ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର।

Senior-Citizen-Savings-Scheme-Government-of-India-Interest-TDS-Nominee-account-news-in-hindi-280020

ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ ହେଉଛି।

ଆୟକର ସୀମା

୨୦୧୭-୧୮ ଆର୍ଥିକ ବର୍ଷରେ ଜଣେ ସାଧାରଣ ଆୟକରଦାତାଙ୍କ ପାଇଁ ଯେଉଁ ଆୟକର ସୀମା ରହିଛି, ତାହା ହେଉଛି:

୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ନାହିଁ

୨.୫-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ୫ ପ୍ରତିଶତ

୫-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ୨୦ ପ୍ରତିଶତ

୧୦ ଲକ୍ଷରୁ ଅଧିକ ଟଙ୍କାର ଟ୍ୟାକ୍ସେବଲ୍‍ ଆୟ: ଆୟକର ୩୦ ପ୍ରତିଶତ

ତେବେ ଏ କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କୁ କିଛି ରିହାତି ଦିଆଯାଇଛି।୬୦ରୁ ଅଧିକ (୮୦ରୁ କମ୍‍) ବୟସର ନାଗରିକଙ୍କ ପାଇଁ ଆୟକର ସୀମା ରହିଛି:

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ନାହିଁ

୩-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ୫ ପ୍ରତିଶତ

୫-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ୨୦ ପ୍ରତିଶତ

୧୦ ଲକ୍ଷରୁ ଅଧିକ ଟଙ୍କାର ଟ୍ୟାକ୍ସେବଲ୍‍ ଆୟ: ଆୟକର ୩୦ ପ୍ରତିଶତ

ସେହିପରି ସୁପର ସିନିଅର ସିଟିଜେନ୍‍ ବା ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଆୟକର ସୀମା ଆଉ କିଛିଟା କୋହଳ କ୍ରାଯାଇଛି। ତାହା ହେଉଛି:

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ନାହିଁ

୫-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସେବଲ୍‍ ଆୟ: ଆୟକର ୨୦ ପ୍ରତିଶତ

୧୦ ଲକ୍ଷରୁ ଅଧିକ ଟଙ୍କାର ଟ୍ୟାକ୍ସେବଲ୍‍ ଆୟ: ଆୟକର ୩୦ ପ୍ରତିଶତ

ମେଡିକ୍ଲେମ୍‍ ପ୍ରିମିୟମରେ ରିହାତି

ଆୟକର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ପାଇଁ ଏବଂ ତାଙ୍କ ଉପରେ ନିର୍ଭର କରୁଥିବା ପରିବାରବର୍ଗଙ୍କ ପାଇଁ ମେଡିକାଲ ଇନସୁରାନ୍ସ କ୍ଷେତ୍ରରେ ବାର୍ଷିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ କ୍ଲେମ୍‌ କରିପାରିବେ।ତେବେ ଜଣେ ବରିଷ୍ଠ ନାଗରିକ ଏ କ୍ଷେତ୍ରରେ ନିଜ ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଦେଇପାରିବେ।ସେହିପରି କୌଣସି ବ୍ୟକ୍ତି ତାଙ୍କ ପିତାମାତାଙ୍କ ପାଇଁ (ଯଦି ସେମାନେ ବରିଷ୍ଠ ନାଗତିକ ହୋ‌ଇଥା’ନ୍ତି) ମେଡିକ୍ଲେମ କରୁଥିଲେ, ଆୟକର ଛାଡ଼ ସୀମା ୩୦ ହଜାର ଧାର୍ଯ୍ୟ କରାଯାଇଛି।ଏହି ଛାଡ଼ ଆୟକର ନିୟମ 80-D ଅନ୍ତର୍ଭୁକ୍ତ।

ଦିବ୍ୟାଙ୍ଗ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ରିହାତି

ଆୟକର ଧାରା 80-U ଅନୁଯାୟୀ, ଯଦି ଜଣେ ବରିଷ୍ଠ ନାଗରିକ ଦିବ୍ୟାଙ୍ଗ ହୋ‍ଇଥା’ନ୍ତି, ତେବେ ତାଙ୍କର ମୋଟ୍‍ ଟ୍ୟାକ୍ସେବଲ୍‍ ଆୟ ଉପରେ ୧ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇପାରିବେ। ତେବେ ଆୟକର ଧାରା 80-DD ଅଧୀନରେ ବର୍ଣ୍ଣିତ ନିୟମ ଅନୁଯାୟୀ ଏହି ଛାଡ଼ର ସୀମା ଧାର୍ଯ୍ୟ କରାଯାଇଥାଏ।

