ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ କାର ବ୍ୟବସାୟ ମାନ୍ଦା ପଡ଼ିବା ପାଇଁ ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅଟୋ ସେକ୍ଟରରେ ବିଗତ କିଛି ଦିନ ଧରି ଭୀଷଣ ମାନ୍ଦାବସ୍ଥା ଲାଗିରହିଛି। ଏପରିକି କାର ନିର୍ମାତାମାନେ କାର ଉତ୍ପାଦନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଖାଲି ସେତିକି ନୁହେଁ, କାର ତିଆରି କାରଖାନାରେ ନିୟୋଜିତ ଶ୍ରମିକ ଓ କର୍ମଚାରୀମାନଙ୍କ ଚାକିରୀ ବି ବିପଦରେ। ଏତିକି ବେଳେ ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଚାରି ଚକିଆ ଯାନ ବିକ୍ରି ନହେବା ପଛରେ ଲୋକଙ୍କ ମନୋଭାବ ବା ମାଇଣ୍ଡସେଟ ପରିବର୍ତ୍ତନ ବଡ଼ କାରଣ।

nirmala sitharaman

ଆହୁରି ମଧ୍ୟ ବିଏସ-୬ ନିୟମ ଦାଉ ସାଧୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ମାନ୍ଦା ପଛରେ ଅନ୍ୟ ଯେଉଁ କେତୋଟି କାରଣ ରହିଛି ସେଥି ମଧ୍ୟରୁ ଗାଡ଼ି ରେଜିଷ୍ଟ୍ରେସନ ନିୟମ କଡ଼ାକଡ଼ି ହେବା ମଧ୍ୟ ଗୋଟିଏ ବୋଲି ତାଙ୍କ ମତ।

ସୀତାରମଣ ଏକଥା ମଧ୍ୟ କହିଛନ୍ତି ଯେ ବଡ଼ ବଡ଼ ସହରରେ ଲୋକେ ମେଟ୍ରୋରେ ଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ତାଛଡ଼ା ସହର ମଧ୍ୟରେ ଦୋକାନ ବଜାର ଯିବା ଆସିବା ପାଇଁ ଓଲା ଏବଂ ଉବର ଭଳି କାର ସହଜରେ ମିଳୁଛି  ଓ କମ ଖର୍ଚ୍ଚରେ ଯାତାୟାତ କରିହେଉଛି। ସେ ସ୍ୱୀକାର କରିଛନ୍ତି ଯେ ଅଟୋମୋବାଇଲ ସେକ୍ଟରରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ଗମ୍ଭୀର ଓ ଏହାର ତୁରନ୍ତ ସମାଧାନ ଦରକାର।