୋଇଯିବ, ସେତେବେଳେ କିନ୍ତୁ ଆପଣ ଏହି ସୁବିଧା ପାଇବେ ନାହିଁ। ଏନଏସସିରେ ମିଳୁଥିବା ସୁଧ ଉପରେ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ।

NSC
ଏନଏସସିରେ କ’ଣ ରହିଛି ସର୍ତ୍ତ?

୧- ଏନଏସସିର ମ୍ୟାଚୁରିଟି ପିରିୟଡ ୫ବର୍ଷ ରହିଛି।  ୨୦୧୫ ପୂର୍ବରୁ ଏହି ସମୟ ସୀମା ୧୦ ବର୍ଷ ଥିଲା।

୨- ମ୍ୟାଚୁରିଟି ପିରିୟଡ ପୂର୍ବରୁ ଆପଣ ଟଙ୍କା ଉଠାଇ ପାରିବେ ନାହିଁ। କେବଳ ଯଦି ନିବେଶକଙ୍କ ମୃତ୍ୟୁ ଘଟେ କିମ୍ବା କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ଟଙ୍କା ଉଠାଇ ହେବ।

NSC
ଏନଏସସିରେ ଋଣ ସୁବିଧା:

ଏନଏସସିରେ ଆପଣଙ୍କୁ ଋଣ ସୁବିଧା ମିଳିପାରିବ। ତେବେ ଏହି ଋଣ ଆପଣ ପୋଷ୍ଟ ଅଫିସରୁ ସିଧାସଳଖ ଉଠାଇ ପାରିବେ ନାହିଁ। ଏଥିପାଇଁ ଆପଣ ଏନ୍ଏସଏସି ନେଇ ବ୍ୟାଙ୍କକୁ ଯିବାକୁ ପଡ଼ିବ ଏବଂ ସେଠାରେ ଆପଣଙ୍କୁ ଋଣ ଉଠାଇବାର ସୁବିଧା ମିଳିପାରିବ। ଏସବିଆଇରେ ଆପଣଙ୍କୁ ଏନ୍ଏସସି ଉପରେ ନିବେଶ ଟଙ୍କାର ୬୫% ଋଣ ଦିଆଯାଉଛି।

କିପରି କରିବେ ନିବେଶ?

ଏନଏସସିରେ ନିବେଶ କରିବାକୁ ଚାହୁଁଥିଲେ ଆପଣ ନିକଟସ୍ଥ ପୋଷ୍ଟ ଅଫିସ ସହ ଯୋଗାଯୋଗ କରନ୍ତୁ। ଏଥିପାଇଁ ଆପଣଙ୍କୁ ଆଧାର, ପାନକାର୍ଡ ଓ ଭୋଟର ପରିଚୟପତ୍ର ଆଦି କେତେକ ପ୍ରାମଣପତ୍ର ଦେବାକୁ ପଡ଼ିଥାଏ।