Senior Citizens Savings Scheme

ବରିଷ୍ଠ ନାଗରିକ ସ୍ୱଳ୍ପ ସଞ୍ଚୟ ଯୋଜନା

ଆୟକର ନିୟମର ଧାରା 80-C ଅଧୀନରେ ବିଭିନ୍ନ ପ୍ରକାର ଜମା ଓ ନିବେଶ ପାଇଁ ରିହାତି ବ୍ୟବସ୍ଥା ରହିଛି। ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ପୋଷ୍ଟ ଅଫିସ ବରିଷ୍ଠ ନାଗରିକ ସ୍ୱଳ୍ପ ସଞ୍ଚୟ ଯୋଜନା।ଆସନ୍ତୁ ନଜର ପକାଇବା ଖାସ୍‍ କରି ବରିଷ୍ଠ ନାଗରିକଙ୍କ ପାଇଁ ପ୍ରସ୍ତୁତ ଏହି ଯୋଜନାରେ କ’ଣ ରହିଛି ସୁବିଧା।

୬୦ ବର୍ଷ ବା ଅଧିକ ବୟସର କୌଣସି ବ୍ୟକ୍ତି ଏହି ଯୋଜନାରେ ପୋଷ୍ଟ ଅଫିସରେ ଖାତା ଖୋଲି ସଞ୍ଚୟ କରିପାରିବେ।

ଯଦି କୌଣସି ବ୍ୟକ୍ତି ସ୍ୱେଚ୍ଛାକୃତ ଅବସର ନେଇଥା’ନ୍ତି, କିମ୍ବା ନିୟମ ଅନୁଯାୟୀ ଚାକିରିରୁ ଅବସର ନିଅନ୍ତି, ତେବେ ସେ କ୍ଷେତ୍ରରେ ତାଙ୍କ ବୟସ ୫୫ ହୋ‍ଇଥିଲେ ମଧ୍ୟ ସେ ଏହି ଯୋଜନାରେ ସାମିଲ ହୋ‍ଇପାରିବେ।

ଅବସରପ୍ରାପ୍ତ ସେନାକର୍ମୀଙ୍କ ପାଇଁ ଏହି ଯୋଜନାରେ ବୟସସୀମା ଉପରେ କୌଣସି କଟକଣା ନାହିଁ।

ଆୟକର ନିୟମ ଅନୁଯାୟୀ 80-C ଧାରାରେ ରିହାତି ନେବାକୁ ହେଲେ ଆୟକରଦାତାଙ୍କ ନାଁରେ ହିଁ ଏହି ଆକାଉଣ୍ଟ ରହିଥିବା ଆବଶ୍ୟକ।

ପୋଷ୍ଟ ଅଫିସ ବରିଷ୍ଠ ନାଗରିକ ସ୍ୱଳ୍ପ ସଞ୍ଚୟ ଯୋଜନା ଅଧୀନରେ ଜଏଣ୍ଟ ଆକାଉଣ୍ଟ ଖୋଲାଯାଇପାରିବ। ତେବେ ଜଣେ ବ୍ୟକ୍ତି ନିଜ ସ୍ୱାମୀ/ସ୍ତ୍ରୀଙ୍କ ନାଁରେ ଏହି ଆକାଉଣ୍ଟ ଖୋଲିପାରିବେ।ଯୁଗ୍ମ ଆବେଦନକାରୀଙ୍କ ପାଇଁ ବୟସ ନେଇ କୌଣସି ସୀମା ନାହିଁ।

କୌଣସି ଜଏଣ୍ଟ ଆକାଉଣ୍ଟ କ୍ଷେତ୍ରରେ କେବଳ ପ୍ରାଥମିକ ନିବେଶକାରୀ ବା ପ୍ରାଇମେରି ଆକାଉଣ୍ଟ ହୋଲଡର୍‍ ଆୟକର ରିହାତି ନେଇପାରିବେ।

ଜଣେ ବ୍ୟକ୍ତି ଚାହିଁଲେ ଏକକ ଭାବେ କିମ୍ବା ନିଜ ସ୍ୱାମୀ/ସ୍ତ୍ରୀଙ୍କ ସହ (ଜଏଣ୍ଟ ଆକାଉଣ୍ଟ) ଏକାଧିକ ଆକାଉଣ୍ଟ ଖୋଲିପାରିବେ।