ଦିନେ ଲୋକଙ୍କ ପାଖରେ ବ୍ୟାଙ୍କ ଲକର ଥିଲା ବଡ଼ଲୋକୀର ଏକ ପରିଚୟ। ଏବେ କିନ୍ତୁ ଏହା ହୋ‍ଇଛି ଚିନ୍ତାର ଏକ ବଡ଼ କାରଣ। କାହିଁକି ନା ବ୍ୟାଙ୍କବାଲା ଆପଣଙ୍କୁ ଲକର ଯୋଗାଇ ଦେଉଛନ୍ତି ସତ, ହେଲେ ଏଥିରେ ଥିବା ଆପଣଙ୍କ ମୂଲ୍ୟବାନ ଜିନିଷର ସୁରକ୍ଷା ସେମାନଙ୍କ ଦାୟିତ୍ୱ ନୁହେଁ।

ଏକଥା ପଇସାପ୍ଲସ୍ କହୁନାହିଁ; କହିଛନ୍ତି ଖୋଦ୍‌ ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସାବ୍‍। କିଛି ଦିନ ତଳେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜେଟ୍‌ଲି କହିଥିଲେ ଯେ ବ୍ୟାଙ୍କ ଲକରରେ ଥିବା ମୂଲ୍ୟବାନ ଜିନିଷ ଚୋରି ହୋ‍ଇଗଲେ କିମ୍ବା କୌଣସି ଦୈବୀ ଦୁର୍ବିପାକ ଯୋଗୁଁ ନଷ୍ଟ ହୋ‍ଇଗଲେ, ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହନ୍ତି।

ଗତ ତିନି ବର୍ଷ ମଧ୍ୟରେ ବିଭିନ୍ନ ଡକାୟତି ଓ ସିନ୍ଧି ଚୋରି ଭଳି ଘଟଣାରେ କେତେ ଟଙ୍କା ଗାଏବ ହୋ‍ଇଛି, ଯଦି ଆପଣ ସେ ସଂଖ୍ୟା ଶୁଣିବେ, ହୁଏତ ବୋତଲେ ପାଣି ପିଇବାକୁ ପଡ଼ିପାରେ। କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୁଆର ସୂଚନା ଦେଇଛନ୍ତି ଯେ ୨୦୧୪-୧୫ରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୫୧ଟି ବ୍ୟାଙ୍କରେ ୨୬୩୨ଟି ଘଟଣାରେ ୧୮୦ କୋଟି ଟଙ୍କା ସ୍ୱାହା ହୋ‍ଇଯାଇଛି। ଏ ଖବର ଶୁଣିଲା ପରେ ବ୍ୟାଙ୍କ ଲକର ପ୍ରତି ଥିବା ମୋହ ଆପେ ଆପେ ମ‌ଉଳିଯିବ।

bank locker safety

ବ୍ୟାଙ୍କ ଲକରରେ ଜଣେ ଗ୍ରାହକ କି ଜିନିଷ ରଖୁଛନ୍ତି ଏବଂ ତାହାର ମୂଲ୍ୟ କେତେ, ଏ ସମ୍ପର୍କରେ ବ୍ୟାଙ୍କ କୌଣସି ପ୍ରଶ୍ନ ପଚାରେ ନାହିଁ। ତେଣୁ ଏ କ୍ଷେତ୍ରରେ ବ୍ୟାଙ୍କର ଏବଂ ଗ୍ରାହକଙ୍କ ସମ୍ପର୍କ ଠିକ୍‌ ଘରମାଲିକ ଓ ଭଡ଼ାଟିଆଙ୍କ ସମ୍ପର୍କ ଭଳି। ଜଣେ ଘରମାଲିକ ଘରଭଡ଼ା ଦିଅନ୍ତି କିନ୍ତୁ ସେ ଘରେ ଯଦି ଚୋରି ହୁଏ, ତେବେ ସେଥିପାଇଁ ସେ ଦାୟୀ ରହିବେ ନାହିଁ। ନିଜେ ରହୁଥିବା ଘରର ସୁରକ୍ଷା ଦାୟିତ୍ୱ ଖୋଦ୍‍ ଭଡ଼ାଟିଆଙ୍କର। ସ୍ୱାସ୍ଥ୍ୟବୀମା, ଫସଲବୀମା, ଯାନବାହନ ବୀମା, ଯାତ୍ରାବୀମା, ଏପରିକି ଘରେ ବା ଅଫିସରେ ଥିବା ଜିନିଷପତ୍ରର ସୁରକ୍ଷା ପାଇଁ ବୀମା କଲା ପରି ଏବେ ବିଶେଷଜ୍ଞମାନେ ଲକରର ବୀମା କରିବାକୁ ପରାମର୍ଶ ଦେଉଛନ୍ତି।

ହୋମ୍‌ ଇନ୍‌ସୁରାନ୍ସ ପଲିସି

ବିଭିନ୍ନ ଅସ୍ଥାବର ସାମଗ୍ରୀର ବୀମା ପାଇଁ ମିଳୁଛି ‘ହୋମ୍‌ ଇନ୍‌ସୁରାନ୍ସ ପଲିସି’। ଜଣେ ବ୍ୟକ୍ତି ବ୍ୟାଙ୍କ ଲକରରେ ରଖୁଥିବା ମୂଲ୍ୟବାନ ସାମଗ୍ରୀ ସୁରକ୍ଷାକୁ ଏହି ପଲିସିରେ ଯୋଡ଼ିପାରିବେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ବୀମାପଲିସି କିଣିବା ବେଳେ ଆପଣ ଜାଣିବା ଦରକାର ଯେ ଏହା ବ୍ୟାଙ୍କ-ଲକରରେ ଥିବା ମୂଲ୍ୟବାନ ଧାତବ ସାମଗ୍ରୀ ବା ଅଳଙ୍କାର (ଏପରିକି ହାତଘଣ୍ଟା), ହୀରା ଅଳଙ୍କାର, କୌଣସି ପ୍ରକାର ମୂଲ୍ୟବାନ ହସ୍ତଶିଳ୍ପ ଆଦି ବାବଦରେ ସୁରକ୍ଷା ଦିଏ। ହେଲେ ଆପଣ ଯଦି ଲକରରେ କୌଣସି ମୂଲ୍ୟବାନ କାଗଜପତ୍ର (ଯେପରିକି ଜମିଜମା କାଗଜ, କୌଣସି ଏଗ୍ରିମେଣ୍ଟ ବା ୱିଲ୍‍) ବା ଟଙ୍କା ରଖୁଥା’ନ୍ତି, ଆପଣଙ୍କୁ ସେ ବାବଦରେ କୌଣସି ଟଙ୍କା ମିଳିବ ନାହିଁ।

ଯଦି ଆପଣ ଏଭଳି ଇନ୍‌ସୁରାନ୍ସ ପଲିସି ପାଇଁ ବାର୍ଷିକ କେତେ ଟଙ୍କା ଦେବାକୁ ପଡ଼ିବ ବୋଲି ଭାବୁଥା’ନ୍ତି, ତା’ହେଲେ ଏକ ମୋଟାମୋଟା ହିସାବ ହେଉଛି ଯେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍‌ ପାଇଁ ଦେଶ ଭିତରେ ୪ ହଜାର ଟଙ୍କା ଓ ଦେଶ ବାହାରର ବ୍ୟାଙ୍କ୍‌ ହୋ‌ଇଥିଲେ ୫ ହଜାର ଟଙ୍କା ପଡ଼ିବ। ଏହା ବାହାରେ ରହିଛି ଜିଏସ୍‌ଟି।

ହଁ, ବ୍ୟାଙ୍କ୍‌-ଲକରର ଏହି କାହାଣୀ ଶୁଣିବା ପରେ ଆପଣଙ୍କ ପାଇଁ ଏକ ଦେଶୀ ସମାଧାନ ମଧ୍ୟ ରହିଛି। ଆପଣ ଚାହିଁଲେ ନିଜ ଆବଶ୍ୟକତା ଅନୁଯାୟୀ ବଜାରରେ ମିଳୁଥିବା ‘ସେଫ୍‌ଟି ଭଲ୍‌ଟ’ କିଣି ତାକୁ ଘରର କାନ୍ଥ ବା ଚଟାଣରେ ବସାଇପାରନ୍ତି। ଏକ୍ଷେତ୍ରରେ ଆପଣଙ୍କ ଏକକାଳୀନ ଖର୍ଚ୍ଚ ୧୦ ହଜାରରୁ ୫୦ ହଜାର ହୋ‍ଇପାରେ।